ସହିଦ କେଳୁ, ମକର ଓ ରଘୁଙ୍କୁ ଝୁରୁଛି ଗାଁ ମାଟି

Advertisment

ଅଶୋକ କୁମାର ପ୍ରଧାନ

ଅଶୋକ କୁମାର ପ୍ରଧାନ

ସହିଦ କେଳୁ, ମକର ଓ ରଘୁଙ୍କୁ ଝୁରୁଛି ଗାଁ ମାଟି

ଔପଦା : ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଦେଶମାତୃକାକୁ ସ୍ବାଧୀନ କରିବା ପାଇଁ ଏ ମାଟିର ସଂଗ୍ରାମୀମାନେ ଯେଉଁଭଳି ଆତ୍ମବଳି ଦେଇଛନ୍ତି, ତା’ର ପଟାନ୍ତର ନାହିଁ। ସ୍ବାଧୀନତା ସଂଗ୍ରାମ ଇତିହାସରେ ବାଲେଶ୍ବର ଜିଲ୍ଲାର ନାମ ଆଜି ସେହି ସଂଗ୍ରାମୀମାନଙ୍କ ପାଇଁ ଉଜ୍ଜ୍ବଳ ଓ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଏବେ ବି ସ୍ବାଧୀନତା ସଂଗ୍ରାମୀ କେଳୁ ସାହୁ, ରଘୁ ବେହେରା ଓ ମକର ଲେଙ୍କାଙ୍କ ବଳିଦାନକୁ ଗାଁ ମାଟି ଝୁରୁଛି।

ଭାରତ ଛାଡ଼ ଆନ୍ଦୋଳନ ପାଇଁ ଗାନ୍ଧୀଜୀ ଡାକରା ଦେଇଥିବାବେଳେ ବାଲେଶ୍ବରରେ ଇଂରେଜମାନଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଥିଲା। ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ଖଇରାଡ଼ିହି ଗ୍ରାମର ବୈଦ୍ୟନାଥ ରାଉତ କଟକ ରେଭେନ୍ସା କଲେଜରେ ପାଠ ପଢୁଥିଲେ ହେଁ ଇଂରେଜମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପାଠପଢ଼ା ଛାଡ଼ିଥିଲେ। ଗାନ୍ଧୀଜୀଙ୍କ ନେତୃତ୍ବରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେବା ସହ ଇଂରେଜମାନଙ୍କୁ ତଡ଼ିବା ପାଇଁ ବିଭିନ୍ନ ଗ୍ରାମରେ ବୈଠକମାନ ଆରମ୍ଭ କରିଥିଲେ। ୧୯୪୨ ମସିହା ସେପ୍ଟେମ୍ବର ୨୭ରେ ବୈଦ୍ୟନାଥ ରାଉତଙ୍କ ଘର ଖଇରାଡ଼ିହିରେ ବିଭିନ୍ନ ଗ୍ରାମର ସଂଗ୍ରାମୀ ବ୍ୟକ୍ତିଙ୍କୁ ନେଇ ବୈଠକ ଚାଲିଥିଲା। ବୈଠକ ପରେ ସଂଗ୍ରାମୀମାନେ ଇଂରେଜ ଫୌଜ ରହୁଥିବା ଘରେ ପଶି ସେମାନଙ୍କ ପୋଷାକ ଓ ବେଲ୍ଟ ଆଦି ପୋଡ଼ି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଇଂରେଜ ଫୌଜ ବୈଦ୍ୟନାଥଙ୍କୁ ଗିରଫ କରିବା ପାଇଁ ତାଙ୍କ ଘର ଘେରାଉ କରି ରଖିଥିଲେ। ୨୮ ତାରିଖ ସକାଳେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ବୈଦ୍ୟନାଥଙ୍କ ଘର ସମ୍ମୁଖରେ ରୁଣ୍ଡ ହୋଇ ଠେଙ୍ଗାବାଡ଼ି ଧରି ବ୍ରିଟିସ ଫୌଜର ମୁକାବିଲା କଲେ। ରଣଭୂମି ପାଲଟିଥିଲା ଖଇରାଡ଼ିହି ଗାଁ ଦାଣ୍ଡ। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗୁଳି ଚଳାଇଥିଲା ବ୍ରିଟିସ ସେନା। ଗୁଳିରେ ଔପଦା ବ୍ଲକ ବଡ଼ପୋଖରୀ ଗ୍ରାମର ମକର ଲେଙ୍କା ପ୍ରଥମେ ଟଳି ପଡ଼ିଥିଲେ। ତା ପରେ ପରେ ଖଇରା ବ୍ଲକ ତୁଡ଼ିଗଡ଼ିଆ ଅଞ୍ଚଳର କେଳୁ ସାହୁ ଓ ରଘୁ ବେହେରା ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ସେଠାରୁ ଉଭୟଙ୍କୁ ଘୋଷାଡ଼ି ଘୋଷାଡ଼ି ତୁଡ଼ିଗଡ଼ିଆସ୍ଥିତ କ୍ୟାମ୍ପ୍‌ ନିକଟରେ ଫୋପାଡ଼ି ଦେଇଥିଲା ବ୍ରିଟିସ ସେନା। ତଥାପି ପଛକୁ ହଟିନଥିଲେ ସଂଗ୍ରାମୀ। ଅଧିକ ତୀବ୍ର କରିଥିଲେ ସଂଗ୍ରାମକୁ। ଆଉ ଶେଷରେ ବ୍ରିଟିସ ସେନା ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହୋଇଥିଲା।

ଏବେ ବି ସହିଦ୍‌ଙ୍କୁ ଝୁରୁଛି ମାଟି। ସହିଦ୍‌ କେଳୁ, ମକର ଓ ରଘୁ ନିଜ ଜୀବନକୁ ବଳିଦାନ ଦେଇ ଅମର ରହିଛନ୍ତି। ଏ ଦେଶ ନୂଆ ପରିଚୟ ପାଇଛି। ସେମାନଙ୍କ ରକ୍ତ ଆମକୁ ସ୍ୱାଧୀନତା ଦେଇଛି ବୋଲି କହିଛନ୍ତି ଅଞ୍ଚଳର ସମାଜସେବୀ ଓ ବୁଦ୍ଧିଜୀବୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe