ଆଦିବାସୀଙ୍କ ବିକାଶକୁ ଅଣଦେଖା, କାମରେ ଆସୁନି ୧୫୦୦ କୋଟିର ଜଳ ଯୋଜନା ପ୍ରକଳ୍ପ

୩୩ କୋଟି ଖର୍ଚ୍ଚର ହେବ ସ୍ବତନ୍ତ୍ର ଅଡ଼ିଟ୍‌, ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍‌ 

ଆଦିବାସୀଙ୍କ ବିକାଶକୁ ଅଣଦେଖା, କାମରେ ଆସୁନି ୧୫୦୦ କୋଟିର ଜଳ ଯୋଜନା ପ୍ରକଳ୍ପ

ରାଉରକେଲା: ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚାରେ ଥିବା ପାନପୋଷ ଆଇଟିଡିଏର କାମକୁ ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟମନ୍ତ୍ରୀ ବିଶେଶ୍ବର ଟୁଡୁ। ଆଜି ଉଦିତନଗରସ୍ଥିତ ଆଇଟିଡିଏ ସମ୍ମିଳନୀ  କକ୍ଷରେ ମେଗା ଜଳ ପ୍ରକଳ୍ପ ଯୋଜନା, ବଣାଇଁ ଓ ପାନପୋଷ ଆଇଟିଡିଏ ଚାଲିଥିବା କାମ ଓ ଶେଷ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମରେ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ବଣାଇ, ପାନପୋଷ ଆଇଟିଡିଏ ଅଧିକାରୀ, ରାଉରକେଲା ଓ କେନ୍ଦୁଝର ଜଳ ପ୍ରକଳ୍ପ ଡିଭିଜିନର ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ କାମର ସମୀକ୍ଷା କରିଥିଲେ। କାମର ଅଗ୍ରଗତିକୁ ନେଇ କେନ୍ଦ୍ରମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।

ପାଣ୍ଠିର ସଠିକ୍‌ ବିନିଯୋଗ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ।  ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀ ବିକାଶକୁ ଯେତିକି ଗୁରୁତ୍ବ ଦିଆଯିବା କଥା ତାହା ହୋଇନାହିଁ। ଏମିତିକି  ବୀରମିତ୍ରପୁର ବିଧାୟକ ଶଙ୍କର ଓରାମଙ୍କ କିଛି ପ୍ରସ୍ତାବିତ ପ୍ରକଳ୍ପକୁ ବିଭାଗୀୟ ଅଧିକାରୀ ଆଦୌ ଗୁରୁତ୍ବ ନ ଦେବା ଦୁର୍ଭାଗ୍ୟଜନକ। ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ୧୫୦୦ କୋଟି ଟଙ୍କାର ମେଗା ଜଳଯୋଜନା ପ୍ରକଳ୍ପ କାହିଁକି ଆଗଉ ନାହିଁ ବୋଲି ବିଭାଗୀୟ ଅଧିକାରୀଙ୍କୁ ସେ ପ୍ରଶ୍ନ କରିଥିଲେ।

ବିଭାଗୀୟ ଅଧିକାରୀ କିନ୍ତୁ କୌଣସି ସଠିକ୍‌ ଉତ୍ତର ଦେଇ ପାରି ନଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି ମଧ୍ୟ କହିଛନ୍ତି, ଆଇଟିଡିଏ ପ୍ରାୟ ଅଧିକାଂଶ କାମ କାଗଜପତ୍ର ଠିକ୍‌ ଚାଲିଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା ପରିଲକ୍ଷିତ ହେଉଛି। ଏପରିକି ଅଧିକାଂଶ କାମ ଶେଷ ହୋଇ ନଥିଲେ ମଧ୍ୟ ବିନିଯୋଗ ପ୍ରମାଣପତ୍ର (ୟୁସି) ଦିଆସରିଛି। ସବୁଠୁ ଆଶ୍ଚର୍ଯ୍ୟ କଥା, କାମ ତଦାରଖ କରୁଥିବା ଯନ୍ତ୍ରୀ, କର୍ମଚାରୀ ଦେଇଥିବା ୟୁସି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ଜାଣି ନାହାନ୍ତି। ପୂର୍ବତନ କେନ୍ଦ୍ରଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ସମୟରେ ପାନପୋଷ ଆଇଟିଡିଏରେ ୩୩ କୋଟି ଟଙ୍କାର କାମ ଠିକ୍ ଭାବେ ହୋଇନାହିଁ। ଯେତିକି କାମ ହୋଇଛି, ତା’ ଆଦୌ ସନ୍ତୋଷଜନକ ନୁହେଁ। ତେଣୁ ୩୩ କୋଟି ଟଙ୍କା ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ୍‌ କରାଯିବ।

ଏଥିସହ ଏହି ଟଙ୍କାରେ ହୋଇଥିବା କାମ ଅନୁଧ୍ୟାନ କରିବାକୁ କେନ୍ଦ୍ର ଟିମ୍‌କୁ ‌ନିର୍ଦ୍ଦେଶ ଦିଆଯାଇଛି। ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଟିମ୍‌ ରାଉରକେଲାରେ ପହଞ୍ଚି ୩୩ କୋଟି ଟଙ୍କା ବ୍ୟୟରେ ହୋଇଥିବା କାମ ଅନୁଧ୍ୟାନ କରି ରିପୋର୍ଟ ଦେବା। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି। ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ,  ଜିଲ୍ଲା ପରିଷଧ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ  ବିଧାୟକ ଓ ଅନ୍ୟ ଅଧିକାରୀଙ୍କ ବ୍ଲକର ଚାଲିଥିବା ବିଭିନ୍ନ କାମର ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe