ଏସ୍‌ଏମ୍‌ସି ପ୍ରସଙ୍ଗରେ ପ୍ରଶାସନର ନିଦ ଭାଙ୍ଗିଲା

Advertisment

ଉପଜିଲ୍ଲାପାଳଙ୍କ ନେତୃତ୍ବରେ ପ୍ରମାଣ ସଂଗ୍ରହ, ଭୂମି, ଜଳ ଓ ବାୟୁ ପ୍ରଦୂଷଣ କରୁଛି କମ୍ପାନି: ସର୍ଭେ

ଉପଜିଲ୍ଲାପାଳଙ୍କ ନେତୃତ୍ବରେ ପ୍ରମାଣ ସଂଗ୍ରହ, ଭୂମି, ଜଳ ଓ ବାୟୁ ପ୍ରଦୂଷଣ କରୁଛି କମ୍ପାନି: ସର୍ଭେ

ଏସ୍‌ଏମ୍‌ସି ପ୍ରସଙ୍ଗରେ ପ୍ରଶାସନର ନିଦ ଭାଙ୍ଗିଲା

The New Indian Express

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳସ୍ଥିତ ଏସ୍‌ଏମ୍‌ସି କମ୍ପାନିର କାରନାମା ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି।

ଗୁରୁବାର ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍‌ ଏସ୍‌ଏମ୍‌ସି ପ୍ଲାଣ୍ଟ ଓ ଏହାର ଆଖପାଖ ଅଞ୍ଚଳ ବୁଲି ଦେଖିବା ପରେ ସମସ୍ତ ଅଭିଯୋଗର ପ୍ରମାଣ ସଂଗ୍ରହ କରିଛନ୍ତି। ଏସ୍‌ଏମ୍‌ସି କମ୍ପାନି ପ୍ରାକୃତିକ ନାଳା ଜବରଦଖଲ କରିବା ସାଙ୍ଗକୁ ଭୂମି, ଜଳ ଓ ବାୟୁ ପ୍ରଦୂଷିତ କରୁଥିବା ନେଇ ଟିମ୍‌ ପ୍ରାଥମିକ ସର୍ଭେରୁ ପ୍ରମାଣ ପାଇଛନ୍ତି। ଶୁକ୍ରବାର ଏହି ସର୍ଭେର ପ୍ରୋସିଡିଂ ପ୍ରସ୍ତୁତ ହେବା ସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏସ୍‌ଏମ୍‌ସିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ପ୍ରାକୃତିକ ନାଳା ପୋତିବା ମାମଲ‌ାରେ ବି ପ୍ରମାଣ ମିଳିଥିବାରୁ ଏହାର ପୁନଃ ସର୍ଭେ ହୋଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ସୂଚନା ଅନୁସାରେ, ‘ସମ୍ବାଦ’ରେ ଏସ୍‌ଏମ୍‌ସି ଦ୍ବାରା ସୃଷ୍ଟ ବିଭିନ୍ନ ସମସ୍ୟା ଲୋକଲୋଚନକୁ ଅଣାଯାଇଥିଲା। ଯେଉଁଥିରେ ବେଆଇନ୍‌ ଭାବେ ପାଉଁଶ ପାହାଡ଼ ତିଆରି କରିବା, ରାସ୍ତାଘାଟରେ ପାଉଁଶ ବିଛାଇବା, ଜମି କ୍ଷତିଗ୍ରସ୍ତ ହେବା, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ସାଙ୍ଗକୁ ଦୁଇ ଦୁଇଟି ପ୍ରାକୃତିକ ନାଳାକୁ କିଭଳି ଭାବେ ଦଖଲ କରିଛି ସେନେଇ ସେନେଇ ଖବର ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଆଜି ଉପଜିଲ୍ଲାପାଳ ଶ୍ରୀ ସ୍ବାଇଁ, ସଦର ତହସିଲଦାର ବସନ୍ତ ହାତୀ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ଘଟଣାସ୍ଥଳକୁ ଯାଇଥିଲେ। ଏହି ସମୟରେ କହ୍ନେଇ ଜୋର୍‌ ଅପେକ୍ଷା ବଡ଼ମାଳ ନାଳାକୁ ଏସ୍‌ଏମ୍‌ସି କମ୍ପାନି ଅଧିକ କ୍ଷତିଗ୍ରସ୍ତ କରିଥିବା ଦେଖିବାକୁ ପାଇଥିଲେ। କମ୍ପାନି ନିଜର ପାଉଁଶରେ ନାଳାକୁ ପୋତିବା ସହ ଏହାକୁ ଜବରଦଖଲ କରି ପାଚେରି ମଧ୍ୟ ‌ନିର୍ମାଣ କରିଥିବା ନେଇ ଅଧିକାରୀମାନେ ସମୀକ୍ଷା କରିଥିଲେ।

ଏହାବାଦ୍‌ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ଆଇନକାନୁନକୁ ଜଳାଞ୍ଜଳି ଦେଇ କମ୍ପାନି ଏଣେତେଣେ ପାଉଁଶ ଫିଙ୍ଗିବାର ବି ପ୍ରମାଣ ସଂଗ୍ରହ କରିଛନ୍ତି ଟିମ୍‌। ସମୀକ୍ଷା ପରେ କମ୍ପାନି ବିରୋଧରେ ତୁରନ୍ତ ନୋଟିସ୍‌ ଜାରି କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୋଟିସ୍‌ର ଉତ୍ତର ମିଳିବା ପରେ ବୋର୍ଡ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନଷ୍ଠାନ ଗ୍ରହଣ ହେବ। ପ୍ରାଥମିକ ଭାବେ ଏସ୍‌ଏମ୍‌ସି ଉଭୟ ନାଳାକୁ ସଫେଇ କରିବା ସହ ତାହାର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe