Advertisment

ବାଲେଶ୍ବରରେ ବିଜେପି ଜିତିବା ପଛର ରହସ୍ୟ: ବିଜେଡି ଅନ୍ତଃକନ୍ଦଳ, କଂଗ୍ରେସର ନିଷ୍କ୍ରିୟତା!

Advertisment

ଲେଖାଶ୍ରୀ, ଶ୍ରୀକାନ୍ତ ପରାଜୟ ପଛରେ ଅତ୍ୟଧିକ ଆତ୍ମବିଶ୍ବାସ

ଲେଖାଶ୍ରୀ, ଶ୍ରୀକାନ୍ତ ପରାଜୟ ପଛରେ ଅତ୍ୟଧିକ ଆତ୍ମବିଶ୍ବାସ

ବାଲେଶ୍ବରରେ ବିଜେପି ଜିତିବା ପଛର ରହସ୍ୟ: ବିଜେଡି ଅନ୍ତଃକନ୍ଦଳ, କଂଗ୍ରେସର ନିଷ୍କ୍ରିୟତା!

Sambad English

ବାଲେଶ୍ବର: ବାଲେଶ୍ବର ଲୋକସଭା ଆସନରେ ପ୍ରତାପ ଷଡ଼ଙ୍ଗୀ ଏବଂ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ଆସନରେ ବିଜେପି ପ୍ରାର୍ଥୀ ଜିତିବା ପଛରେ ଦୁଇଟି କାରଣ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଉଛି। ଗୋଟିଏ ହେଉଛି, ବିଜେଡିର ଅନ୍ତଃକନ୍ଦଳ ଓ ଅନ୍ୟଟି କଂଗ୍ରେସର ନିଷ୍କ୍ରିୟତା। ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡ ଅତ୍ୟନ୍ତ ନିରୁତ୍ସାହଜନକ ଏବଂ ତାଙ୍କ କାର୍ଯ୍ୟକାଳରେ ବାଲେଶ୍ବର ସଂସଦୀୟ କ୍ଷେତ୍ରରେ କୌଣସି ଆଖିଦୃଶିଆ ବିକାଶ ହୋଇନଥିବା ଅଭିଯୋଗ ଆଣି ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଫାଇଦା ନେବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ଏହାସତ୍ତ୍ବେ ବି ଏହା ଭୋଟର୍‌ଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା। ରାଜନୈତିକ ସମୀକ୍ଷକଙ୍କ ମତ‌ରେ, ବିଜେଡିର ଅନ୍ତଃକନ୍ଦଳ ଊଣାଅଧିକ ଦାୟୀ। ବାଲେଶ୍ବର ସଦର ଓ ରେମୁଣା ନିର୍ବାଚନମଣ୍ଡଳୀରେ ବିଜେଡି ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ, ଅହିନକୁଳ ସଂପର୍କ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଥିଲା। ସଦର ବିଧାୟକଙ୍କ ବିରୋଧରେ ଏକାଧିକ ସମାନ୍ତରାଳ ଗୋଷ୍ଠୀ ମୁଣ୍ଡ ଟେକିବା ବେଳେ ଦଳୀୟ କର୍ମୀ ମଧ୍ୟ ପୃଥକ୍‌ ଗୋଷ୍ଠୀରେ ସାମିଲ ହୋଇ ନିଆଁରେ ଘିଅ ଢାଳିଥିଲେ। ସେହିପରି, ଦଳୀୟ ଟିକେଟ୍‌ ବଣ୍ଟନକୁ ନେଇ ମଧ୍ୟ ବିଜେଡି ନେତା ଭାଗ ଭାଗ ହୋଇ ଯାଇଥିଲେ। ସୋର, ସିମୁଳିଆ ଓ ରେମୁଣା ଆସନରେ ନୂଆ ପ୍ରାର୍ଥୀ ଦେଇଥିଲା ଦଳ। ସେପଟେ ନୀଳଗିରିରେ ବାରମ୍ବାର ଦଳ ବଦଳାଉଥିବା ନେତାଙ୍କୁ ଟିକେଟ୍‌ ଦେବା ବିଜେଡି ପାଇଁ ମହଙ୍ଗା ପଡ଼ିଲା ଓ ବିଜେପିକୁ ପ୍ରକାରାନ୍ତରେ ବିଜୟୀ ହେବାକୁ ବାଟ ଖୋଲିଦେଇଥିଲା। ସେହିପରି, ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଅତ୍ୟଧିକ ଆତ୍ମବିଶ୍ବାସ ବି ମହଙ୍ଗା ପଡ଼ିଲା କୁହାଯାଉଛି।

ଦ୍ବିତୀୟ କାରଣ ହେଉଛି କଂଗ୍ରେସର ନିଷ୍କ୍ରିୟତା। କଂଗ୍ରେସରୁ ଶ୍ରୀକାନ୍ତ ଜେନା ସାଂସଦ ପ୍ରାର୍ଥୀ ହେବାପରେ ରାଜନୈତିକ ସମୀକରଣ ବଦଳିବ ବୋଲି ଅନେକ ଭାବିଥିଲେ। ହେଲେ, ସେମିତି କିଛି ହେଲାନି। ଦୀର୍ଘବର୍ଷ ଧରି ଜିଲ୍ଲାବାସୀଙ୍କଠାରୁ ଦୂରେଇ ରହିବା, ନିର୍ବାଚନ ପ୍ରଚାରକୁ ଆଖିଦୃଶିଆ କରି ନପାରିବା, ବିଧାନସଭା କ୍ଷେତ୍ରରେ ଦୁର୍ବଳ ପ୍ରାର୍ଥୀ, ଅର୍ଥାଭାବ ଓ ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ରଣନୀତିର ଅଭାବ କଂଗ୍ରେସକୁ ଏକପ୍ରକାର ପଛକୁ ଠେଲି ଦେଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲୋକସଭା ଆସନରେ ହେଭିୱେଟ୍‌ ଶ୍ରୀ ଷଡ଼ଙ୍ଗୀ ଦ୍ବିତୀୟ ଥର ନିର୍ବାଚିତ ହୋଇଥିବା ବେଳେ ବାଲେଶ୍ବର ସଦର ଆସନରୁ ମାନସ କୁମାର ଦତ୍ତ, ରେମୁଣାରୁ ଗୋବିନ୍ଦଚନ୍ଦ୍ର ଦାସ, ନୀଳଗିରିରୁ ସନ୍ତୋଷ ଖଟୁଆ ଓ ସିମୁଳିଆ ଆସନରୁ ଭେଟେରାନ୍ ପଦ୍ମଲୋଚନ ପଣ୍ଡା ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe