କେନ୍ଦ୍ରକୁ ସହଯୋଗ କରୁନାହାନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ପାଠକ ବାପ-ପୁଅଙ୍କ ଦୁର୍ନୀତି ଜାଣିନଥିଲେ ନା ଜାଣି ଚୁପ୍‌ ରହିଥିଲେ?

କେନ୍ଦ୍ରକୁ ସହଯୋଗ କରୁନାହାନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ଜଗତସିଂହପୁର/ଏରସମା: ୧୯୯୯ ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଓଡ଼ିଶାର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ। ଆଜି ଏହି ଅଂଚଳରେ ହୋଇଥିବା ଉନ୍ନତି ଏହାର ଉଦାହରଣ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି। ମାତ୍ର ରାଜ୍ୟ ସରକାର ଚାଷୀଙ୍କୁ ଅଣଦେଖା କରିବା ସହ ଅତ୍ୟନ୍ତ ବେପରୱା ମନୋଭାବ ଦେଖାଇ କେନ୍ଦ୍ର ସରକାରଙ୍କୁ ଆଦୌ ସହଯୋଗ କରୁନାହାନ୍ତି। ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଏହିଭଳି ଭାବେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ବାମପନ୍ଥୀ ନେତା-କର୍ମୀ ବିରୋଧ କରି କଳା ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କ ସହିତ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ବାଜପେୟୀ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ, କେନ୍ଦ୍ର ସରକାର ଉଦ୍ୟମରେ ଦେଶର ୯ କୋଟି ଚାଷୀଙ୍କୁ ଗୋଟିଏ କ୍ଲିକରେ ୧୮ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଖାତାକୁ ଯାଇଛି। ସେଥିମଧ୍ୟରୁ ଓଡ଼ିଶାର ୧ ଲକ୍ଷ ୧୬ ହଜାର ଚାଷୀଙ୍କ ବ୍ୟାଙ୍କ୍ ଆକାଉକୁ ୭୮.୪୩ କୋଟି ଟଙ୍କା ଆସିଛି। ବାରମ୍ବାର ରାଜ୍ୟ ସରକାରଙ୍କୁ ଯୋଗ୍ୟ ଚାଷୀମାନଙ୍କ ତାଲିକା ପଠାଇବା ପାଇଁ କେନ୍ଦ୍ର ସରକାର ନିବେଦନ କରୁଛନ୍ତି। ମାତ୍ର ଜାଣିଶୁଣି ରାଜ୍ୟ ସରକାର ଚାଷୀମାନଙ୍କ ତାଲିକା ପ୍ରଦାନ କରୁନାହାନ୍ତି। ନୂଆ କୃଷି ଆଇନ ସମ୍ପର୍କରେ ସେ କହିଥିଲେ, ବିରୋଧୀ ଦଳ ଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ବଦନାମ୍ କରିବା ପାଇଁ ଯେଉଁ ଷଡ଼୍‌ଯନ୍ତ୍ର କରୁଛନ୍ତି, ସେଥିରେ ସଫଳ ହେବେ ନାହିଁ । ଶ୍ରୀ ପ୍ରଧାନ କହିଥିଲେ ଯେ ଆଇଏଫ୍ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଏତେ କେଳେଙ୍କାରୀ କରି ଚାଲିଥିଲେ ବି ରାଜ୍ୟ ସରକାର ତାହା ଜାଣି ପାରୁ ନଥିଲେ। ରାଜ୍ୟ ସରକାର ଜାଣି ନ ଥିଲେ ନା ସବୁ ଜାଣି ଚୁପ୍ ରହିଥିଲେ ବୋଲି କହି ସେ କଟାକ୍ଷ କରିଥିଲେ।

ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ, ଧସ୍ତାଧସ୍ତି, ଏରସମାରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ

ଏହି ଅବସରରେ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା 'ଅଟଳ ଜ୍ୟୋତି'କୁ ଶ୍ରୀ ପ୍ରଧାନ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, ସମ୍ପଦ ସ୍ବାଇଁ, ରାଜକିଶୋର ବେହେରା, ସରପଂଚ ତପନ ଗୋଚ୍ଛାୟତ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସ୍ମୃତି ପରିଷଦ ସଭାପତି ନୃସିଂହ ସାହୁ, ବିଜେପି ନେତା ଶଶୀକାନ୍ତ ପରିଡ଼ା, ଶିବ ପ୍ର୍ରସାଦ ଦାସ, ସଂଜୟ ମହାନ୍ତି, ମୋହିତ ମହାନ୍ତି, ମନୋଜ ଶୁକ୍ଳା ଓ ପ୍ରତାପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଳା ପତାକା ଦେଖାଇବାକୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଉଦ୍ୟମ କରିଥିବା ବେଳେ ରଘୁନାଥପୁରରେ କଂଗ୍ରେସ ନେତା ହିମାଂଶୁ ମଲିକଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏହାପରେ ମଣିଜଙ୍ଗା ନିକଟରେ କଂଗ୍ରେସ କର୍ମୀ କଳା ପତାକା ଦେଖାଇବା ପାଇଁ ଛିଡ଼ା ହୋଇଥିବା ବେଳେ ପାରାଦୀପର ବିଜେପି ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ବରେ ଦଳୀୟ କର୍ମୀ ସେମାନଙ୍କୁ ବିରୋଧ କରିବା ସହିତ ଛେଚିଥିଲେ। ପୁଲିସ କିନ୍ତୁ ସେଠାରେ ନିରବଦ୍ରଷ୍ଟା ସାଜିଥିଲା। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୋଠି ଛକଠାରୁ ଉତ୍ସବସ୍ଥଳକୁ ପାଛୋଟି ନିଆଯାଉଥିବା ବେଳେ ଏରସମା ବଜାର ନିକଟରେ ସିପିଆଇ କୃଷକ ଶାଖା ପକ୍ଷରୁ କେନ୍ଦ୍ରର କୃଷକ ନୀତିକୁ ବିରୋଧ କରି କଳାପତାକା ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ସିପିଆଇ ସଂପାଦକ ଅଭିଜିତ ସାହୁ, ବିଶ୍ବଜିତ ସାହୁ, ଶରତ ମଲ୍ଲିକ, ଚନ୍ଦନ ଲେଙ୍କା, ପ୍ରଭଂଜନ ରାଉତ, ଦେବାଶିଷ ପରିଜା ପ୍ରମୁଖ କଳାପତାକା ଦେଖାଇଲାବେଳେ ବିଜେପି କର୍ମୀଙ୍କ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପୁଲିସ ସେଠାରୁ ୩ ଜଣଙ୍କୁ ଉଠାଇ ନେଇ ଏରସମା ଥାନାରେ ଅଟକ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe