ଭଲ ଖବର: ବାପାଙ୍କ ନାମରେ ମଞ୍ଜୁର ଆବାସ ଫେରାଇବାକୁ ନିବେଦନ କଲେ ପୁଅ

Advertisment
ଭଲ ଖବର: ବାପାଙ୍କ ନାମରେ ମଞ୍ଜୁର ଆବାସ ଫେରାଇବାକୁ ନିବେଦନ କଲେ ପୁଅ

ଯାଜପୁରସଦର/ବିଂଝାରପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବିବାଦ। ଆବାସରୁ ବଞ୍ଚିତ ଲୋକେ ପଞ୍ଚାୟତ ଓ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ଦେବା ପାଇଁ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଏଭଳି ସ୍ଥିତିରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ଫତେପୁର ପଞ୍ଚାୟତରୁ ସାମନାକୁ ଆସିଛି ଭିନ୍ନଚିତ୍ର। ଗାଁର ଅନେକ ଯୋଗ୍ୟ ବ୍ୟକ୍ତି ଆବାସ ପାଇବାରୁ ବଞ୍ଚିତ ହୋଇଥିବାରୁ ବାପାଙ୍କ ନାମ ହିତାଧିକାରୀ ତାଲିକାରୁ ବାଦ ଦେବା ପାଇଁ ପୁଅ ନିବେଦନ କରିଛନ୍ତି। ପଞ୍ଚାୟତର ଗରିବ ଓ ଅସହାୟଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ସେ ପ୍ରଶାସନକୁ ଗୁହାରି କରିଛନ୍ତି।

ବିଂଝାରପୁର ବ୍ଲକ୍‌ର ୫୮୫୬ ଜଣ ସମ୍ଭାବ୍ୟ ଆବାସ ହିତାଧିକାରୀଙ୍କ ତାଲିକା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଥିଲା। ଏହି ତାଲିକାରେ ଫତେପୁର ପଞ୍ଚାୟତର ୧୩୮ ଜଣଙ୍କ ନାମ ରହିଛି। ଏଥିରେ ୧୦ନମ୍ବର ୱାର୍ଡ ମଲ୍ଲିଆ ଗ୍ରାମର ସୁଧାଂଶୁ ପାତ୍ର(୬୮)ଙ୍କ ନାମ ମଧ୍ୟ ରହିଛି। ପ୍ରଶାସନିକ ସ୍ତରରେ ତାଙ୍କୁ ଅବାସ ଦେବା ପାଇଁ ଚିହ୍ନଟ କରାଯାଇଥିଲା। ସେ ପୂର୍ବରୁ କୋଣାର୍କ ଝୋଟକଳରେ ଶ୍ରମିକ ଭାବେ କାମ କରୁଥିଲେ।  ବର୍ତ୍ତମାନ ପୁଅ ସୀମାନ୍ତ କୁମାର ପାତ୍ରଙ୍କ ସହ ଏକ ଆଜବେଷ୍ଟସ ଘରେ ରହୁଛନ୍ତି। ଏହି ଘରେ ସୀମାନ୍ତଙ୍କ ପତ୍ନୀ ଓ ପୁଅ ବି ରହନ୍ତି। ଏହି ପରିବାରର ଗୋଟିଏ ରାସନ କାର୍ଡ ରହିଛି। ଆଜବେଷ୍ଟସ ଘରେ ରହୁଥିବା ଏହି ପରିବାର ପାଇଁ ପକ୍କା ଘରର ଆବଶ୍ୟକତା ରହିଛି। କିନ୍ତୁ ସୀମାନ୍ତ ଏହି ସରକାରୀ ସହାୟତାକୁ ଗ୍ରହଣ କରିବାକୁ ଅରାଜି ହୋଇଛନ୍ତି।

ତାଙ୍କ ଅଭିଯୋଗ ମୁତାବକ ପଞ୍ଚାୟତର ୧୩୮ ସମ୍ଭାବ୍ୟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୭୦ଜଣ ଆବାସ ପାଇବା ପାଇଁ ଅଯୋଗ୍ୟ ଅଟନ୍ତି। ଏହି ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ବ ପରିବାର ଝାଟିମାଟି ଘରେ ରହୁଥିଲେ ମଧ୍ୟ ସେମାନଙ୍କୁ ଆବାସ ମିଳିପାରିନି। ‌ଉଦାହରଣ ସ୍ବରୂପ ତାଙ୍କ ଗାଁର ମଥୁରୀ ଜେନା କର୍କଟ ରୋଗରେ ପୀଡ଼ିତ । ସେ ଛଣଛପର ଘରେ ଦିନ କାଟୁଥିବା ବେଳେ ତାଙ୍କ ନାମ ଆବାସ ତାଲିକାରେ ନାହିଁ। ସେହିପରି ଦୃଷ୍ଟିଶକ୍ତି ହରାଇଥିବା ଉଦୟ ଜେନାଙ୍କୁ ଆବାସ ମିଳିନଥିବା ବେଳେ ସାଗରିକା ଦାସ ଓ ତାଙ୍କ ପୁଅ  ଦିବ୍ୟାଙ୍ଗ ହୋଇଥିଲେ ବି ଆବାସ ତାଲିକାରେ ସ୍ଥାନ ପାଇନାହାନ୍ତି। ଅଞ୍ଚଳରେ ବହୁତ ଗରିବ ବ୍ୟକ୍ତି ଆବାସ ପାଇନଥିବାରୁ ବାପାଙ୍କ ନାମକୁ ତାଲିକାରୁ ବାଦ ଦେବା ପାଇଁ ସୀମାନ୍ତ ଅନୁରୋଧ କରିଛନ୍ତି। ଆବାସ ପାଇଁ ସବୁଠି କଳି ହେଉଥିବା ବେଳେ ସୀମାନ୍ତଙ୍କ ଏପରି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe