ଘରୁ କାଢ଼ିଲା ପୁଅ, ସମ୍ପତ୍ତି ନେଇଗଲା ଝିଅ

Advertisment
ଘରୁ କାଢ଼ିଲା ପୁଅ, ସମ୍ପତ୍ତି ନେଇଗଲା ଝିଅ

କାମାକ୍ଷାନଗର: ଦିନେ ଯେଉଁ ମା’ ଦଶ ମାସ ଦଶ ଦିନ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିଲା, କୋଳେଇ କାଖେଇ ବଡ଼ କରିଥିଲା, ପୁଅ-ଝିଅକୁ ଖାଇବାକୁ ଦେଇ ନିଜ ପେଟରେ ଓଦାକନା ଦେଇ ଶୋଇଥିଲା, ଆଜି ସେ ମା’ ସାତପର ହୋଇଯାଇଛି। ଯେଉଁ ଘରେ ପୁଅ ଝିଅକୁ ବଡ଼ କରିଥିଲା, ସେହି ଘରେ ‘ତାର ଆଉ ରହିବାର ଅଧିକାର ନାହିଁ କହି ଘରୁ ପୁଅ, ବୋହୂ ତଡ଼ିଦେଲେ। ଝିଅ ବି ସବୁ ସମ୍ପତ୍ତି ହାତେଇବା ପରେ ହତାଦାର କଲା। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି, କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ବଡ଼ବିଲା ଗାଁରେ। ୩ ବର୍ଷ ତଳେ ସ୍ବାମୀଙ୍କୁ ହରାଇଥିବା ରୁକ୍ମିଣୀ ପାତ୍ରଙ୍କୁ ବୟସ ୭୦ ଛୁଇଁଲାଣି। ଚମ ଧୁଡୁଧୁଡୁ। ନିଜ କାମ କରିବାକୁ ବି ଦେହରେ ବଳ ନାହିଁ।

publive-image

ଏଭଳି ପରିଣତ ବୟସରେ ତାଙ୍କୁ ପୁଅ-ବୋହୂ ଘରୁ ବାହାର କରିଦେଲେ। ଏବେ ସାହିପଡ଼ିଶାଙ୍କ ପିଣ୍ଡାରେ ସେ ମୁଣ୍ଡ ଗୁଞ୍ଜୁଛନ୍ତି। ବର୍ଷା ହେଉ ବା ଖରା ଏମିତି ପରପିଣ୍ଡା ତାଙ୍କ ଆଶ୍ରା ପାଲଟିଛି। ଦୁଃଖ ଓ ଯନ୍ତ୍ରଣାର ଥିବା ରୁକ୍ମିଣୀ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ନିକଟକୁ ଯାଇ ଏ ସଂପର୍କରେ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ବଡ଼ କଷ୍ଟରେ ଜୀବନ କାଟୁଛି। ପୁଅ-ବୋହୂ ପର କରିଦେଲା ପରେ ଝିଅ ଉପରେ ନିର୍ଭର କରୁଥିଲେ। ହେଲେ ସେ ମଧ୍ୟ ସମ୍ପତ୍ତି ନେଇ ପର କରିଦେଲା। ଆଉ କାହା ଉପରେ ଭରସା ନାହିଁ। ତେଣୁ ପ୍ରଶାସନର ଦ୍ୱାରସ୍ଥ ହୋଇଛି। ଏହି ଅଭିଯୋଗ ପରେ ଉପଜିଲ୍ଲାପାଳ ଶ୍ରୀ ନାୟକ ତୁରନ୍ତ ଏନ୍‌ଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର ମିଶ୍ରଙ୍କୁ ଏହାର ସମାଧାନ କରିବା ପାଇଁ କହିଥିଲେ। ଏହାର କୌଣସି ସମାଧାନ ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe