ଶ୍ରୀମନ୍ଦିର ସୁରକ୍ଷାରେ ଘଳିଆ: ଶ୍ରୀମନ୍ଦିରରେ ପଶିଗଲେ ୬ ବାଂଲାଦେଶୀ

ଥାନାରେ ଅଟକ, ପାସ୍‌ପୋର୍ଟ ଜବତ

ଶ୍ରୀମନ୍ଦିର ସୁରକ୍ଷାରେ ଘଳିଆ: ଶ୍ରୀମନ୍ଦିରରେ ପଶିଗଲେ ୬ ବାଂଲାଦେଶୀ

ପୁରୀ: ଶ୍ରୀମନ୍ଦିରର ସମସ୍ତ ପ୍ରକାର ସୁରକ୍ଷା ବଳୟ ଭେଦ କରି ୬ ଜଣ ବାଂଲାଦେଶୀ ମୁସଲମାନମାନେ ଆଜି ସିଂହଦ୍ବାର ଦେଇ ଗର୍ଭଗୃହରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ ସେମାନେ ପଲିଥିନ୍‌ରେ ମହାପ୍ରସାଦ ମଧ୍ୟ କିଣିଛନ୍ତି। ସେବାୟତମାନଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ତିନି ଜଣ ମୁସ୍‌ଲିମ୍‌ ବ୍ୟକ୍ତି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କରୁଥିଲେ। ସେମାନଙ୍କ ବେଶଭୁଷା ଦେଖି ସନ୍ଦେହ ହେବାରୁ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା କରିବାରେ ସେମାନେ ବାଂଲାଦେଶରୁ ଆସି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ମାନିଥିଲେ। ତାଙ୍କ ସହ ଆସିଥିବା ଅନ୍ୟ ୫ ଜଣ ମୁସ୍‌ଲିମ୍‌ ଓ ଜଣେ ହିନ୍ଦୁ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ଦେଇଥିଲେ। ସେବାୟତମାନେ ଏହି ବାଂଲାଦେଶୀ ମସ୍‌ଲିମ୍‌ମାନଙ୍କୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ। ଏହି ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର, ସିଂହଦ୍ବାର ଥାନା ଆଇଆଇସି ଶ୍ବେତପଦ୍ମା ଦାଶ ଥାନାକୁ ଆସି ଅଟକ ମୁସଲମାନମାନଙ୍କୁ ପଚରାଉଚରା ଚଳାଇଛନ୍ତି। ସେମାନଙ୍କ ନିକଟରୁ ମନସୁର ରେହେମାନ ଖାନ୍‌(୬୪)ଙ୍କର ପାସ୍‌ପୋର୍ଟ ମଧ୍ୟ ପୁଲିସ ଜବତ କରିଛି। ସେମାନେ ରହିଥିବା ହୋଟେଲକୁ ଯାଇ ପୁଲିସ ଅନ୍ୟ ବାଂଲାଦେଶୀମାନଙ୍କର ପାସ୍‌ପୋର୍ଟକୁ ଜବତ କରିଛି।

ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଏସି ଟନେଲଠାରୁ କଡ଼ା ବ୍ୟବସ୍ଥା ଆରମ୍ଭ ହୋଇଛି। ମାଳମାଳ ପୁଲିସ ଓ ସ୍କାନର୍‌(ମେଟାଲ ଡିଟେକ୍ଟର)ରେ ଯାଞ୍ଚ ବ୍ୟବସ୍ଥାକୁ ଅତିକ୍ରମ କରି ଏହି ବାଂଲାଦେଶୀ ମୁସ୍‌ଲିମ୍‌ମାନେ ସିଂହଦ୍ବାର ଦେଇ ପ୍ରବେଶ କରିଥିଲେ। ଆରମ୍ଭରୁ ‌ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ‌ଏତେ ସଂଖ୍ୟକ ପୁଲିସର କଡ଼ା ନଜର ରହିଥିବା ବେଳେ ଏହା ଆଜି ସମ୍ପୁର୍ଣ୍ଣ ଫେଲ୍‌ ମାରିଛି। କିନ୍ତୁ ସେବାୟତମାନେ ଆଜି ଏହି ମୁସ୍‌ଲିମ୍‌ମାନଙ୍କୁ ଶ୍ରୀମନ୍ଦିରରୁ ବାହାରିବା ପରେ ଚିହ୍ନଟ କରିଛନ୍ତି। ଏହି ଘଟଣା ଆଜି ନୂଆ ନୁହେଁ। ଗତ ଜାନୁଆରୀ ୮ ତାରିଖ ଇସ୍‌କନ୍‌ ଧର୍ମାବଲମ୍ବୀ ଜଣେ ବିଦେଶିନୀ ମହାପ୍ରଭୁଙ୍କ ଦର୍ଶନ କରି ଶ୍ରୀମନ୍ଦିରରୁ ମହାପ୍ରସାଦ ନେଇ ଫେରିବା ବେଳେ ତାଙ୍କୁ ଚିହ୍ନଟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe