ଅଧିବେଶନ ସରିଲା, ଅନେକ ଦ୍ବନ୍ଦ୍ବ ରହିଗଲା

Advertisment
ଅଧିବେଶନ ସରିଲା, ଅନେକ ଦ୍ବନ୍ଦ୍ବ ରହିଗଲା

NewsOnAIR

ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ): ମହାନଦୀ ପ୍ରସଙ୍ଗରେ ବିଜେଡି ବିଧାୟକ ଗର୍ଜିଲେ। ପର ଦିନ ବିଜେପି ଓ କଂଗ୍ରେସ ବିଧାୟକ ଅସନ୍ତୋଷ ଓଗାରିଲେ। ଗୃହ ଅଚଳ ବି ହେଲା। ବାଚସ୍ପତି କହିଲେ, ବ୍ୟୟମଞ୍ଜୁରି ବିଲ୍‌ ପାରିତ ‌ହେଲା ପରେ ମହାନଦୀ ପ୍ରସଙ୍ଗ‌ରେ ସ୍ବତନ୍ତ୍ର ଆଲୋଚନା ହେବ। କିନ୍ତୁ ଆଲୋଚନା ହେଲାନି, ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବା ଦିନ ହିଁ ବିଧାନସଭା ଅଧିବେଶନ ଆଗୁଆ ବନ୍ଦ ହୋଇଗଲା। ମହାନଦୀ ପରି ଏକ ସଙ୍ଗୀନ ପ୍ରସଙ୍ଗରେ କାହିଁକି ଆଲୋଚନା ହେଲାନି, ତାହା ଉତ୍ତର ଦେବାକୁ କେହି ଉଚିତ ମଣିଲେନି। ମହାନଦୀ ପ୍ରତି ବିଧାୟକମାନଙ୍କ ଆନ୍ତରିକତା ନେଇ ରାଜ୍ୟବାସୀ ଦ୍ବନ୍ଦ୍ବରେ ରହିଲେ।

ନୂଆପଡ଼ା ଜିଲ୍ଲାର ବୋଡ଼େନ୍‌ ଥାନାରେ ଆଦିବାସୀଙ୍କ ଉପରେ ପୁଲିସ୍ ଅମାନୁଷିକ ଭାବେ ଅତ୍ୟାଚାର କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହେଲା। ଗୋଟିଏ ପଟେ ନିରୀହ ଆଦିବାସୀଙ୍କୁ ମାଓବାଦୀ ଭୟଭୀତ କରାଉଥିଲା ବେଳେ ଅନ୍ୟ ପଟେ ପୁଲିସ ଦାଉ ସାଧୁଛି। କଂଗ୍ରେସ ସଭ୍ୟମାନେ ପ୍ରସଙ୍ଗଟି ଉଠାଇ ହୋହଲ୍ଲା କଲେ। ବାଚସ୍ପତି ଏହାକୁ ଅନୁଧ୍ୟାନ କରି ରୁଲିଂ ଦେବେ ବୋଲି କହିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ‌ରୁଲିଂ ଆସିଲା ନାହିଁ। ସମସ୍ତେ ଅନ୍ଧାରରେ ରହିଲେ।

ମହାନଦୀ ଆଲୋଚନା ଅଟକିଗଲା
ସ୍ବାଧିକାର ଭଙ୍ଗ ନୋଟିସ୍‌ ସମ୍ପର୍କରେ ନିିଷ୍ପତ୍ତି ଝୁଲିଲା
କେନ୍ଦ୍ରାପଡ଼ା, କୋଇଡ଼ା ସମ୍ପର୍କରେ ଉତ୍ତର ମିଳିଲାନି
ଗୃହକୁ ଆସିଲେନି ପ୍ରଦୀପ୍ତ, ସୂର୍ଯ୍ୟ, ରଘୁ, ବିଜୟଶଙ୍କର

କେନ୍ଦ୍ରାପଡ଼ା ପୋଲ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି କଂଗ୍ରେସ ସଭ୍ୟ ପାଟିତୁଣ୍ଡ କଲେ। ସରକାରଙ୍କୁ ବାଚସ୍ପତି ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଦାବି କଲେ। ସରକାର ଏହି ପ୍ରସଙ୍ଗରେ ଆବଶ୍ୟକ ଅନୁଧ୍ୟାନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର କି ଅନୁଧ୍ୟାନ କ‌ଲେ ଓ କି ପଦକ୍ଷେପ ନେଲେ, ତାହା ଗୃହକୁ ଆଉ ଅବଗତ କରାଗଲା ନାହିଁ। ସାଧାରଣ ଜନତା ଜାଣିପାରିଲେନି ପୋଲ ଭୁଶୁଡ଼ିବା ପଛର ସତ କ’ଣ?

publive-image

କୋଇଡ଼ା ବିଡିଓଙ୍କୁ ନେଇ ଆହୁରି ଅଦ୍ଭୂତ ସ୍ଥିତି। ବିଡିଓଙ୍କ ଆଚରଣ ଓ କାର୍ଯ୍ୟକଳାପକୁ ନେଇ ଗୃହରେ ସଙ୍ଗୀନ୍ ଅଭିଯୋଗ ଆସିଲା। ବିଜେପି, କଂଗ୍ରେସ ଓ ସିପିଆଇ(ଏମ୍‌) ସଭ୍ୟ ଏକାଠି ହୋଇ ବିଡିଓଙ୍କ ବଦଳି ଦାବି କଲେ। ଗୃହ ଉଠିଲା ପଡ଼ିଲା। ବାର ବାର ମୁଲତବୀ ହେଲା। ସରକାର ଆବଶ୍ୟକ ଅନୁଧ୍ୟାନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଲେ। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ସରକାର ଆବଶ୍ୟକ ବିଚାର କରିବେ ବୋଲି କହିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ କି ବିଚାର ହେଲା, ତାହା ଜଣାପଡ଼ିଲାନି। ଦ୍ବନ୍ଦ୍ବ ରହିଗଲା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦୁଇ ଥର ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ। ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଥରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ। ଆଉ ଥରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ। କିନ୍ତୁ ଅଧିବେଶନ ଶେଷ ପର୍ଯ୍ୟନ୍ତ ଏହି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେ କି ନାହିଁ, ତାହା ଗୃହରେ ସ୍ପଷ୍ଟ ହେଲା ନାହିଁ। ସାଧାରଣ ଜନତାଙ୍କ ଦ୍ବନ୍ଦ୍ବ ଦୂର ହେଲା ନାହିଁ।
୪ଟି କାର୍ଯ୍ୟଦିବସ ବାକି ଥାଇ ବିଧାନସଭାର ବଜେଟ୍‌ ଅଧିବେଶନ ଶେଷ ହୋଇଛି। ମୋଟ୍‌ ୨୩ଟି କାର୍ଯ୍ୟଦିବସରେ ସୀମିତ ରହିଲା ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ଥିଲେ ମଧ୍ୟ ଏମିତି ଅନେକ ଦ୍ବନ୍ଦ୍ବ ଛାଡ଼ି ଦେଇଛି। ଅଧିବେଶନକୁ ଆରମ୍ଭରୁ ନଜରରେ ରଖିଥିବା ସଚେତନ ନାଗରିକମାନଙ୍କ ମଧ୍ୟରେ ଉଠୁଥିବା ସନ୍ଦେହଗୁଡ଼ିକୁ କେହି ଦୂର କରିପାରିନାହାନ୍ତି।  ବିଧାନସଭାରେ ପ୍ରସଙ୍ଗ ଉଠି ଗୃହ ସରଗରମ ହେଲା ପରେ ତାହାର ନିଷ୍କର୍ସ ସାଧାରଣ ଜନତାଙ୍କ ପାଖରେ ନ ପହଞ୍ଚିବା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଛିଦ୍ରକୁ ଦର୍ଶାଉଛି ବୋଲି ମତପ୍ରକାଶ ପାଉଛି।

ବିଧାନସଭା ଅଧିବେଶନ ଅନେକ ଦୃଷ୍ଟିରୁ ଥିଲା ସ୍ବତନ୍ତ୍ର। ବର୍ତ୍ତମାନର ସରକାରଙ୍କର ଏହା ଥିଲା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍। କାରଣ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ କାମଚଳା ବଜେଟ୍‌ ହିଁ ଆସିବ। ତେଣୁ ଏହି ଶେଷ ବଜେଟ୍‌କୁ ଲୋକାଭିମୁଖୀ କରିବାକୁ ସରକାର ଯଥାସମ୍ଭବ ଚେଷ୍ଟା କରିଥିଲେ। ବଜେଟ୍‌ର ଆକାର ୨ ଲକ୍ଷ ୩୦ ହଜାର କୋଟିକୁ ଛୁଇଁଯାଇଥିଲା।

ଏହି ଅଧିବେଶନରେ ଆରମ୍ଭରୁ ଶେଷ ଦିନ ଯାଏ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଗୃହକୁ ଆଚ୍ଛାଦିତ କରି ରଖିଥିଲା। ଏହି ପ୍ରସଙ୍ଗକୁ ବିରୋଧୀ ନିୟମିତ ଭାବେ ଉଠାଇ ସରକାରଙ୍କୁ ଅକଳରେ ପକାଇବାକୁ ଚେଷ୍ଟା କରିଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଓ ପରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲେ ମଧ୍ୟ ବିରୋଧୀ ସନ୍ତୁଷ୍ଟ ହୋଇ ନଥିଲେ। ଶେଷ ପର୍ଯ୍ୟନ୍ତ ବିଜେପି ସିବିଆଇ ତଦନ୍ତ ଦାବିରେ ଓ କଂଗ୍ରେସ ଏସ୍‌ଆଇଟି ତଦନ୍ତ ଦାବିରେ ଅଟଳ ରହିଥିଲେ। ବିରୋଧୀ ବାରମ୍ବାର ଗୋଟିଏ ପ୍ରସଙ୍ଗ ଉଠାଇ ବାଚାଳାମିର ପରିଚୟ ଦେଉଛନ୍ତି ବୋଲି ଶାସକ ଦଳ ବି ଆକ୍ଷେପ କରିଥିଲେ।

publive-image

ଆଉ ଗୋଟିଏ ପ୍ରସଙ୍ଗ ବି ଏକାଧିକ ବାର ଗୃହରେ ଉଠିଥିଲା। ତାହା ହେଉଛି ୫-ଟି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୫-ଟିର ଅସ୍ତିତ୍ବକୁ ନେଇ ପ୍ରଶ୍ନ କରି ଶାସକ ଦଳକୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରିଥିଲେ। ଶାସକ ଦଳ ବି ତାହାର କଡ଼ା ଜବାବ ଦେଇଥିଲା। ତାହା ପରେ ମଧ୍ୟ ବିଭିନ୍ନ ସମୟରେ ଶ୍ରୀ ମିଶ୍ର ୫-ଟି ବ୍ୟବସ୍ଥାକୁ ଛିଗୁଲାଇଥିଲେ। ବିଜେପିର ଅନ୍ୟ ସଦସ୍ୟମାନେ ମଧ୍ୟ ଆଲୋଚନା ପ୍ରସଙ୍ଗରେ ୫-ଟିକୁ ସମାଲୋଚନା କରିବାକୁ ପଛାଉ ନଥିଲେ।

କିଛି ପ୍ରସଙ୍ଗରେ ଶାସକ ଓ ବିରୋଧୀ ମୁହଁାମୁହିଁ ହୋଇଥିଲେ। ବିରୋଧୀ ଦଳ ପକ୍ଷରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ଡାକ୍ତର ଅଭାବ, ଧାନର ଅଭାବୀ ବିକ୍ରି, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ନକଲି ସାର୍ଟିଫିକେଟ୍‌ ରାକେଟ୍, କଳିଙ୍ଗ ନଗର ଅପପୁଷ୍ଟି, ଡ୍ରାଇଭର୍‌ ଆନ୍ଦୋଳନ ଆଦି ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରାଯାଇଥିଲା। ଶାସକ ଦଳ ପକ୍ଷରୁ ମଧ୍ୟ ରେଳବାଇ ଅବହେଳା, ୫ କେଜି ଚାଉଳ କଟାଯିବା, ଚାଉଳ ନ ଉଠିବା, ଆବାସ ଯୋଜନାରେ ହକ୍ ନ ମିଳିବା, ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ବିଳମ୍ବ ହେବା, କୋଟିଆ ବିବାଦରେ କେନ୍ଦ୍ର ସମାଧାନର ବାଟ ବାହାର ନ କରିବା ଆଦି ପ୍ରସଙ୍ଗ ଉଠାଯାଇ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଥିଲା। ଅଧିବେଶନର ବିଭିନ୍ନ ସମୟରେ ଅଫିସର୍‌ମାନଙ୍କ ଅହଙ୍କାର, ଗୋଟିଏ ଗୋଟିଏ ପଦବିରେ ଅଫିସର୍ ବହୁ ଦିନ ଧରି ରହିବା, ବୁକ୍ ସର୍କୁଲାର୍-୪୭ ନ ମାନିବା ଆଦି ପ୍ରସଙ୍ଗରେ ମଧ୍ୟ ଗୃହ ସରଗରମ ରହିଥିଲା।

ତଥାପି ବାଚସ୍ପତିଙ୍କ ଗୃହ ପରିଚାଳନା ଅନେକ ଦୃଷ୍ଟିରୁ ପ୍ରଶଂସନୀୟ ଥିଲା। ବିଶେଷ କରି ଆଲୋଚନାରେ ଅଧିକରୁ ଅଧିକ ବିଧାୟକଙ୍କୁ ସୁଯୋଗ ଦେବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ। ଏପରିକି ପ୍ରଶ୍ନକାଳ କିମ୍ବା ଶୂନ୍ୟକାଳରେ କୌଣସି ବିଧାୟକ ଅଧିକ ସମୟ କହୁଥିଲେ ତାଙ୍କୁ ବାଚସ୍ପତି ବାରଣ କରୁଥିଲେ। ଶୂନ୍ୟକାଳରେ କିଛି ନିର୍ଦ୍ଦିଷ୍ଟ ବିଧାୟକ ବାରମ୍ବାର କହିବାକୁ ଚାହୁଥିବାରୁ ଅନ୍ୟମାନେ ସୁଯୋଗ ପାଉ ନାହାନ୍ତି ବୋଲି କହି ବାଚସ୍ପତି ଅସନ୍ତୋଷ ଜାହିର୍ କରିଥିଲେ। କିଛି ପ୍ରସଙ୍ଗ ଉପରେ ତତ୍‌କାଳ ନିଷ୍ପତ୍ତି ନେଇ ଗୃହ ପରିଚାଳନାରେ ନିଜର ଅଭିଜ୍ଞତା ଦେଖାଇବାରେ ବାଚସ୍ପତି ସକ୍ଷମ ହୋଇଥିଲେ।

ଏହି ଅଧିବେଶନରେ ଚାରି ଜଣ ସଦସ୍ୟ ଆଦୌ ଗୃହକୁ ଆସି ନଥିଲେ। ଅସୁସ୍ଥତା ପାଇଁ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଗୃହ କାର୍ଯ୍ୟରେ ଯୋଗ ଦେଇ ପାରି ନଥିଲେ। ବାଚସ୍ପତି ପଦ ଗଲା ପରେ ଗତ ତିନିଟି ଅଧିବେଶନ ହେଲା ଶ୍ରୀ ପାତ୍ର ଗୃହକୁ ଆସୁ ନାହାନ୍ତି। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ମଧ୍ୟ ଚଳିତ ଅଧିବେଶନରେ ଗୃହକୁ ଆସି ନାହାନ୍ତି। ବିବାଦ ଯୋଗୁ ସେ ଦୂରେଇ ରହିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe