Silent human voice: ନିରବିଗଲା ହ୍ୟୁମାନଙ୍କ ସ୍ବର: ଅକାଳରେ ଝଡ଼ିଗଲେ, ସଙ୍ଗୀତ ଜଗତ ସ୍ତବ୍ଧ

ନିଶ୍ବାସ ତାଙ୍କର ଆଉ ଚାଲୁନି... ବିଶ୍ବାସ ଶ୍ରୋତାଙ୍କର ହେଉନି। ନିରବି ଯାଇଛନ୍ତି ଓଡ଼ିଶାର ଉଦୀୟମାନ ସ୍ବର ହ୍ୟୁମାନ ସାଗର। ଦିନେ ଏହି ସ୍ବର ଭିନ୍ନ କାହାଣୀ ଗାଇଥା’ନ୍ତା ଏବଂ ତିଆରି କରିଥାଆନ୍ତା ଆଉ ଏକ କିମ୍ବଦଂନ୍ତି।

human sagar

human sagar Photograph: (sambad.in)

ଭୁବନେଶ୍ବର: ନିଶ୍ବାସ ତାଙ୍କର ଆଉ ଚାଲୁନି... ବିଶ୍ବାସ ଶ୍ରୋତାଙ୍କର ହେଉନି। ନିରବି ଯାଇଛନ୍ତି ଓଡ଼ିଶାର ଉଦୀୟମାନ ସ୍ବର ହ୍ୟୁମାନ ସାଗର। ଦିନେ ଏହି ସ୍ବର ଭିନ୍ନ କାହାଣୀ ଗାଇଥା’ନ୍ତା ଏବଂ ତିଆରି କରିଥାଆନ୍ତା ଆଉ ଏକ କିମ୍ବଦଂନ୍ତି। ହେଲେ ସମୟ ଏହି ସୁଯୋଗ ତ‌ାଙ୍କଠାରୁ ଏବଂ ଓଡ଼ିଶାବାସୀଙ୍କଠାରୁ ଛଡ଼ାଇ ନେଇଛି। ଆଜି ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ପର କରି ହ୍ୟୁମାନ ଚାଲିଯାଇଛନ୍ତି ଆରପାରିକୁ। ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟା ୮ ମିନିଟ୍‌ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ଓଡ଼ିଆ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ କଳାଜଗତ ସହିତ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। 

ପ୍ରାୟ ଏକ ମାସ ଧରି ହ୍ୟୁମାନ ସାଗର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୧୪ ତାରିଖରେ ତାଙ୍କୁ ଜଟିଳ ଅବସ୍ଥାରେ ଏମ୍‌ସ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ସେ ଶ୍ବାସକ୍ରିୟାଜନିତ ବାଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ। ହ୍ୟୁମାନଙ୍କର ଯକୃତ ଓ ବୃକକ୍‌ ଅକାମୀ ହେବା ସହିତ ବହୁ ଅଙ୍ଗ ପ୍ରଭାବିତ ହୋଇଥିଲା। ତାଙ୍କୁ ଆଇସିୟୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଏକ୍‌ମୋ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। ଆଣ୍ଟିବାୟୋଟିକ୍ସ ସହିତ ଜୀବନରକ୍ଷାକାରୀ ଔଷଧ ଏବଂ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କର ଇନ୍ଦ୍ରିୟ କାମ କରୁଥିବା ନେଇ ଆଶ୍ବସ୍ତିକର ଖବର ଆସିଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ଆଜି ସନ୍ଧ୍ୟାରେ ହଠାତ୍‌ ତାଙ୍କ ଅମ୍ଳଜାନ ସ୍ତର ଅସ୍ବାଭାବିକ ଭାବେ କମିବାକୁ ଲାଗିଥିଲା। ବହୁ ଚେଷ୍ଟା ସତ୍ତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ରାତିରେ ହ୍ୟୁମାନଙ୍କ ମାଆ ପ୍ରଥମେ ଗଣମାଧ୍ୟମକୁ ହ୍ୟୁମାନଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଏମ୍‌ସ ପକ୍ଷରୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe