‘ଜ୍ବିଗାଟୋ’ ଚଳଚ୍ଚିତ୍ର ଦେଖିଲେ ମୁଖ୍ୟମନ୍ତ୍ରୀ, ଚଳଚ୍ଚିତ୍ର ଉପରୁ ପ୍ରମୋଦ କରଛାଡ଼ କଲେ ରାଜ୍ୟ ସରକାର

Advertisment
‘ଜ୍ବିଗାଟୋ’ ଚଳଚ୍ଚିତ୍ର ଦେଖିଲେ ମୁଖ୍ୟମନ୍ତ୍ରୀ, ଚଳଚ୍ଚିତ୍ର ଉପରୁ ପ୍ରମୋଦ କରଛାଡ଼ କଲେ ରାଜ୍ୟ ସରକାର

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶିକା ତଥା ଅଭିନେତ୍ରୀ ନନ୍ଦିତା ଦାସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଂଧ୍ୟାରେ ନବୀନ ନିବାସ ଠାରେ ‘ଜ୍ବିଗାଟୋ’ ଚଳଚ୍ଚିତ୍ର ଦେଖିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶିକା ତଥା ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଚଳଚ୍ଚିତ୍ର ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ ଆଜି ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ହିନ୍ଦୀଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରର ସୁଟିଂ ସଂପୂର୍ଣ୍ଣ ଭାବରେ ଭୁବନେଶ୍ବରରେ କରାଯାଇଛି। ଜଣେ ଫୁଡ୍‌ ଡେଲିଭରି ବ୍ୟକ୍ତି ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି। ବିଶିଷ୍ଟ ଅଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ସାହାନା ଗୋସ୍ବାମୀ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଚଳଚ୍ଚିତ୍ରରେ ସଫଳ ଭାବରେ ଉପସ୍ଥାପିତ କରାଯିବା ସହ କଳାତ୍ମକ ଦିଗ ପ୍ରତି ଧ୍ୟାନ ଦିଆ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର ଉଚ୍ଚପ୍ରଶଂସା କରିଥିଲେ। ସାମାଜିକ ପରିବର୍ତ୍ତନ ଦିଗରେ ଜ୍ବିଗାଟୋ ଏକ ସକାରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଏଥିସହ ଓଡ଼ିଶାରେ ଅଧିକରୁ ଅଧିକ ବ୍ୟବସାୟିକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି। ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏତ୍‌ଦବ୍ୟତୀତ ଭୁବନେଶ୍ୱରରେ ‘ଜ୍ୱିଗାଟୋ’ ଚଳଚ୍ଚିତ୍ର ସଂପୂର୍ଣ୍ଣ ସୁଟିଂ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ‌ସେହିପରି ଆଜି ଅପରାହ୍ନରେ ଭୁବନେଶ୍ବର ଏସ୍‌ପ୍ଲାନେଡ୍‌ ମଲ୍‌ରେ ନିର୍ଦ୍ଦେଶିକା ନନ୍ଦିତା ଦାସ ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ। ଉପସ୍ଥିତ ଦର୍ଶକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଚଳଚ୍ଚିତ୍ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe