ଲୋମହର୍ଷକ ଯାଯାବର ଗଣହତ୍ୟାର ପର୍ଦ୍ଦାଫାସ: ୬ ଗିରଫ, ମାଷ୍ଟରମାଇଣ୍ଡ୍‌ ମହିଳା ଫେରାର

Advertisment

୨୨ ଦିନର ଝାଳବୁହା କସରତ ପରେ ସୁନ୍ଦରଗଡ଼ କରମଡ଼ିହି ଗୀତାପଡ଼ାରେ ସଂଘଟିତ ବହୁଚର୍ଚ୍ଚିତ ଯାଯାବର ଗଣହତ୍ୟ‌‌ା ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସୁନ୍ଦରଗଡ଼ ସଦର ଥାନା ପୁଲିସ ଗିରଫ...

୨୨ ଦିନର ଝାଳବୁହା କସରତ ପରେ ସୁନ୍ଦରଗଡ଼ କରମଡ଼ିହି ଗୀତାପଡ଼ାରେ ସଂଘଟିତ ବହୁଚର୍ଚ୍ଚିତ ଯାଯାବର ଗଣହତ୍ୟ‌‌ା ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସୁନ୍ଦରଗଡ଼ ସଦର ଥାନା ପୁଲିସ ଗିରଫ...

fsfshhfshf

ସୁନ୍ଦରଗଡ଼: ୨୨ ଦିନର ଝାଳବୁହା କସରତ ପରେ ସୁନ୍ଦରଗଡ଼ କରମଡ଼ିହି ଗୀତାପଡ଼ାରେ ସଂଘଟିତ ବହୁଚର୍ଚ୍ଚିତ ଯାଯାବର ଗଣହତ୍ୟ‌‌ା ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସୁନ୍ଦରଗଡ଼ ସଦର ଥାନା ପୁଲିସ ଗିରଫ କରି ଶୁକ୍ରବାର କୋର୍ଟଚ‌ାଲାଣ କରିବା ସହ ଜଘନ୍ୟ ହତ୍ୟାକାଣ୍ଡ ପଛର ରହସ୍ୟ ଉନ୍ମୋଚନ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ଅମରାବତୀ ଜିଲ୍ଲା ଭନ୍ଦରାଜ ଥାନା ଗୋକୁଳଧୁସା ଅଞ୍ଜନଗାଁସୂରଜିର ସନ୍ତୋଷ ଭୋସଲେ (୪୫), ତା’ର ଦୁଇ ପୁଅ ଯୋଗେଶ ଭୋସ୍‌ଲେ (୨୫) ଓ ଲାଲି ଭୋସ୍‌ଲେ (୨୦), ସେହି ଗାଁର ସିତ୍ରା ଓରଫ୍‌ ଆକବର ପାୱାର (୩୨), ତାଙ୍କ ଭାଇ ସୁନୁ ଗୁଡ଼ୁ ଓରଫ ଇନ୍ତେଶ ପାୱାର (୩୫) ଓ କର୍ଣ୍ଣାଟକ ଶିରାହାଟ୍ଟି ଥାନା ବଦ୍ଦାରପାଲ୍ୟା ଅଡ୍ରାହାଲ୍ଲିର ସୁନୀଲ ପାୱାର (୩୨)। ସମସ୍ତଙ୍କୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଅଞ୍ଚଳରୁ ଗିରଫ କରାଯାଇଥିବା ପୁଲିସ ପ୍ରକାଶ କରିଛି। ଘଟଣାର ମାଷ୍ଟର ମାଇଣ୍ଡ୍‌ ମଞ୍ଜିକା ପାୱାର ନାମକ ମହିଳା ଓ ତାଙ୍କ ମା’ ପାରୱା ଭୋସଲେ ଫେରା‌ର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ଟିମ୍‌ ଚଢ଼ଉ ଜାରି ରଖିଛି। ଶୁକ୍ରବାର ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଉପ ମହାନିରୀକ୍ଷକ (ଡିଆଇଜି) ବ୍ରିଜେଶ ରାୟ ଏବଂ ଏସ୍‌ପି ପ୍ରତ୍ୟୁଷ ଦିବାକର ହତ୍ୟାକାଣ୍ତର ରହସ୍ୟ ଓ ଗିରଫଦାରୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ପ୍ରତିଶୋଧ ପାଇଁ ଭ୍ରାତୃ ହତ୍ୟାକାରୀକୁ କରିଥିଲା ବିବାହ
ସ୍ବାମୀ ଓ ପରିବାରକୁ ନିଶ୍ଚିହ୍ନ କରିବାକୁ ରଚିଥିଲା ଷଡ୍‌ଯନ୍ତ୍ର

କୌଣସି ରହସ୍ୟମୟ ଚଳଚ୍ଚିତ୍ରର କାହାଣୀଠୁ ବଳି କମ୍‌ ନଥିବା ଏହି ଘଟଣାର ଚିତ୍ରଚରିତ୍ର ଓ ବୃତ୍ତାନ୍ତ ଶୁଣିଲେ ଯେ କେହି ସ୍ତବ୍‌ଧ ହୋଇଯିବ। ପରକୀୟା ପ୍ରୀତି ଓ ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଜଣେ ମହିଳା ତା’ ମା’ ସହ ମିଶି କିପରି ଜଘନ୍ୟ ଷଡ଼୍‌ଯନ୍ତ୍ର ରଚିପାରେ, ଏଥିପାଇଁ ପ୍ରେମ ଜାଲରେ ଫସାଇ ବିବାହ ବି କ‌ରେ ଓ ସ୍ବାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାର ନୀଳନକ୍ସା ତିଆରି କରେ, ତାହା ସମସ୍ତଙ୍କୁ ବିସ୍ମିତ କରିଛି। ପୁଲିସ ରଖିଥିବା ସୂଚନା ଅନୁସାରେ, କରମଡ଼ିହି ଗଣହତ୍ୟାରୁ ବର୍ତ୍ତି ଯାଇଥିବା ମହାରାଷ୍ଟ୍ର ୱାର୍ଦ୍ଧା ଅଞ୍ଚଳର ଅବିନାଶ ପାୱାର ନାମକ ବ୍ୟକ୍ତି କିଛି ବର୍ଷ ପୂର୍ବେ ଯାଯାବର ଗୋଷ୍ଠୀର ମହିଳା ମଞ୍ଜିକା ପାୱାରଙ୍କ ଆଖି ସାମ୍‌ନାରେ ତାଙ୍କ ଭାଇ ମଂଜେନ ଗୁଡ଼ାଙ୍କୁ କୌଣସି କାରଣକୁ ନେଇ ହତ୍ୟା କରିଥିଲେ। ଭାଇ ହତ୍ୟାର ପ୍ରତିଶୋଧ ନେବାକୁ ମଞ୍ଜିକା ନିଜ ମା’ ପାରୱା ଭୋସଲେ ସହ ଯୋଜନା କରିଥିଲା। ଯୋଜନା ମୁତାବକ ମଞ୍ଜିକା ଅବିନାଶ ସହ ମିଛ ପ୍ରେମ ସମ୍ପର୍କ ଯୋଡ଼ି କିଛି ମାସ ପରେ ବିବାହ କରିଥିଲା। ମଞ୍ଜିକାର ଗୁପ୍ତ ଉଦ୍ଦେଶ୍ୟ ସଂପର୍କରେ ଅବିନାଶ ଅବଗତ ନଥିଲା। କିନ୍ତୁ ସ୍ବାମୀକୁ ହତ୍ୟା କରିବାକୁ ସୁଯୋଗ ଉଣ୍ତୁଥିଲା ମଞ୍ଜିକା। ଘଟଣାକ୍ରମେ ୧୭.୯.୨୦୧୯ରେ ରାୟଗଡ଼ା ଜିଲ୍ଲା ଅମ୍ବାଦୋଳାରେ ଥିବାବେଳେ ଅବିନାଶ କରମଡ଼ିହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ସନ୍ତୋଷ ଭୋସଲେର କାକା ତଥା ସିତ୍ରା ଓରଫ୍‌ ଆକବର ପାୱାରର ଶ୍ବଶୁର ଶାମା ଘନଶ୍ୟାମ ଭୋସଲେଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲା। ଯାଯାବର ଭାବେ ବୁଲୁଥିବାବେଳେ ଅବିନାଶ ସଡ଼ୁଭାଇ ‌ସାକୟା ପାୱାରର ପତ୍ନୀ ଲେଡି ପାୱାରଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା। ସାକୟା ପାୱାର ଏ କଥା ଜାଣିବା ପରେ ଅବିନାଶକୁ ରାସ୍ତାରୁ ହଟାଇବାକୁ ମନସ୍ଥ କରିଥିଲା। ଏସବୁ ଘଟଣା ମଞ୍ଜିକାକୁ ଅପୂର୍ବ ସୁଯୋଗ ଆଣି ଦେଇଥି‌ଲା। ସେ ଅଭିଯୁକ୍ତ ସନ୍ତୋଷ, ସିତ୍ରା ଓ ସାକୟାଙ୍କ ସହ ଯୋଗାଯୋଗ କରି ଅବିନାଶ ଓ ତା’ ପରିବାର ସଦସ୍ୟମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। 

ମଞ୍ଜିକାର ସୂଚନା ଓ ନିର୍ଦେଶ ଅନୁସାରେ, ଅଭିଯୁକ୍ତମାନେ ଅକ୍ଟୋବର ୨୯ ତାରିଖ ରାତିରେ କରମଡ଼ିହି ଆସି ଜଘନ୍ୟ ଗଣହତ୍ୟା ରଚିଥିଲେ। ମୁଖ୍ୟ ଟାର୍ଗେଟ୍‌ରେ ଥିବା ଅବିନାଶ ସାମାନ୍ୟ ଆହତ ହୋଇ ବର୍ତ୍ତି ଯାଇଥିବାବେଳେ ତା’ ଭଉଣୀ ଛମା ଭୋସଲେ (୨୫), ଭାଇ ସୁବାସ ପାୱାର (୨୩), ଜେଜେମା କୁଣ୍ଡି ପାୱାର, ମାମୁ ଚରଣ କୁମାର (୪୫), ମାଇଁ କାଇଲା କୁମାର (୩୫) ଅନ୍ଧାର ରାତିର ଅତର୍କିତ ଆକ୍ରମଣରେ ଆଖି ବୁଜିଥିଲେ। ଆକ୍ରମଣରେ ଅବିନାଶ ପାୱାର (୩୦), ତା’ ଝିଅ ମଞ୍ଜୁ ପାୱାର (୧୦), ଚରଣ କୁମାରଙ୍କ ପୁଅ ପୀୟୂଷ କୁମାର (୧୩) ଓ ଝିଅ ଅନିଶା କୁମାରୀ (୧୨) ଆହତ ହୋଇଥିଲେ। ଗଣହତ୍ୟା ପରେ ମଞ୍ଜିକା ଓ ତାର ଦୁଇଛୁଆ ଓ ମା’ଙ୍କୁ ନେଇ ଅଭିଯୁକ୍ତମାନଙ୍କ ସହ ଚମ୍ପଟ ମାରିଥିଲା। ଆକ୍ରମଣରେ ଆହତ ଅବିନାଶ ପାୱାର ତା’ ସଡ଼ୁଭାଇ ସକାୟା ପାୱାର, ସନ୍ତୋଷ ଭୋସଲେ, ଯୋଗେଶ ଭୋସଲେ, ଲାଲି ଭୋସଲେ ପ୍ରମୁଖ ହତ୍ୟାକାଣ୍ଡ ବାବଦରେ ସଦର ଥାନ‌‌ାରେ ଏତଲା ଦେବା ପରେ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଉପଖଣ୍ତ ପୁଲିସ ଅଧିକାରୀ ହିମାଂଶୁ ଭୂଷଣ ବେହେରାଙ୍କ ନେତୃତ୍ବ‌ରେ ପୁଲିସର ବଛାବଛା ଅଧିକାରୀଙ୍କ ସହ ୨୦ ଜଣିଆ ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବାକୁ ଓଡ଼ିଶା ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ଛତିଶଗଡ଼ରେ ଛାପା ମାରିଥିଲେ। ଅଭିଯୁକ୍ତମାନେ ସମ୍ବଲପୁର, କଳାହାଣ୍ଡି, ରାୟଗଡ଼ାରେ ପୁଲିସକୁ ଚକମା ଦେଖାଇ କର୍ଣ୍ଣାଟକ ଚାଲି ଯାଇଥିଲେ। ଶେଷରେ ରାଜ୍ୟ ଓ ଜାତୀୟସ୍ତରର ଅନୁସନ୍ଧାନକାରୀ ଦଳଙ୍କ ସହ କର୍ଣ୍ଣାଟକ ପୁଲିସ ସହାୟତାରେ ଅଭିଯୁକ୍ତମାନଙ୍କୁ ଠାବ କରି ଗିରଫ କରାଯାଇଥିବା ଡିଆଇଜି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe