ଉପକଣ୍ଠରେ ବାଲି ମାଫିଆଙ୍କ ରାଜ୍‌: ପ୍ରଦୂଷଣରେ ନୟାନ୍ତ ଲୋକ

Advertisment
ଉପକଣ୍ଠରେ ବାଲି ମାଫିଆଙ୍କ ରାଜ୍‌: ପ୍ରଦୂଷଣରେ ନୟାନ୍ତ ଲୋକ

ୱାଇ-ଫର୍ମରେ ଜାଲିଆତି କରି ହଜାର ହଜାର ଟ୍ରିପ୍‌ ବାଲି ଚୋରି
ରାସ୍ତାରେ ଚାଖଣ୍ଡ ଉଚ୍ଚାର ବାଲିଗଦା, ବଢ଼ୁଛି ଦୁର୍ଘଟଣା

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଚାଲିଛି ବାଲିମାଫିଆଙ୍କ ରାଜ୍‌। ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଦୈନିକ ହଜାର ହଜାର ଟ୍ରିପ୍‌ ବାଲି ଚୋରା ଚାଲଣ କରାଯାଉଛି। ନା ଅଛି ପ୍ରଶାସନକୁ ଭୟ, ନା ଅଛି ସରକାରୀ ନିୟମକୁ ଖାତିର। ଖୁଲମଖୁଲା ଦିନରାତି ଚୋରି ହେଉଛି ଲଘୁ ଖଣିଜ ପଦାର୍ଥ। ରାଜସ୍ବ ଓ ପ୍ରଦୂଷଣ ନିୟମକୁ ଫୁ’ କରି ଲୋକଙ୍କ ଜୀବନକୁ ବିପଦ ମୁହଁକୁ ‌ଠେଲିଦେଇ ମାଫିଆ ଲୁଟିବାରେ ଲାଗିଛନ୍ତି। ଭୁବନେଶ୍ବର ଉପକଣ୍ଠରେ ଥିବା ନଦୀଗୁଡ଼ିକର ପ୍ରାୟ ୩୦ରୁ ଅଧିକ ସ୍ଥାନରୁ ବାଲି ଚୋରା ଚାଲଣ କରାଯାଉଛି।

ରାଜସ୍ବ ଆଦାୟ ଲକ୍ଷ୍ୟରେ ପ୍ରତି ପାଞ୍ଚ ବର୍ଷକୁ ସରକାର ବାଲିଘାଟଗୁଡ଼ିକୁ ନିଲାମ କରୁଛନ୍ତି। ନିଲାମଧାରୀମାନେ ସରକାରଙ୍କ ସମସ୍ତ ସର୍ତ୍ତକୁ ପାଳନ କରିବାକୁ ଚୁକ୍ତି କରିବା ପରେ ବାଲି ଖନନ ପାଇଁ ଅନୁମତି ମିଳୁଛି। ହେଲେ ଆରମ୍ଭରୁ ହିଁ ନିଲାମଧାରୀ ସବୁ ନିୟମକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ନିଲାମଧାରୀ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେଇ ବାଲି ଖନନ କରିବେ, ତାର ସମ୍ପୂର୍ଣ୍ଣ ତଥ୍ୟ ଓଡ଼ିଶା ମାଇନର୍‌ ମିନେରାଲ୍‌ କନସେସନ୍‌ ରୁଲ୍‌ର୍ସ -୨୦୧୬ରେ ଦିଆଯାଇଛି। ବିଶେଷକରି ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପ୍ରତିରୋଧ ଆଇନ ଅନୁସାରେ, ବାୟୁ ଓ ଜଳ ପ୍ରଦୂଷଣ କିପରି ନହେବ, ସେଥିପ୍ରତି ନିଲାମଧାରୀ ଅଧିକ ଯତ୍ନବାନ ହେବା କଥା। କିନ୍ତୁ ନିଲାମଧାରୀ ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ସବୁ ନିୟମ ଚୁଲିକୁ ଗଲାଣି।

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ତହସିଲ ଅଧୀନ କୁଆଖାଇ ନଦୀର ଟଙ୍କପାଣି ବ୍ରିଜ୍‌ ନିକଟରେ ଥିବା ବାଲିଘାଟକୁ ଉଦାହରଣକୁ ନିଆଯାଇପାରେ। ଜଣେ ରାଜସ୍ବ ଅଧିକାରୀଙ୍କ କହିବା ଅନୁସାରେ, ନଦୀବନ୍ଧଠାରୁ ଶହେ ମିଟର ଦୂରରୁ ଏବଂ ବ୍ରିଜ୍‌ଠାରୁ ୫୦୦ ମିଟର ଦୂରରୁ ବାଲି ଖୋଳାଯିବା କଥା। କିନ୍ତୁ ନଦୀବନ୍ଧ ଓ ବ୍ରିଜ୍‌ ପାଖରୁ ହଜାର ହଜାର ଟ୍ରିପ୍‌ ବାଲି ଖୋଳା ଯାଉଛି। ବାଲିଘାଟରେ ୨ ମିଟର ଗଭୀର ଯାଏ ବାଲି ଖୋଳା ଯିବା କଥା। ୨ ମିଟର ଭିତରେ ଯଦି ପାଣି ପଡ଼େ, ତେବେ ସେଠାରେ ହିଁ ଖୋଳିବା ବନ୍ଦ ହେବ। କିନ୍ତୁ ଏହି ଘାଟରେ ବଡ଼ବଡ଼ ମେସିନ୍‌ ଲଗାଯାଇ ପ୍ରାୟ ୩୦ଫୁଟ୍‌ ଗଭୀରରୁ ବାଲି ଖୋଳା ଯାଉଛି।

ଆଉ ଏକ ସମସ୍ୟା ହେଲା, ପାଣି ମିଶା ବାଲି ହାଇୱା, ଟ୍ରାକ୍ଟର୍‌ ଦ୍ବାରା ଚାଲାଣ କରାଯାଉଥିବା ଯୋଗୁଁ ରାସ୍ତାରେ ବାଲି ପଡ଼ି ପଡ଼ି ଯାଉଛି। ଫଳରେ ରାସ୍ତା ଉପରେ ଚାଖଣ୍ଡ ବହଳର ବାଲି ଗଦା ହେଉଛି। ରାସ୍ତା କଡ଼ରେ ମଧ୍ୟ ପାହାଡ଼ ଭଳି ବାଲି ଗଦା ହୋଇ ପରିବେଶ ପ୍ରଦୂଷଣ ସହ ଯାତାୟାତରେ ବାଧା ଉପୁଜୁଛି। ରାସ୍ତାରୁ ବାଲି ଉଠା ଯାଉନାହିଁ। ଫଳରେ ପ୍ରବଳ ମାତ୍ରାରେ ଧୂଳି ଉଡ଼ି ଯାତାୟାତରେ ବାଧା ସୃଷ୍ଟି ହେଉଛି। ସେହିପରି ହାଇୱାରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ପରିମାଣର ବାଲି ବୁହାଯାଉଛି। ହାଇୱା ଉପରେ ଜରି ଘୋଡ଼ା ଯାଉନଥିବା ଯୋଗୁଁ ରାସ୍ତାରେ ବାଲି ଉଡ଼ୁଛି।

ଅନେକ ସମୟରେ ଏଥିପାଇଁ ଦୁର୍ଘଟଣା ଘଟୁଛି। କିନ୍ତୁ ରାଜସ୍ବ ବିଭାଗ, ପ୍ରଦୂଷଣ ବୋର୍ଡ, ପରିବହନ ବିଭାଗ ସବୁ ଦେଖି ଆଖି ବୁଜି ଦେଇଛନ୍ତି। କୁଆଖାଇ ନଦୀ ସମେତ କୁଶଭଦ୍ରା, ଭାର୍ଗବୀ ନଦୀରେ ଥିବା ବାଲିଘାଟ ନିଲାମଧାରୀମାନେ ପ୍ରତିଦିନ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି। ହେଲେ ସଂପୃକ୍ତ ବାବୁମାନେ ନିଜ ପକେଟ୍‌ ଗରମ କରି ମାଫିଆଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍‌ କରିବାକୁ ଛାଡ଼ି ଦେଉଛନ୍ତି।

ଏନେଇ ଝିଣ୍ଟି ଶାସନ ପଞ୍ଚାୟତ ଅଞ୍ଚଳର ଲକ୍ଷ୍ମୀଧର ଜେନା ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ଏହାର ନକଲ ଜିଲ୍ଲାପାଳ, ଉପଜିଲ୍ଲପାଳ ଏବଂ ବାଲିଅନ୍ତା ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ହେଲେ ଉଭୟ ଜିଲ୍ଲା ଏବଂ ତହସିଲ ପ୍ରଶାସନ ପକ୍ଷରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଜାଲ୍‌ ୱାଇ ଫର୍ମରେ ରାଜସ୍ବ ଲୁଟ୍‌

ରାଜସ୍ବ ଲୁଟ୍‌ ପାଇଁ ବାଲି ମାଫିଆମାନେ ବ୍ୟବହାର କରୁଛନ୍ତି ଜାଲ୍‌ ୱାଇ-ଫର୍ମ। ବାଲିଘାଟ ନିଲାମଧାରୀଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ୱାଇଫର୍ମ ଦିଆଯାଇଥାଏ। ଏଥିରେ ବାଲିଘାଟର ନାମ, ଗାଡ଼ି ନମ୍ବର, ତାରିଖ, ସମୟ ଏବଂ କେଉଁ ସ୍ଥାନକୁ ବାଲି ଯିବ, ତା’ର ସମ୍ପୂର୍ଣ୍ଣ ବିବରଣୀ ରହିଥାଏ। କିନ୍ତୁ ରାଜସ୍ବ ଲୁଟ୍‌ କରିବା ପାଇଁ ଗୋଟିଏ ୱାଇ-ଫର୍ମରେ ଏକାଧିକଥର ବାଲି ଚାଲାଣ କରାଯାଉଛି। ଚଞ୍ଚକତାର ସହ ଗାଡ଼ିକୁ ଦିଆଯାଉଥିବା ୱାଇଫର୍ମକୁ ପୂରଣ କରାଯାଉନାହିଁ। ବିଶେଷକରି ସମୟ ଓ ତାରିଖ ଲେଖାଯାଉନାହିଁ। ଫଳରେ ଗୋଟିଏ ୱାଇଫର୍ମରେ ଶହଶହ ଟ୍ରିପ୍‌ ବାଲି ଚାଲାଣ କରାଯାଉଛି। ଯାଞ୍ଚ ସମୟରେ, ତାରିଖ ସମୟ ଲେଖିବାକୁ ମନେ ନଥିବା କହି ଖସି ଯାଉଛନ୍ତି। କିଛି ଗାଡ଼ି ଅଧିକାରୀଙ୍କୁ ଦେଖି ସଙ୍ଗେସଙ୍ଗେ ତାରିଖ ଓ ସମୟ ଲେଖୁଛନ୍ତି।

ଆଉ କିଛି ନିଲାମଧାରୀ ରାଜସ୍ବ ବିଭାଗ ୱାଇଫର୍ମ ଭଳି ଅବିକଳ ଫର୍ମ ତିଆରି କରି ବାଲିଚାଲାଣ କରୁଥିବା ହାଇୱାକୁ ଦେଉଛନ୍ତି। ଆମ ପ୍ରତିନିଧି ଆଜି ଟଙ୍କପାଣି ବ୍ରିଜ୍‌ ଉପରେ ଯାଉଥିବା ଏକ ହାଇୱା‌କୁ ୱାଇଫର୍ମ ସଂପର୍କରେ ପଚାରିବାରୁ ସେ ହଡବଡ଼େଇ ଯାଇଥିଲେ। ହେଲ୍‌ପର୍‌ଜଣଙ୍କ ତୁରନ୍ତ ଫର୍ମରେ ତାରିଖ ଓ ସମୟ ଲେଖିବାରେ ଲାଗିଥିଲେ। ନାମ ଗୋପନ ରଖି କହିଥିଲେ ଯେ ଆମେ ଆଜ୍ଞା କ’ଣ କରିବୁ। ଗାଡ଼ି ମାଲିକ ଓ ଘାଟବାଲାଙ୍କ କଥାରେ ଆମକୁ କାମ କରିବାକୁ ପଡ଼ୁଛି। ନମାନିଲେ ଚାକିରି ଚାଲିଯିବ। ତେଣୁ ବାଧ୍ୟ ହୋଇ ପାଟି ବନ୍ଦ କରିବାକୁ ପଡ଼ୁଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe