ପୁଣି ମାତିଲେଣି ବାଲି ମାଫିଆ: ଉତ୍ତୋଳନ ଓ ଚୋରାଚାଲାଣ ଜୋର୍‌ଦାର୍‌, ବାଲିଘାଟରେ ହେଉନି ଚଢ଼ଉ, ସରକାରୀ ଅଧିକାରୀଙ୍କ ସିଡିଆର୍‌ ଯାଞ୍ଚ ହେଉ

ଦିନକୁ ୬ କୋଟି ଏବଂ ମାସକୁ ହାରାହାରି ୨୦୦ କୋଟି ଟଙ୍କାର ବାଲି ଚୋରାଚାଲାଣ। ବର୍ଷବର୍ଷ ଧରି ବାଲି ମାଫିଆମାନେ ଏହି ଚୋରା କାରବାର କରୁଥିଲେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା।

fgfgffgbcv

ଜଳେଶ୍ୱର: ଦିନକୁ ୬ କୋଟି ଏବଂ ମାସକୁ ହାରାହାରି ୨୦୦ କୋଟି ଟଙ୍କାର ବାଲି ଚୋରାଚାଲାଣ। ବର୍ଷବର୍ଷ ଧରି ବାଲି ମାଫିଆମାନେ ଏହି ଚୋରା କାରବାର କରୁଥିଲେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା। ତେବେ, ଗତମାସ ୨୦ ତାରିଖ ରାତିରୁ ୨୧ ତାରିଖ ମଧ୍ୟାହ୍ନ ଯାଏଁ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠାରୁ ଜମାଳପୁର ବାଇପାସ୍ ମଧ୍ୟରେ ଜଳେଶ୍ୱର ତହସିଲଦାର, ଖଣି ବିଭାଗ ମିଳିତ ଭାବେ ଚଢ଼ଉ କରି ବାଲି ଚୋରାଚାଲାଣ କରୁଥିବା ୮୫ଟି ଡମ୍ପର ମାଲିକଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଇଥିଲେ। ଏହାପରେ ମାଫିଆମାନେ ବାଲି ଉତ୍ତୋଳନ ପାଇଁ ଘାଟ ମାଡ଼ୁନଥିଲେ। ତେବେ, ଏହାର କିଛିଦିନ ବ୍ୟବଧାନରେ ପୁଣିଥରେ ବାଲି ଉତ୍ତୋଳନ ସହିତ ଚୋରାଚାଲାଣ ଜୋର୍‌ଦାର୍‌ ହୋଇଛି। 

ଜଳେଶ୍ୱର ତହସିଲ ଅଧୀନ ମହମ୍ମଦନଗର ପାଟଣା, ବେଲପାଳ ଓ ସେକସରାଇ ବାଲିଘାଟରୁ ପୁଣି ବାଲି ଉତ୍ତୋଳନ ଜୋର୍‌ଦାର୍‌ ହୋଇଛି। ମାଫିଆମାନେ ଚତୁରତାର ସହିତ ବାଲି ଉତ୍ତୋଳନ ସମୟ ବଦଳାଇ ଦେଇଛନ୍ତି। ଦିନରେ ସରକାରୀ ଅଫିସ୍‌ଗୁଡ଼ିକ ଖୋଲା ରହୁଥିବାରୁ ସନ୍ଧ୍ୟା ୭ଟାରୁ ବାଲି ଉତ୍ତୋଳନ ଆରମ୍ଭ ହୋଇ ପରଦିନ ସକାଳ ୭ଟା ଯାଏଁ ଚାଲୁଛି। ବାଲି ଉତ୍ତୋଳନ କାମରେ ୨ଟି ବଡ଼ ଜେସିବି, ଗୋଟିଏ ଛୋଟ ଜେସିବି, ଶହେ ପାଖାପାଖି ଲୌହ ନିର୍ମିତ ଡଙ୍ଗା ଓ ଦୁଇ ଶହ ପାଖାପାଖି ଶ୍ରମିକ ନିୟୋଜିତ ରହୁଛନ୍ତି। କୁହାଯାଉଛି, ମହମ୍ମଦନଗର ପାଟଣା, ବେଲପାଳ ଓ ସେକସରାଇ ଗାଁରେ ଏବେ ମୋଟ ୪ଟି ଗୋଷ୍ଠୀ ବାଲି ଉତ୍ତୋଳନ କରୁଛନ୍ତି। ଏଥିପାଇଁ ସୁବର୍ଣ୍ଣରେଖା ନଦୀବନ୍ଧ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ପାଖାପାଖି ୩୦ଟି ଡମ୍ପରରେ ବାଲି ବୋହି ନେଇ ଏହାର ମାଷ୍ଟର୍‌ମାଇଣ୍ଡ କୁହାଯାଉଥିବା ରାଜସ୍ବ ବିଭାଗର ଜଣେ ପଦାଧିକାରୀଙ୍କ ଘରବାରି ଓ ଏମ୍‌ଏନ୍‌ପାଟଣା ନୂଆ ଶିବମନ୍ଦିର ନିକଟରେ ଗଚ୍ଛିତ ରଖାଯାଉଛି। ପରେ ସୁଯୋଗ ଦେଖି ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଡମ୍ପରରେ  ପଶ୍ଚିମବଙ୍ଗକୁ ବାଲି ଚାଲାଣ ହେଉଛି।  ଅନ୍ୟପକ୍ଷରେ,ପ୍ରାଶାସନିକ କାର୍ଯ୍ୟାନୁଷ୍ଠାନର ଆଗୁଆ ସୂଚନା ପାଇଁ ମାଫିଆମାନେ ସରକାରୀ ଗାଡ଼ିର ଚାଳକ ତଥା ଅନ୍ୟ ଅଧିକାରୀଙ୍କୁ ହାତକରି କରି ଏଭଳି ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ଏଥିପାଇଁ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। କାହିଁକି ସମ୍ପୃକ୍ତ  ଅଧିକାରୀ ଓ କର୍ମଚାରୀଙ୍କ କଲ୍ ଡିଟେଲ୍‌ସ ରେକର୍ଡ (ସିଡିଆର୍‌) ଯାଞ୍ଚ କରାଯାଉନି? ବାଲି ଉତ୍ତୋଳନ ସମୟରେ ବାଲିଘାଟ ଉପରେ କାହିଁକି ଜିଲ୍ଲା ପ୍ରଶାସନ ଚଢ଼ଉ କରୁନି? ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଡମ୍ପରଗୁଡିକ ଖୋଲାଖୋଲି ବାଲି ଚାଲାଣ କରୁଥିଲେ ମଧ୍ୟ ଏହା ଉପରେ କାହିଁକି ଧରପଗଡ଼ କରାଯାଉନି? ଏହିଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe