ରାତିଅଧରେ ବାଲି ମାଫିଆଙ୍କ ଦାଦାଗିରି: ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ହତ୍ୟା ଧମକ, ଗାଡ଼ି ଭାଙ୍ଗିଲେ, ଭିଡିଓ ଉତ୍ତୋଳନ କଲେ

ସବୁ ସୀମା ସରହଦ ଟପିଗଲେଣି ବାଲି ମାଫିଆ। ବାଲି ଚୋରିକୁ ବିରୋଧ କଲେ ଖଣି ଅଧିକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ନିକଟରେ ବାଲେଶ୍ବରରେ ଏମିତି ଏକାଧିକ ଘଟଣା ଘଟିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ.....

dadzxzxxz

ଜଳେଶ୍ୱର: ସବୁ ସୀମା ସରହଦ ଟପିଗଲେଣି ବାଲି ମାଫିଆ। ବାଲି ଚୋରିକୁ ବିରୋଧ କଲେ ଖଣି ଅଧିକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ନିକଟରେ ବାଲେଶ୍ବରରେ ଏମିତି ଏକାଧିକ ଘଟଣା ଘଟିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଜଳେଶ୍ବର ଅଞ୍ଚଳରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସଦସ୍ୟଙ୍କୁ ମାଫିଆମାନେ ହତ୍ୟା ଧମକ ଦେବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।

ଜଳେଶ୍ୱର ଥାନା ଅଧୀନ ଏମ୍‌ଏନ୍‌ପାଟଣା ଗାଁ ନିକଟ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶିତ ହୋଇଥିଲା। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି ବାଲି ମାଫିଆ ଚାଳନ୍ତି ଗାଁ ଆମ୍ବବାଗାନ ନିକଟ ସୁବର୍ଣ୍ଣରେଖା ନଦୀପଠାକୁ ଏବେ ନୂଆ ଠିକଣା ବନାଇଛନ୍ତି। ସେଠାରୁ ବେଧଡ଼କ ବାଲି ଉତ୍ତୋଳନ କରାଯାଉଛି। ବାଲେଶ୍ୱର ଜିଲ୍ଲା ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀଙ୍କ ନିର୍ଦ୍ଦେଶରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଜଳେଶ୍ୱର କନିଷ୍ଠ ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ ଓ ବସ୍ତା କନିଷ୍ଠ ଖଣି ଅଧିକାରୀ ସତ୍ୟଚିନ୍ମୟ ଜେନା ଏନ୍‌ଫୋର୍ସମେଣ୍ଟ ଟିମ୍ ସହ ଚାଳନ୍ତି ନଦୀଘାଟରେ ଚଢ଼ଉ କରିଥିଲେ। ତେବେ ତା’ ପୂର୍ବରୁ ମାଫିଆମାନେ ନଦୀପଠାରୁ ମେସିନ୍‌ ସହ ଟ୍ରାକ୍ଟର୍ ଓ ଡମ୍ପର୍‌ ଧରି ସେଠାରୁ ଚମ୍ପଟ ମାରିଥିଲେ। ଏନ୍‌ଫୋର୍ସମେଣ୍ଟ ଟିମ୍‌ ଫେରିବା ବେଳେ ଚାଳନ୍ତି ଗାଁ ନିକଟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଏକ ବାଇକ୍‌ ରଖି ବାଟ ଅବରୋଧ କରିଥିଲେ। ଡ୍ରାଇଭର୍‌ ଗାଡ଼ି ରଖିବା କ୍ଷଣି ୧୦ରୁ ୧୫ ଜଣ ବାଲି ମାଫିଆ ଗାଡ଼ିକୁ ଘେରିଯାଇଥିଲେ। ଦୁଇ ଖଣି ଅଧିକାରୀଙ୍କ ସହ ଟିମ୍‌ର ୪ ଜଣ ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଠେଙ୍ଗା ଓ ପଥରରେ ଗାଡ଼ିକୁ ଭାଙ୍ଗିଥିଲେ। ଏମିତିକି ଟିମ୍‌ ସଦସ୍ୟଙ୍କ ଭିଡିଓ ଓ ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ। ଏନ୍‌ଫୋର୍ସମେଣ୍ଟ ଟିମ୍‌ କୌଣସି ପ୍ରକାରେ ଜଳେଶ୍ୱର ପୁଲିସ ସହ ଯୋଗାଯୋଗ କରିଥିଲା। ହେଲେ ପୁଲିସ ପହଞ୍ଚିଥିଲା ବେଳକୁ ମାଫିଆ ଅନ୍ତର୍ଦ୍ଧାନ ହୋଇ ସାରିଥିଲେ। ଏ ନେଇ ଖଣି ଅଧିକାରୀ ଶ୍ରୀ ଦାସ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ଯାଏଁ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିଲା।

ଉଲ୍ଲେଖଥାଉକି; ଚଳିତ ବର୍ଷ ଏପ୍ରିଲ୍ ୭ ତାରିଖ ବିଳମ୍ବିତ ରାତିରେ ବାଲେଶ୍ବରର ୩ ଜଣ ସହକାରୀ ଖଣି ଅଧିକାରୀ ଖନ୍ତାପଡ଼ାଠାରେ ଏକ ବେଆଇନ ପଥର ବୋଝେଇ ଡମ୍ପର୍‌କୁ ଅଟକାଇଥିଲେ। ଏହି ସମୟରେ ୨୦ରୁ ଅଧିକ ପଥର ମାଫିଆ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ସେହିପରି ଗତ ୧୦ ତାରିଖ ଦିନ ରେମୁଣା ଅଞ୍ଚଳରେ ଜିଲ୍ଲା କନିଷ୍ଠ ଖଣି ଅଧିକାରୀଙ୍କ ସହ ଡିଏସ୍‌ଏ ଓ ଗାଡ଼ି ଡ୍ରାଇଭର୍‌ଙ୍କୁ ବାଲି ମାଫିଆମାନେ ନିସ୍ତୁକ ପିଟିଥିଲେ। କେବଳ ସେତିକି ନୁହେଁ, ଅତୀତରେ ବାଲେଶ୍ବର ଉପଜିଲ୍ଲାପାଳ ମଧ୍ୟ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ମୟୂରଭଞ୍ଜରେ ମଧ୍ୟ ବାଲି ଓ ପଥର ମାଫିଆ ସକ୍ରିୟ ଅଛନ୍ତି। ଗତ ଜୁନ୍‌ ୨ ତାରିଖରେ ବାଲି ମାଫିଆମାନେ କପ୍ତିପଦାର ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ସହ ତାଙ୍କ କାର୍‌ ଭାଙ୍ଗି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe