ଓଡ଼ିଶାର ଭାଗାବେଗ ସହ ସଂପର୍କ ନଥିବା ଲୋକ ରାଜ୍ୟ ଚଳାଉଛନ୍ତି: ଧର୍ମେନ୍ଦ୍ର

ରାଜ୍ୟ ସରକାର ଜମି ଦେଲେ ତାଳଚେର-ବିମଳାଗଡ଼ ରେଳପଥ କାମ ଆରମ୍ଭ ହେବ

ଓଡ଼ିଶାର ଭାଗାବେଗ ସହ ସଂପର୍କ ନଥିବା ଲୋକ ରାଜ୍ୟ ଚଳାଉଛନ୍ତି: ଧର୍ମେନ୍ଦ୍ର

ସମ୍ବଲପୁର : ଓଡ଼ିଶାର ଭାବାବେଗ ସହ ଯାହାଙ୍କ ସମ୍ପର୍କ ନାହିଁ, ସେମାନେ ଆଜି ରାଜ୍ୟ ଚଳାଉଛନ୍ତି। ମନ୍ତ୍ରୀମାନେ ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି। ଏହା ସମ୍ବିଧାନ ବିରୋଧୀ। ଓଡ଼ିଶାରୁ ସମ୍ବିଧାନ ବିରୋଧୀ ଓ ଭ୍ରଷ୍ଟାଚାରୀ ସମୂହଙ୍କୁ ବାହାର କରିବାକୁ ପଡ଼ିବ ଓ ମୋଦୀଙ୍କ ଶାସନ ପ୍ରଣାଳୀକୁ ଆଗକୁ ନେବାକୁ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶନିବାର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଟାମ୍ପରକେଲାଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଉଦ୍‌ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ସେବା ଓ ସୁଶାସନରେ ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପରିବାର ପିଛା ୪ ଲକ୍ଷ ୮୧ ହଜାର ୧୨୧ ଟଙ୍କା ଟଙ୍କା ମିଳିଛି। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୬୪ ହଜାର ୫୭୪ଟି ପରିବାରକୁ ମୋଟ ୭ ହଜାର ୯୧୮ କୋଟି ଟଙ୍କା ଦିଆଯାଇଛି। ଖୁବ୍‌ ଶୀଘ୍ର ସମ୍ବଲପୁର ସହର ସଂଲଗ୍ନ ବସନ୍ତପୁରଠାରେ ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ୍‌ ଉଦ୍‌ଘାଟନ ହେବ। ପ୍ରଧାନମନ୍ତ୍ରୀଙ୍କ ହାତରେ ଏହି କ୍ୟାମ୍ପସ୍‌ ଲୋକାର୍ପିତ ହେବ ବୋଲି ଆଜି ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି।

ସେହି ଭଳି ଦେବଗଡ଼ ପ୍ରଧାନପାଟସ୍ଥିତ ବଡ଼ବଗିଚାରେ ଶନିବାର ବିଜେପି ପକ୍ଷରୁ ଅନୁଷ୍ଠିତ ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇ କହିଲେ, ରାଜ୍ୟ ସରକାର ଜମି ଦେଲେ ତାଳଚେର-ବିମଳାଗଡ଼ ରେଳପଥ କାମ ଆରମ୍ଭ ହେବ। ରାଜ୍ୟ ସରକାର ଜମି ଉପଲବ୍ଧ କରାଇଲେ ଭାରତ ସରକାର ତୁରନ୍ତ ଟଙ୍କା ଖର୍ଚ୍ଚ କରି ବାରକୋଟ୍ ଦେଇ ରାଉରକେଲାକୁ ତାଳଚେର-ବିମଳାଗଡ଼ ରେଳପଥ କାମ ଶୀଘ୍ର ଆରମ୍ଭ କରିବେ। ଏହା ସହିତ ଦେବଗଡ଼-କୁଚିଣ୍ଡା ଦେଇ ଝାରସୁଗୁଡ଼ା ସହିତ ତାଳଚେର-ବିମଳାଗଡ଼ ରେଳପଥ ଲିଙ୍କ କରାଯିବ। ରେଳ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ଦାୟିତ୍ବ ସେ ନିଜେ ନେବେ। ମୋଦୀ ସରକାରଙ୍କ ୯ ବର୍ଷ ଶାସନରେ ଦେବଗଡ଼ ଜିଲ୍ଲାର ୭,୩୭,୧୭ଟି ପରିବାରକୁ ୨,୧୮୪ କୋଟି ଟଙ୍କା ଦିଆଯାଇଛି। ଯାହାକି ପରିବାର ପିଛା ପ୍ରାୟ ୩ ଲକ୍ଷ ଟଙ୍କା। ପିଏମ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ପ୍ରାୟ ୯ ଲକ୍ଷ ଘର ମୋଦୀ ସରକାର ଦେବା ପରେ ବି ରାଜ୍ୟ ସରକାର ବାଣ୍ଟିବା ପାଇଁ ପ୍ରସ୍ତୁତ ନୁହନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ। ବି‌ଜେପି ଜିଲ୍ଲା ସଭାପତି ଅରୁଣ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ନିତେଶ ଗଙ୍ଗଦେବ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe