‘ଦେଓମାଳି’ର ଦୁଃଖ: ରାଜାମୌଲିଙ୍କ ପୋଷ୍ଟ କି ବାର୍ତ୍ତା ଦେଉଛି?

Advertisment

ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ‘ଦେଓମାଳି’। ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗର ମାନ୍ୟତା ପାଇଥିବା ଏହି ପର୍ବତମାଳା ଏବେ ଚର୍ଚ୍ଚାରେ। ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏସ.ଏସ.ରାଜାମୌଲି ନିଜର ପରବର୍ତ୍ତୀ ଫିଲ୍ମ ‘ଏସ୍‌ଏସ୍‌ଏମ୍‌ବି ୨୯’ ସୁଟିଂ ପାଇଁ ଏହି ସ୍ଥାନ ଚୟନ କରିବା....

ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ‘ଦେଓମାଳି’। ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗର ମାନ୍ୟତା ପାଇଥିବା ଏହି ପର୍ବତମାଳା ଏବେ ଚର୍ଚ୍ଚାରେ। ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏସ.ଏସ.ରାଜାମୌଲି ନିଜର ପରବର୍ତ୍ତୀ ଫିଲ୍ମ ‘ଏସ୍‌ଏସ୍‌ଏମ୍‌ବି ୨୯’ ସୁଟିଂ ପାଇଁ ଏହି ସ୍ଥାନ ଚୟନ କରିବା....

00

ଦେଓମାଳିରୁ କେଶବ ପାଣିଙ୍କ ରିପୋର୍ଟ
କୋରାପୁଟ: ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ‘ଦେଓମାଳି’। ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗର ମାନ୍ୟତା ପାଇଥିବା ଏହି ପର୍ବତମାଳା ଏବେ ଚର୍ଚ୍ଚାରେ। ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏସ.ଏସ.ରାଜାମୌଲି ନିଜର ପରବର୍ତ୍ତୀ ଫିଲ୍ମ ‘ଏସ୍‌ଏସ୍‌ଏମ୍‌ବି ୨୯’ ସୁଟିଂ ପାଇଁ ଏହି ସ୍ଥାନ ଚୟନ କରିବା ପରେ ଦେଓମାଳିକୁ ନେଇ ଅନେକ ସମ୍ଭାବନା ସୃଷ୍ଟି ହୋଇଥିଲା। ଦେଶ ବିଦେଶର ପର୍ଯ୍ୟଟକ ଏହାର ଅପରୂପ ଶୋଭା ଦେଖିବାକୁ ମନସ୍ଥ କରିଥିବା ବେଳେ ଅନ୍ୟ ପ୍ରଯୋଜକମାନେ ମଧ୍ୟ ରାଜାମୌଲିଙ୍କ ପଦାଙ୍କ ଅନୁସରଣ କରିବାକୁ ଯୋଜନା କରିଥିଲେ। ତେବେ ଫିଲ୍ମ ସୁଟିଂ ସାରି ଫେରିବା ପରେ ରାଜାମୌଲିଙ୍କ ଗୋଟିଏ ପୋଷ୍ଟ ସମସ୍ତଙ୍କ ମନରେ ନୈରାଶ୍ୟ ଖେଳାଇ ଦେଇଛି। ଏହାଦ୍ୱାରା ଓଡ଼ିଶାର ଲାଭ ହେଲା କି କ୍ଷତି, ତାହା ସମୟ କହିବ। ମାତ୍ର ରାଜାମୌଲି ଯେଉଁ ସାର କଥାଟି ଉଠାଇଛନ୍ତି ତାହା ଅତ୍ୟନ୍ତ ଉଦ‌୍‌ବେଗଜନକ, ଚିନ୍ତାଜନକ। ତେବେ ଏହା ଆଜିର ସମସ୍ୟା ନୁହେଁ। ବରଂ ବର୍ଷ ବର୍ଷ ଧରି ଦେଓମାଳି ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଅବହେଳିତ ହୋଇ ରହିଆସିଛି। ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ବସି ମନ୍ତ୍ରୀ ଓ ବାବୁମାନେ ମାଳମାଳ ଯୋଜନା କରୁଛନ୍ତି। କେତେବେଳେ ଏଠାରେ ବିବାହ ଉତ୍ସବ ଆୟୋଜନ କରିବାକୁ ତ ଆଉ କେବେ ବିଭିନ୍ନ ପ୍ରକାର କ୍ରୀଡ଼ା ସୁବିଧା ଉପଲବ୍ଧ କରିବାକୁ ଘୋଷଣା କରୁଛନ୍ତି। ତେବେ ସବୁ କିଛି ଯୋଜନାରେ ହିଁ ଅଟକି ଯାଉଛି। ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଆୟ କରୁଥିଲେ ମଧ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ଏହି ଅଞ୍ଚଳ ପ୍ରତି ଅଧିକାରୀମାନେ ଆଖି ବୁଜି ଦେଇଛନ୍ତି। ଏହା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ସୁଦ୍ଧା ପର୍ଯ୍ୟଟନ ବିଭାଗର ନିରବତା ଅନେକ ପ୍ରଶ୍ନ ସୃଷ୍ଟି କରିଛି।  

ସୁଟିଂ ସାରି ଫେରିବା ପରେ ରାଜାମୌଲି ସାମାଜିକ ଗଣାମାଧ୍ୟମରେ ଦେଓମାଳି ପର୍ବତର ଅବସ୍ଥା ଦେଖି ବିଚଳିତ ଥିବା ପୋଷ୍ଟ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଦେଓମାଳି ପର୍ବତ ଉପରେ ଚଢ଼ି ପ୍ରକୃତିର ନୈସର୍ଗିକ ଦୃଶ୍ୟ ଦେଖି ମୁଁ ବିଭୋର। ତେବେ ପର୍ବତ ଶିଖରରେ କୁଢ଼କୁଢ଼ ଆବର୍ଜନା ଚିନ୍ତାଜନକ। ଏହି ପର୍ବତର ସୁରକ୍ଷା ଲାଗି ପର୍ଯ୍ୟଟକମାନେ ସେମାନଙ୍କର ବର୍ଜ୍ୟ ପଦାର୍ଥ ଅନ୍ୟତ୍ର ଫୋପାଡ଼ିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଗୋଟିଏ ଅର୍ଥରେ କହିବାକୁ ଗଲେ ଦେଓମାଳି ପର୍ବତ ଶିଖରରେ ପ୍ଲାଷ୍ଟିକ ସାମଗ୍ରୀ ଏଣେତେଣେ ପଡ଼ିବା ଯୋଗୁଁ ପ୍ରାକୃତିକ ପରିବେଶର ଅବକ୍ଷୟ ଘଟୁଛି ବୋଲି ନିର୍ଦ୍ଦେଶକ ରାଜାମୌଲି କହିଛନ୍ତି।

ରାଜାମୌଲିଙ୍କ ପୋଷ୍ଟ କି ବାର୍ତ୍ତା ଦେଉଛି?
ରୋଜଗାର କରୁଛି ବନ ବିଭାଗ, ଖର୍ଚ୍ଚ କରୁନି
ଯୁଆଡେ ଚାହିଁବ ପ୍ଲାଷ୍ଟିକ, ପଲିଥିନ୍ ଗଦା
ଫିଲ୍ମ ନିର୍ମାଣ ପାଇଁ ଆଉ ପ୍ରଯୋଜକ ଆସିବେ ତ?

ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚରେ ଥିବା ଦେଓମାଳି ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଆସିଛି। ଆନ୍ଧ୍ର-ଓଡ଼ିଶା ବିବାଦ ମଧ୍ୟରେ କୋରାପୁଟର ପଟାଙ୍ଗୀ ବ୍ଲକ୍‌ରେ ଥିବା ଏହି ପର୍ବତମାଳା ସବୁବେଳେ ଆନ୍ଧ୍ର ନଜରରେ ରହିଆସିଛି। କୋଟିଆ ସହ ଦେଓମାଳି ଉପରେ ବି ଲେଲୁପଦୃଷ୍ଟି ପକାଇଛି ପଡ଼ୋଶୀ। ତେଣୁ ଏହାର ବିକାଶ ସହ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବାକୁ ରାଜ୍ୟ ସରକାର ସବୁବେଳେ କହୁଛନ୍ତି। ହେଲେ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ଯୁଆଡେ ଚାହିଁଲେ କେବଳ ଆବର୍ଜନା ହିଁ ଆବର୍ଜନା। ପାହାଡ଼ର ପ୍ରବେଶ ପଥରୁ ଆରମ୍ଭ କରି ଶିଖର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଶହଶହ ପ୍ଲାଷ୍ଟିକ ବୋତଲ ପଡ଼ିରହିଛି। ଅନେକ ସ୍ଥାନରେ ମଦ ବୋତଲ ଗଡ଼ୁଛି। ଏଠାରେ ଅନୈତିକ କାର୍ଯ୍ୟ ହେଉଥିବାର ଅନେକ ପ୍ରମାଣ ‘ସମ୍ବାଦ’ ହାତରେ ଲାଗିଛି। ଦେଓମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ପାଇଁ ଛଅଟି ଶିଖର ଦୃଶ୍ୟ (ଭିୟୁ ପଏଣ୍ଟ) ନିର୍ମାଣ ହୋଇଥିଲେ ମଧ୍ୟ ତାହାର ଅବସ୍ଥା ନ କହିବା ଭଲ। କେଉଁଠି ଭାଙ୍ଗି ଯାଇଛି ତ ଆଉ କେଉଁଠି ମଦ ବୋତଲ ଗଡ଼ୁଛି। ସ୍ଥାନେ ସ୍ଥାନେ ଏଭଳି ଅସଭ୍ୟ ଶବ୍ଦ ଲେଖା ଯାଇଛି, ତାକୁ ନ ଦେଖିଲେ ବିଶ୍ୱାସ କରି ହେବନାହିଁ।

କୋଟିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ଏଠାରେ କମ୍ପୋଷ୍ଟ ପିଟ୍‌ ନିର୍ମାଣ କରାଯାଇଛି। ଜୈବିକ ବର୍ଜ୍ୟବସ୍ତୁ, ଅଣଜୈବ ବିଘଟନଶୀଳ ବର୍ଜ୍ୟବସ୍ତୁ ଓ କ୍ଷତିକାରକ ବର୍ଜ୍ୟବସ୍ତୁ ପକାଇବାକୁ ୩ଟି ପିଟ୍‌ ରହିଥିଲେ ସୁଦ୍ଧା ତାହାର ବ୍ୟବହାର ହେଉ ନାହିଁ। ପିଟ୍‌ରେ କେବଳ ନିକଟରେ ଥିବା ଦୋକାନର ଆବର୍ଜନା ପଡୁଛି। ତାହା ବି ଏବେ ଭର୍ତ୍ତି ହୋଇଯାଇଛି। ପାହାଡ଼ ଉପରେ ପାଖାପାଖି ୪ କିଲୋମିଟର ପର୍ଯ୍ୟନ୍ତ ପର୍ଯ୍ୟଟକ ବ୍ୟବହାର କରୁଥିଲେ ମଧ୍ୟ ଆବର୍ଜନା ପକାଇବାକୁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇ ନାହିଁ। କଟେଜ୍‌ ନିର୍ମାଣ କରି ଜଙ୍ଗଲ ବିଭାଗ ଯେଉଁଠୁ ଆୟ କରୁଛି ସେଠାକାର ପରିବେଶକୁ ସ୍ୱଚ୍ଛ ରଖିଛି। ଫିଲ୍ମ ସୁଟିଂ ପରେ ରାଜମୌଲି ଓ ଅଭିନେତା ମହେଶ ବାବୁ ସେଠାରେ ଗଛ ଲଗାଇଛନ୍ତି। ସେହି ଫଟୋକୁ ସେୟାର କରି ବନ ବିଭାଗ ବାହାବା ନେବାକୁ ଉଦ୍ୟମ କରିଥିବା ବେଳେ ସାମାଜିକ ଗଣମାଧ୍ୟମରେ ରାଜମୌଲିଙ୍କ ପୋଷ୍ଟ ଏଠାକାର ପ୍ରକୃତ ଚିତ୍ରକୁ ସାମନାକୁ ଆଣିଛି। ଏତେ ବଡ଼ ପାହଡ଼ ହୋଇଥିଲେ ମଧ୍ୟ ଗଛ ଶୂନ୍ୟ। ବଣଭୋଜି, ପାହାଡ଼ ଚଢା ଓ ପରିବାର ସହିତ ଭ୍ରମଣ ପାଇଁ ଏ ସ୍ଥାନଟି ଉପଯୋଗୀ ହୋଇଥିବାରୁ ପ୍ରତିଦିନ ଶହଶହ ସଂଖ୍ୟାରେ ଗାଡ଼ି ପ୍ରବେଶ କରୁଛି। ଏ ବାବଦରେ ଅର୍ଥ ଆଦାୟ କରାଯାଉଥିଲେ ସୁଦ୍ଧା ତାହାର ସୁବିନିଯୋଗ ହେଉ ନଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି। ପର୍ଯ୍ୟଟକଙ୍କୁ ସଚେତନ କରିବାକୁ ଯେଉଁଭଳି କାର୍ଯ୍ୟକ୍ରମ କରାଯିବା କଥା, ପ୍ରଶାସନ ପକ୍ଷରୁ ସେଭଳି ପଦକ୍ଷେପ ନିଆଯାଇ ନାହିଁ। ଏମିତି ଚାଲିଲେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ନଷ୍ଟ ହୋଇଯିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe