ବୁଝାମଣାରେ ଖୋଲିଲା ଗଳାବାଟ: ଘଣ୍ଟିଦୁଆରରେ ଯିବେ ଅଧିକାରୀ, କି ଦୋଷ କରିଛନ୍ତି ସାଧାରଣ ଭକ୍ତ?

ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଅହରହ ଉଦ୍ୟମ ଚାଲିଥିବା ପ୍ରଚାର ହେଉଛି। ହେଲେ ବିଶୃଙ୍ଖଳାର ମଞ୍ଜି ଖୋଦ୍‌ ପ୍ରଶାସନ ପୋତିଛି। ସେବାୟତ ଓ ପ୍ରଶାସନର ମିଳିତ ସହଭାଗିତାରେ କାର୍ତ୍ତିକ ମାସ ପାଇଁ ଗଳାବାଟ ଖୋଲିଛି।

temple

Photograph: (Wikipedia, the free encyclopedia)

ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଅହରହ ଉଦ୍ୟମ ଚାଲିଥିବା ପ୍ରଚାର ହେଉଛି। ହେଲେ ବିଶୃଙ୍ଖଳାର ମଞ୍ଜି ଖୋଦ୍‌ ପ୍ରଶାସନ ପୋତିଛି। ସେବାୟତ ଓ ପ୍ରଶାସନର ମିଳିତ ସହଭାଗିତାରେ କାର୍ତ୍ତିକ ମାସ ପାଇଁ ଗଳାବାଟ ଖୋଲିଛି। କାର୍ତ୍ତିକମାସରେ ପ୍ରବଳ ଭିଡ଼ ହେଉଥିବାରୁ ସେବାୟତଙ୍କ ଯାତ୍ରୀମାନେ କିଭଳି ଭଲରେ ଦର୍ଶନ କରିବେ ଏବଂ ପ୍ରଶାସନିକ ଅଧିକାରୀମାନଙ୍କର ବନ୍ଧୁବାନ୍ଧବ ଓ ଜିଲ୍ଲା ବାହାରୁ ଆସୁଥିବା ବାବୁମାନଙ୍କର ସମ୍ପର୍କୀୟ କିଭଳି ଭଲରେ ଦର୍ଶନ କରିବେ ସେଥିପାଇଁ ଦ୍ବିପାକ୍ଷିକ ବୁଝାମଣା ହୋଇଛି। ତଥାପି ପ୍ରାଥମିକ ପର୍ଯ୍ୟାୟରେ ଅଧିକାରୀଙ୍କ ସମ୍ପର୍କୀୟ ବା ଅଧିକାରୀଙ୍କ ନିର୍ଦ୍ଦେଶରେ ଘଣ୍ଟିଦ୍ବାର ଦେଇ ଭକ୍ତ ପ୍ରବେଶ କରିବାକୁ ବ୍ୟବସ୍ଥା ହୋଇଥିବା ବେଳେ ସେବାୟତଙ୍କ ଗୁମାସ୍ତାମାନେ ଯାତ୍ରୀଙ୍କୁ ନେଇ ମାଜଣା ମଣ୍ଡପ ତଳ ଜାଲି ଦ୍ବାର ଦେଇ ଯିବେ। ଉଭୟ ପକ୍ଷର ଭକ୍ତମାନେ ସିଧା ଭିତରକାଠ ପର୍ଯ୍ୟନ୍ତ ଯିବେ। ଯଦି ଭିତରକାଠ ଦର୍ଶନ ବନ୍ଦ ଥାଏ ତେବେ ସେମାନେ ବାହାର କାଠ ଅତିକ୍ରମ କରି ଜୟବିଜୟ ଦ୍ବାର ନିକଟରେ ହୋଇଥିବା ଭିଆଇପି ପଏଣ୍ଟରେ ଛିଡ଼ା ହୋଇ ଦର୍ଶନ କରିବେ। ଆଜି ଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଯଦିଓ ଏହା ଲିଖିତ ଭାବେ ହୋଇନାହିଁ, ତଥାପି ଏଭଳି ଏକ ବୁଝାମଣା ହେବା ପରେ ସାଧାରଣ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି।ଆମେ କି ଦୋଷ କରିଛୁ ବୋଲି ସାଧାରଣ ଭକ୍ତ ପ୍ରଶ୍ନ କରିଛନ୍ତି। 

ପ୍ରଶାସନିକ ଅଧିକାରୀମାନେ ହିଁ ଏହି ଗଳାବାଟ ସୃଷ୍ଟି କରିଛନ୍ତି। ଉପରମୁଣ୍ଡରୁ ଆସୁଥିବା ନିର୍ଦ୍ଦେଶକ୍ରମେ ସରକାରୀ ଅଧିକାରୀମାନେ ଅତିଥିମାନଙ୍କୁ ସହଜରେ ଓ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରାଇଥାନ୍ତି। ଏଥିପାଇଁ ସ୍ବତନ୍ତ୍ର ଭାବେ ଅଧିକାରୀ ଦାୟିତ୍ବରେ ରହିଥିବା ବେଳେ ଅନେକ ସମୟରେ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଆସି ଛିଡ଼ା ହୋଇଥାନ୍ତି। କାର୍ତ୍ତିକ ମାସରେ ପ୍ରବଳ ଭିଡ଼ ହେବାକୁ ଥିବାରୁ ଭିଆଇପି ବା ଅନ୍ୟ ବଡ଼ବଡ଼ିଆଙ୍କ ସମ୍ପର୍କୀୟଙ୍କୁ ପାଖରେ ଦର୍ଶନ କରାଇବା କଷ୍ଟକର ହେବାକୁ ଯାଉଛି। ସାଧାରଣ ଭକ୍ତମାନେ ଧାଡ଼ିରେ ଆସି କେବଳ ସାତପାହାଚ ଦେଇ ନାଟମଣ୍ଡପକୁ ପ୍ରବେଶକରିବାର ସୁଯୋଗ ରହିଥିବା ବେଳେ ପ୍ରାଶାସନିକ ଅଧିକାରୀମାନଙ୍କ ପାଇଁ ଘଣ୍ଟିଦ୍ବାର ବ୍ୟବସ୍ଥା କରାଯାଇଛି। ଅଧିକାରୀମାନେ ଏଭଳି ସୁବିଧା ନେବା ପରେ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାରୁ ସେମାନଙ୍କୁ ଶାନ୍ତି କରାଇବା ପାଇଁ ମାଜଣା ମଣ୍ଡପ ତଳ ଜାଲି ଦ୍ବାର ଖୋଲା ଯାଇଛି। ‘ତୁମେ ସେପଟେ ଯାଅ, ଆମେ ଏପଟେ ଯାଉଚୁ’ ଏଭଳି ଏକ ବୁଝାମଣାରେ ଏହି ଗଳାବାଟରେ ଦର୍ଶନ ଆରମ୍ଭ ହୋଇଛି। 

ସେବାୟତ ଓ ତାଙ୍କ ଗୁମାସ୍ତାମାନେ ଏହି ଜାଲି ଦ୍ବାର ଦେଇ ଭକ୍ତମାନଙ୍କୁ ଭିତରକୁ ନେବେ। ଏଥିପାଇଁ ମୋଟା ଅଙ୍କର ଅର୍ଥ କାରବାର ହେବ ବୋଲି ଅଭିଯୋଗ ହୋଇଛି। ଏ ନେଇ ଆଇନଜୀବୀ ଦିଲୀପ ବରାଳ କହିଛନ୍ତି, ବିଧିବ୍ୟବସ୍ଥା ଥିବା ସତ୍ତ୍ବେ ଚନ୍ଦନଲାଗି ସମୟରେ ଭକ୍ତମାନଙ୍କୁ ଭିତରକାଠ ପର୍ଯ୍ୟନ୍ତ ଛଡ଼ା ଯାଉନାହିଁ। କିନ୍ତୁ ଚନ୍ଦନଲାଗି ପରେ ବା ପହୁଡ଼ ପୂର୍ବରୁ ନିଦ୍ରାଦେବୀ ବିଜେ ସମୟରେ ବାଛିବାଛି ଭକ୍ତମାନଙ୍କୁ ଭିଆଇପି ପଏଣ୍ଟ ପର୍ଯ୍ୟନ୍ତ ନିଆଯାଉଛି। ସେଠାରେ ଭକ୍ତଙ୍କ ଠାରୁ ଦକ୍ଷିଣା ନାମରେ ଅର୍ଥ ଆଦାୟ କରାଯାଉଛି। ଏଭଳି କାରବାର ପାଇଁ ଦୁଇ ଦୁଇ ଥର ବିଶୃଙ୍ଖଳା ହୋଇ ସାରିଲାଣି। ଏଭଳି ସ୍ଥିତି କେବଳ ବିଶୃଙ୍ଖଳା ସୃଷ୍ଟି କରୁନାହିଁ, ବରଂ ଭକ୍ତଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି। ଦୀର୍ଘ ଦିନ ହେବ ଏଭଳି ଚାଲିଛି। ପ୍ରଶାସନ ସବୁ ଜାଣିଛି। କାରଣ ସବୁଠି ସିସିଟିଭି କ୍ୟାମେରା ଲାଗିଛି। କିନ୍ତୁ ଏହାକୁ ବନ୍ଦ କରାଯାଉନାହିଁ। ଏଣେ କିନ୍ତୁ ଗଳାବାଟ ଖୋଲା ଚାଲିଛି। ଏଭଳି ଅଘୋଷିତ ଗଳାବାଟ ବନ୍ଦ ହେଉ। ସାଧାରଣଭକ୍ତଙ୍କୁ ଅଧିକାରରୁ ବଞ୍ଚିତ କରନ୍ତୁ ନାହିଁ। ଧର୍ମ ମାସରେ ଅଧର୍ମ କାମ ବନ୍ଦ ହେଉ। 
ଜଣେ ସେବାୟତ କହିଛନ୍ତି, ଗଳାବାଟ ଭକ୍ତଙ୍କ ଠାରୁ ଅର୍ଥ ଆଦାୟ କରିବାକୁ ଖୋଲାଯାଇ ନାହିଁ। ଗାରଦ ସହ କଥାବାର୍ତ୍ତା ହେବା ପରେ ଖୋଲାଯାଇଛି। ଏହି ବାଟେ କେବଳ ସେବାୟତ ଓ ପରିବାରବର୍ଗ ଯିବେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାରୀ କାମ ଛଡ଼ା ଏଠାରେ ଶୃଙ୍ଖଳିତ ଦର୍ଶନ କରାଇବା କାମ ଅଧିକା। କେତେବେଳେ ବଡ଼ବଡ଼ ଅଧିକାରୀଙ୍କ ସମ୍ପର୍କୀୟ, କେତେବେଳେ ଅତି ଘନିଷ୍ଠ ବନ୍ଧୁଙ୍କ ବନ୍ଧୁବାନ୍ଧବ ଦର୍ଶନ କରାଇବା ହେଉଛି। ଅନେକ ସମୟରେ ଚାପ ବି ରହୁଛି। ଏହାର ଆଉ କିଛି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe