ବାଟ ଓଗାଳିଲା ଏଏସ୍‌ଆଇ, ଶ୍ରୀମନ୍ଦିରରେ ଲାଗିପାରୁନି ରୁପାଦ୍ବାର

Advertisment

ବିଗିଡ଼ି ଗଲେଣି ଦାତା

ବିଗିଡ଼ି ଗଲେଣି ଦାତା

ବାଟ ଓଗାଳିଲା ଏଏସ୍‌ଆଇ, ଶ୍ରୀମନ୍ଦିରରେ ଲାଗିପାରୁନି ରୁପାଦ୍ବାର

Image Courtesy of Kalinga TV

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିର ଦ୍ବାର। ସବୁ ଦ୍ବାରରେ ରହିବ ଉତ୍କଳୀୟ ପରମ୍ପରାର ଛାପ। ଏଥିପାଇଁ ବିଦେଶରୁ ସ୍ବତନ୍ତ୍ର ବର୍ମା ଟିମ୍‌ (ଶାଗୁଆନ୍‌) ଆସିବାକୁ ଯୋଜନା ହେଲା। ମୁମ୍ବାଇର ଜନୈକ ଦାତା ଏ ବାବଦ ସମସ୍ତ ରୁପା ଦାନସୂତ୍ରରେ ଦେବେ ବୋଲି ସ୍ଥିର ହେଲା। ଏଥିପାଇଁ ଅନେକ ସୁନାରିଙ୍କୁ ବି ନେଇ ଘନ ଘନ ବୈଠକ ବସିଲା। ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ଭିତରେ ଉତ୍କଣ୍ଠା ବି ବଢ଼ିଥିଲା। ଏତେ ସବୁ ପରେ ବି ଆଗେଇ ପାରୁନି କାମ। ବାଟ ଓଗାଳିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)। ନା ଏହି ଦ୍ବାର ରୁପା ଛାଉଣି କରିବାକୁ ଅନୁମତି ଦେଉଛି ନା ନିଜେ କରୁଛି। ଏଭଳି ପରିସ୍ଥିତିରେ ଏହି ମହତ ଲକ୍ଷ୍ୟ ଯୋଜନାରେ ରହିଯିବା ଆଶଙ୍କା ଦେଖାଦେଲାଣି। ସେପଟେ ଏଭଳି ବିବାଦୀୟ ପରିସ୍ଥିତି ଦେଖି ଦାତା ବି ବିଗିଡ଼ି ଗଲେଣି। ବାଦବିବାଦ ପରେ ଧୀରେଧୀରେ ଦାତା କରଛଡ଼ା ଦେବାକୁ ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

୨୦୨୦ ଅକ୍ଟୋବର ଆରମ୍ଭରୁ ଶ୍ରୀମନ୍ଦିର ଦ୍ବାରରେ ରୁପା ଚାଦର ଲଗାଇବା ପ୍ରସଙ୍ଗ ଉଠିଥିଲା। ମୁମ୍ବାଇର ଜନୈକ ଦାତା ମହାପ୍ରଭୁଙ୍କ ପାଇଁ ଏ ବାବଦ ସମସ୍ତ ରୁପା ଦାନ ସୂତ୍ରରେ ଦେବେ ବୋଲି ଘୋଷଣା କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର କଳାହାଟ ଦ୍ବାର, ବେହେରଣ ଦ୍ବାର, ଜୟବିଜୟ ଦ୍ବାର ଓ ସାତପାହଚ ଦ୍ବାର ରୁପା ଛାଉଣି କରିବାକୁ ନିଷ୍ପତ୍ତି ହୋଇଥିଲା। ମୁମ୍ବାଇର ଏହି ଭକ୍ତ ଏ ବାବଦକୁ ପ୍ରାୟ ୧୩୪୫ କେଜି ରୁପା ଦାନସୂତ୍ରରେ ଦେବେ ବୋଲି ସହମତି ପ୍ରକାଶ କରିଥିଲେ। ଏହି ଚାରିଦ୍ବାରର ସୌନ୍ଦର୍ଯ୍ୟୀକରଣ କଥା ଆଲୋଚନା କରୁ କରୁ‌ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ସେବାୟତମାନେ ଅନ୍ୟ ଚାରିଦ୍ବାରକୁ ରୁପା ଛାଉଣି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବି ମଞ୍ଜୁରି ମିଳିଲା। ଚୂଡ଼ାନ୍ତ ଆଲୋଚନା ପରେ ମୁମ୍ବାଇ ଦାତା ଏ ବାବଦକୁ ପ୍ରାୟ ୨୪ ଶହ କେଜି ରୁପା ଦାନସୂତ୍ରରେ ଦେବାକୁ ସହମତି ପ୍ରକାଶ କରିଥିଲେ। ସେହି ଅନୁଯାୟୀ ୧୫ ଜଣିଆ କମିଟି ଗଠନ କରାଗଲା।

ପରେ କାରୁକାର୍ଯ୍ୟକୁ ନେଇ ନାନା ମତ ପ୍ରକାଶ ପାଇଥିଲା। ଦାତା ରୁପାର ତିନୋଟି ଡିଜାଇନ୍‌ ଦେଖାଇଥିଲେ ବି ଶେଷରେ ଉତ୍କଳୀୟ ପରମ୍ପରା ଆଧାରରେ ରୁପାର ଡିଜାଇନ୍‌ କରାଯିବ ବୋଲି ନିଷ୍ପତ୍ତି ହେଲା। ଏପରିକି ୮ଟି ଯାକ ଦ୍ବାର ଦୁର୍ବଳ ହୋଇଯାଇଥିବାରୁ ବର୍ମା ଟିକ୍‌ରେ ସଂପୂର୍ଣ୍ଣ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଥିଲା। କାରିଗରଙ୍କ କାଠ କାମ ପାଇଁ ନୀଳାଦ୍ରି ଭକ୍ତ ନିବାସରେ ବି ରୁମ୍‌ ବୁକିଂ ହେଲା। ସେହି ଅନୁଯାୟୀ ଘନ ଘନ ବୈଠକ ବସିଲା। ନୂଆବର୍ଷ ପୂର୍ବରୁ ଜୟବିଜୟ ଦ୍ବାର ଓ ଅନ୍ୟ କିଛି ଦ୍ବାରର କାଠ ଓ ରୁପା କାମ ସାରିବାକୁ ନିଷ୍ପତ୍ତି ହୋଇଥିଲା। ନଭେମ୍ବରରେ ଶେଷଥର ପାଇଁ ଏହା ଉପରେ ବୈଠକ ବସିଥିଲା। ପ୍ରତ୍ନତତ୍ତ୍ବ ବିଭାଗର ପ୍ରତିନିଧି ବି ଉପସ୍ଥିତ ଥିଲେ। କିନ୍ତୁ ଏହି ବୈଠକରେ ସିଧାସଳଖ ବିରୋଧ କରିଥିଲେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ। ପ୍ରତ୍ନତତ୍ତ୍ବ ବିଭାଗ ମୁଖ୍ୟାଳୟରୁ ଅନୁମତି ଆଣିବାକୁ କହିଥିଲେ। ଏହାପରଠାରୁ ଯେପରି ରୁପା ଛାଉଣି ପ୍ରସଙ୍ଗ ଅଟକି ଯାଇଛି। ଏହା ଭିତରେ ୪ ମାସ ବିତିଗଲାଣି, କିନ୍ତୁ ଏହାର ପରଠାରୁ ଆଉ ବୈଠକ ବସୁନି। ସତେ ଯେପରି ରୁପା ଛାଉଣି ପ୍ରସଙ୍ଗକୁ ସମସ୍ତେ ଭୁଲି ଗଲେଣି। ଏହାର ଉତ୍ତର ବି କାହାରି ପାଖରେ ନାହିଁ।

ଏ ସଂପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ରୁପା ଛାଉଣି ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ କେଉଁଥିପାଇଁ ଏହା ଅଟକି ରହିଛି, ସେ ସଂପର୍କରେ କିଛି ଜାଣିନାହାନ୍ତି। ଅନ୍ୟପଟେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ମୋ ପାଖକୁ ଏ ସଂପର୍କିତ କୌଣସି ପ୍ରସ୍ତାବ ଆସିନାହିଁ। ମୁଁ ଏ ସଂପର୍କରେ କିଛି ଜାଣିନି। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଜାଣିଥିବେ। ସେ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ପଚାରିବା ଠିକ୍‌ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe