ଦ୍ବିତୀୟ କୁସୁମା ଆଣ୍ଠେଇଛି: କଣ୍ଟିଗଡ଼ିଆ ବଡ଼ପୋଖରୀ ପାଇଁ ପର୍ଯ୍ୟଟନ ବିଭାଗର ୧୦ କୋଟି ମଞ୍ଜୁର

ଖର୍ଚ୍ଚର ହିସାବ ପ୍ରଶାସନ ଦେଇପାରୁନି

କୁସୁମାର ବିବାଦୀୟ ଆଲିସାନ୍ ବଙ୍ଗଳା ପୌରସଂସ୍ଥା ଅଧୀନରେ ଅଛି

Telegraph India

ଯାଜପୁର/କଣ୍ଟିଗଡ଼ିଆ: ଯାଜପୁର ସହରର କୁସୁମା ଶିଶୁ ଉଦ୍ୟାନରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ଧର୍ମଶାଳା ଭବନ ପରିସରର ବଲ୍ଲେ ବଲ୍ଲେ ଢାବାକୁ ନେଇ ଓଡ଼ିଶା ପଡ଼ୁଛି ଉଠୁଛି। ଏବେ ପ୍ରସ୍ତାବିତ ଦ୍ବିତୀୟ କୁସୁମାକୁ ନେଇ ରୋଚକ ତଥ୍ୟ ପଦାକୁ ଆସିଲାଣି। ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କଣ୍ଟିଗଡ଼ିଆ ପୋଖରୀକୁ ଦ୍ବିତୀୟ କୁସୁମା କରିବାକୁ ରାଜ୍ୟ ସରକାର ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ହେଲେ ଏହା କେଉଁ ବାଟରେ ଖର୍ଚ୍ଚ ହୋଇଛି ତାହାର ହିସାବ ଅଧିକାରୀମାନଙ୍କ ନିକଟରେ ନାହିଁ। ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ କେନ୍ଦ୍ରାପଡ଼ା ଯିବା ବାଟରେ ରହିଛି ଧର୍ମଶାଳା ବ୍ଲକ୍‌ କଣ୍ଟିଗଡିଆ ପଞ୍ଚାୟତର ବଡ଼ପୋଖରୀ। ଏହାକୁ କୁସୁମା ଢାଞ୍ଚାରେ ବିକାଶ କରିବା ପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ପର୍ଯ୍ୟାୟରେ ୧୦କୋଟି ଟଙ୍କା ମଞ୍ଜୁର କରିଛି। ପ୍ରକଳ୍ପ କାମ ଅଧା ହୋଇପଡ଼ିଛି। ସରକାରୀ ତଥ୍ୟ ମୁତାବକ କେବଳ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୧୯-୨୦ ଆର୍ଥିକ ବର୍ଷରେ କଣ୍ଟିଗଡ଼ିଆ ବଡ଼ପୋଖରୀ ପୁନଃରୁଦ୍ଧାର ଓ ପାରିପାର୍ଶ୍ୱିକ ବିକାଶ ପାଇଁ ୧ କୋଟି ଟଙ୍କା, ୨୦୨୦-୨୧ରେ ୩ କୋଟି ଟଙ୍କା ଓ ୨୦୨୩-୨୪ରେ ୬କୋଟି ଟଙ୍କା ମଞ୍ଜୁର କରିଛି। ଧର୍ମଶାଳା ବ୍ଲକ୍ ପ୍ରଶାସନ ଜରିଆରେ ଏହି କାମ ତ୍ବରାନ୍ବିତ କରାଯାଇଛି। କଣ୍ଟିଗଡ଼ିଆ ପୋଖରୀକୁ ଦ୍ବିତୀୟ କୁସୁମା କରିବା ପାଇଁ ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ତତ୍କାଳୀନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅଧିକାରୀମାନଙ୍କୁ ନେଇ ଘଟଣାସ୍ଥଳ ପରିଦର୍ଶନ କରି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ। ଏହି ପ୍ରକଳ୍ପ ଯାଜପୁର ସହିତ ପଡ଼ୋଶୀ ଜିଲ୍ଲାର ଲୋକଙ୍କୁ ଆକର୍ଷିତ କରିବ ବୋଲି ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ରାଠୋର ସାମ୍ବାଦିକମାନଙ୍କୁ କହିଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ପ୍ରକଳ୍ପରେ କେତେ ଟଙ୍କା, କେଉଁ ବାଟରେ ବ୍ୟୟ ହୋଇଛି ତାହାର ତଥ୍ୟ ଅଧିକାରୀମାନଙ୍କ ନିକଟରେ ନାହିଁ।

ଧର୍ମଶାଳା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚରାଯିବାରେ ଏହି ପ୍ରକଳ୍ପ ବ୍ଲକ୍ ଦ୍ବାରା କରାଯାଉନାହିଁ ବୋଲି କହିଥିଲେ। ତେବେ ଅଧିକ ତଥ୍ୟ ଦିଆଯିବାରୁ କାଗଜପତ୍ର ଦେଖି କହିବି ବୋଲି ଶ୍ରୀ ବଳ କହିଛନ୍ତି। ଚଣ୍ଡିଖୋଲ ନିକଟରେ ଥିବା ଚଣ୍ଡୀମନ୍ଦିର ଝରଣା ଓ ମହାବିନାୟକ ପର୍ଯ୍ୟଟନସ୍ଥଳ ଆବଶ୍ୟକ ଅନୁଦାନ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ବିଶ୍ବ ପ୍ରସିଦ୍ଧ ବୌଦ୍ଧବିହାର ହୀରକ ତ୍ରିଭୁଜ ରକ୍ଷଣାବେକ୍ଷଣ ଅଭାବରୁ କୀର୍ତ୍ତିରାଜି ନଷ୍ଟ ହେବାକୁ ବସିଛି। ଜିଲ୍ଲା ପ୍ରଶାସନ ଏଥିପାଇଁ ଅନୁଦାନ ବ୍ୟବସ୍ଥା କରିପାରୁ ନଥିବା ବେଳେ ବଲ୍ଲେ ବଲ୍ଲେ ଢାବା, କୁସୁମାରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ଦ୍ବିତୀୟ କୁସୁମା ନିର୍ମାଣ ପାଇଁ ଯୋଜନା ହୋଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe