ପୁରୀ ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ ସେବକ: ‘ଶଙ୍କରାଚାର୍ଯ୍ୟ, ଗଜପତି କାହିଁକି ନିରବ?’

Advertisment
ପୁରୀ ପ୍ରସଙ୍ଗରେ ମୁହଁ ଖୋଲିଲେ ବରିଷ୍ଠ ସେବକ: ‘ଶଙ୍କରାଚାର୍ଯ୍ୟ, ଗଜପତି କାହିଁକି ନିରବ?’

ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ଓ ରୋଷଘର ଚୁଲି ଭଙ୍ଗା ଘଟଣାରେ ମୁହଁ ଖୋଲିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବକ ଦାମୋଦର ମହାସୁଆର। ଏହି ପ୍ରସଙ୍ଗରେ ଶ୍ରୀ ମହାସୁଆର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହି ଦୁଇ ପ୍ରସଙ୍ଗ ସମ୍ବେଦନଶୀଳ ହୋଇଥିବା ବେଳେ କାହିଁକି ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ନିରବ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ପ୍ରତି ଏତେ ବଡ଼ ବିପଦ ଆସିଥିଲେ ବି ଶଙ୍କରାଚାର୍ଯ୍ୟ ଓ ଗଜପତି ନିରବ ରହିବା, ସେବାୟତ ସମାଜକୁ ମର୍ମାହତ କରୁଛି ବୋଲି ସେ କହିଛନ୍ତି। ଶ୍ରୀ ମହାସୁଆର କହିଛନ୍ତି, ଶ୍ରୀମନ୍ଦିର ରୋଷଘରେ ୪୩ଟି ଚୁଲି ଭାଙ୍ଗି ଦିଆଗଲା। ସ୍ବୟଂ ମହାଲକ୍ଷ୍ମୀଙ୍କ ଚୁଲି ଭାଙ୍ଗି ଦିଆଗଲା କହିଲେ ଅତ୍ୟୁକ୍ତି ହେବନି। ସାରା ଦେଶରେ ଏହାକୁ ନେଇ ତମ୍ବିତୋଫାନ ହେଉଛି। ସେପଟେ ଶ୍ରୀମନ୍ଦିର ଚାରିପଟ ଖୋଳି ଦିଆଗଲାଣି।

ଏହା ଶ୍ରୀମନ୍ଦିର ପ୍ରତି ବିପଦ ବୋଲି କୁହାଯାଉଛି। କିନ୍ତୁ ଶଙ୍କରାଚାର୍ଯ୍ୟ ଧାର୍ମିକ ଗୁରୁ ହୋଇ ବି ଏ ଦିଗରେ ନିରବ ରହିଛନ୍ତି। ଗଜପତି ମହାରାଜ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ହୋଇ ବି ନିରବ ରହିଛନ୍ତି। ଶ୍ରୀ ମହାସୁଆର ଅଭିଯୋଗ କରି କହିଛନ୍ତି, ପୂର୍ବରୁ ମହାପ୍ରଭୁଙ୍କ ଯେଉଁ ରଥଖଳା ରହିଥିଲା, ସେଠି ଆଜି ଗଜପତି ମହାରାଜଙ୍କ ଆପାର୍ଟମେଣ୍ଟ ଠିଆ ହୋଇଛି। ୪୦ ବର୍ଷ ତଳେ ଆପାର୍ଟମେଣ୍ଟ ଜାଗାରେ ରଥଖଳା ରହିଥିଲା। ଆଜି ଶ୍ରୀମନ୍ଦିର ୭୫ ମିଟର ପରିଧିରେ ଘର ଭଙ୍ଗା ଗଲା, କିନ୍ତୁ ୧୦୦ ମିଟର ପରିଧିରେ ଭଙ୍ଗାଗଲାନି। କାହିଁକି ନା ୧୦୦ ମିଟର ପରିଧିରେ ଗଜପତି ମହାରାଜଙ୍କ ଘର ଆସୁଛି। ଏଣୁ ଗଜପତି ଆଜି ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲୁନାହାନ୍ତି। ମଠ ଜମି ଆଜି ଦେବୋତ୍ତର ବିଭାଗ ଅଧୀନରେ ରହିଛି। କିନ୍ତୁ ଶଙ୍କରାଚାର୍ଯ୍ୟଙ୍କ ମଠ ଯେଉଁ ଜମିରେ ରହିଛି, ତାକୁ ସ୍ବତନ୍ତ୍ର ମାନ୍ୟତା ମିଳିଛି। ଉଭୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ସମ୍ମାନଜନକ ପଦରେ ବସିଛନ୍ତି। ଦୁଇଜଣଙ୍କ ମନ୍ତବ୍ୟ ଅନେକ ଗୁରୁତ୍ବ ବହନ କରୁଛି। ଜଗତଗୁରୁ ହେଉଛନ୍ତି ଧାର୍ମିକ ଗୁରୁ। ତେଣୁ ତାଙ୍କୁ ଆମେ ମାନି ଆସୁଛୁ ଓ ତାଙ୍କ ପରାମର୍ଶକୁ ମାନି ଚଳୁଛୁ। କିନ୍ତୁ ଶଙ୍କରାଚାର୍ଯ୍ୟ ବି ସରକାରଙ୍କ ବିରୋଧରେ ମୁହଁ ଖୋଲୁନାହାନ୍ତି କି କୌଣସି ପରାମର୍ଶ ଦେଉନାହାନ୍ତି। ଏଭଳି ସ୍ଥିତିରେ ଶ୍ରୀମନ୍ଦିରର ବିବାଦୀୟ ପ୍ରସଙ୍ଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ଦିଗରେ ଉଭୟ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ମୁହଁ ଖୋଲିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe