The News Minute
ଭୁବନେଶ୍ବର : ଆଜି (ଶୁକ୍ରବାର)ଠାରୁ ସ୍କୁଲ ଖୋଲିବ। ୧୧ ଦିନିଆ ଗ୍ରୀଷ୍ମ ଛୁଟି ପରେ ପୁଣିଥରେ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ କରାଯିବ। ପୂର୍ବ ଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଏବଂ ଅପରାହ୍ନ ସାଢେ଼ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଏବଂ ୨୦୨୨-୨୩ ଶିକ୍ଷାବର୍ଷ ଠିକ୍ ଭାବେ ପରିଚାଳିତ ହୋଇପାରିବ, ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ ଅଧିକ ଦାୟିତ୍ବ ନ୍ୟସ୍ତ ହୋଇଛି। ଠିକ୍ ଢାଞ୍ଚାରେ ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ଯେପରି ୨୦୨୩ ମାର୍ଚ୍ଚ ମାସ ମଧ୍ୟରେ ଶେଷ ହେବ, ତାହାକୁ ନେଇ ଯୋଜନା ପ୍ରସ୍ତୁତ କରିବେ।
ସ୍କୁଲ ଖୋଲିବାର ପ୍ରଥମ ଦିନ ହିଁ ପ୍ରଧାନ ଶିକ୍ଷକମାନେ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ଟାଇମ୍ ଟେବୁଲ, ଲେସନ୍ ପ୍ଲାନ/ଲେସନ୍ ନୋଟ୍ ଆଦି ପ୍ରସ୍ତୁତ କରିବେ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ଏଫ୍ଏଲଏନ୍ ଓ ୪ର୍ଥରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ଏଲ୍ଇପି ବହିକୁ ପାଠ୍ୟପୁସ୍ତକ ସହ ଦିଆଯିବ। ପାଠ୍ୟପୁସ୍ତକ ସହ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିବ, ପ୍ରଧାନଶିକ୍ଷକମାନେ ତାହାର ଦାୟତ୍ବ ନେବେ। ପ୍ରତି ଶ୍ରେଣୀରେ ବିଷୟ ଅନୁଯାୟୀ, ଟାଇମ୍ ଟେବୁଲ୍ ଝୁଲା ହେବ। ଏଣ୍ତ ଲାଇନ୍ ଟେଷ୍ଟରେ କମ୍ ମାର୍କ ରଖିଥିବା ପିଲାଙ୍କ ଉପରେ ସମ୍ପୃକ୍ତ ବିଷୟର ଶିକ୍ଷକମାନେ ଅଧିକ ଗୁରୁତ୍ବ ଦେବେ। ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିଥିବେ, ସେମାନଙ୍କ ଲାଗି କ୍ରିଏଟିଭ୍ ୱାକିଂ, କୁଇଜ୍, ବକ୍ତୃତା ପରି କାର୍ଯ୍ୟକ୍ରମ କରାଯାଇ ଜ୍ଞାନ ବୃଦ୍ଧି କରାଯାଇ ପାରିବ। ଗ୍ରୁପ୍ ଅନୁଯାୟୀ ଶିକ୍ଷାଦାନକୁ ପ୍ରାଥମିକତା ଦିଆଯିବ। ପ୍ରଧାନ ଶିକ୍ଷକମାନେ କ୍ଲାସ ସୁପରଭିଜନ୍ କରିବେ ଏବଂ ତାହାକୁ ରେଜିଷ୍ଟର୍ରେ ରଖିବା ସହ ଶିକ୍ଷକଙ୍କୁ ଜଣାଇବେ।
Follow Us