ରାଜ୍ୟର ସବୁଠୁ ବଡ଼ ସାଇବର୍ ଠକେଇ, ୨ ଡାକ୍ତରଙ୍କ ଆକାଉଣ୍ଟରୁ ‌ଲୁଟିଲେ କୋଟିଏ ତିରିଶ

Advertisment

ଅବସରପ୍ରାପ୍ତ ଡାକ୍ତରଙ୍କ ଆକାଉଣ୍ଟରୁ ପୋଛିନେଲେ ୭୮ ଲକ୍ଷ, ଆୟୁର୍ବେଦିକ ଡାକ୍ତରଙ୍କଠୁ ଠକିନେଲେ ୫୨ ଲକ୍ଷ

ଅବସରପ୍ରାପ୍ତ ଡାକ୍ତରଙ୍କ ଆକାଉଣ୍ଟରୁ ପୋଛିନେଲେ ୭୮ ଲକ୍ଷ, ଆୟୁର୍ବେଦିକ ଡାକ୍ତରଙ୍କଠୁ ଠକିନେଲେ ୫୨ ଲକ୍ଷ

ରାଜ୍ୟର ସବୁଠୁ ବଡ଼ ସାଇବର୍ ଠକେଇ, ୨ ଡାକ୍ତରଙ୍କ ଆକାଉଣ୍ଟରୁ ‌ଲୁଟିଲେ କୋଟିଏ ତିରିଶ

କଟକ: ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର‌୍‌ ଅପରାଧୀ ୭୮ ଲକ୍ଷ ଟଙ୍କା ପୋଛି ନେଇଛନ୍ତି। ଫେବ୍ରୁଆରି ୯ ତାରିଖରୁ ୧୫ ତାରିଖ ଭିତରେ ସାଇବର‌୍‌ ଅପରାଧୀ ଡାକ୍ତରଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଲୁଟି ନେଇଥିବା ବେଳେ ଆଜି ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ସବୁଠୁ ଚକିତ କଲା ଭଳି ଘଟଣା ହେଉଛି ଡାକ୍ତରଙ୍କ ୬/୭ଟି ଫିକ୍ସଡ୍ ଡିପୋଜିଟ୍ (ସ୍ଥାୟୀ ଜମା)ରୁ ୬୭ ଲକ୍ଷ ଟଙ୍କା ସାଇବର୍ ଅପରାଧୀ ପୋଛି ନେଇଛନ୍ତି। ଏଭଳି ଏକ ଲୁଟ୍ ରାଜ୍ୟରେ ସବୁଠୁ ବଡ଼ ବୋଲି କୁହାଯାଉଛି। ଏ କ୍ଷେତ୍ରରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ବି ସାମନାକୁ ଆସିଛି। ଏହି ଲୁଟରେ ପଶ୍ଚିମବଙ୍ଗର ସାଇବର‌୍‌ ଅପରାଧୀ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଅନୁଗୁଳ ଏନ୍‌ଟିପିସି ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ସନାତନ ମହାନ୍ତି ଗଲା ୪ ବର୍ଷ ହେବ ଚାକିରିରୁ ଅବସର ନେବା ପରେ କଟକ ସିଡିଏ ସେକ୍ଟର ୭ରେ ରହୁଥିଲେ। ଗଲା ୯ ତାରିଖର ଅପରାହ୍ନରେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଥିଲା। ଫୋନ୍‌ କରିଥିବା ଯୁବକ ଜଣକ ହିନ୍ଦୀରେ କଥା ହୋଇଥିଲେ। ସନାତନଙ୍କ ବିଏସ୍‌ଏନ୍‌ଏଲ ନମ୍ବରରେ କେଵାଇସି ଅପଡେଟ୍‌ ହୋଇନଥିବାରୁ ନମ୍ବର ବ୍ଲକ ହୋଇଯିବ ବୋଲି ସଂପୃକ୍ତ ବ୍ୟକ୍ତି ଡାକ୍ତରଙ୍କୁ କହିଥିଲେ। କେଵାଇସି ଅପଡେଟ୍‌ କରି ସିମ୍‌ କାର୍ଡ ଆକ୍ଟିଭ୍‌ କରିବା ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ ଟିମ୍‌ ଭ୍ୟୁଅର‌୍‌ କୁଇକ୍‌ ସପୋର୍ଟ ଆପ୍ଲିକେସନ୍‌ ଡାଉନ୍‌ଲୋଡ କରିବାକୁ ଦୁର୍ବୃତ୍ତ ତାଙ୍କୁ କହିଥିଲେ। ସନାତନ ସାଇବର‌୍‌ ଅପରାଧୀଙ୍କ ଚାଲ୍‌ ନବୁଝି ଉକ୍ତ ଆପ୍ଲିକେସନ୍‌ ଫୋନରେ ଡାଉନଲୋଡ କରି ଦେଇଥିଲେ। ଆପ୍ଲିକେସନ୍‌ ଡାଉନ୍‌ ଲୋଡ୍ କରିବା ପରେ ଫୋନ୍‌ରେ ଉକ୍ତ ବିଏସ୍‌ଏନଏଲ୍‌ ନମ୍ବରରେ ୧୦ ଟଙ୍କା ରିଚାର୍ଜ କରିବାକୁ କୁହାଯାଇଥିଲା।

ଏଥିରେ ଡେବିଟ୍‌ କାର୍ଡ ନମ୍ବର, ସିଭିଭି ନମ୍ବର ଉଲ୍ଲେଖ କରାଯାଇଥିଲା। ନମ୍ବର ଉଲ୍ଲେଖ କରି ସେ ମୋବାଇଲ୍‌ ରିଚାର୍ଜ କରିଥିଲେ। ସେପଟେ ଟିମ୍‌ ଭ୍ୟୁଅର‌୍‌ ମାଧ୍ୟମରେ ସାଇବର‌୍‌ ଅପରାଧୀ ତାଙ୍କ ଡେବିଟ୍‌ କାର୍ଡ ନମ୍ବର ଓ ସିଭିଭି ନମ୍ବର ଚୋରି କରି ନେଇଥିଲେ। ସନାତନଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା। ଏହି ଓଟିପି ବି ସେ ସାଇବର ଅପରାଧୀଙ୍କୁ ସେୟାର କରି ଦେଇଥିଲେ। ଏହାପରେ ବିଡାନାସୀ ଓ ତୁଳସୀପୁର ଏସ୍‌ବିଆଇ ବ୍ୟାଙ୍କ ଶାଖାରୁ ପ୍ରଥମେ ଦୁଇଟି ପର୍ଯ୍ୟାୟରେ ୨୫ ଲକ୍ଷ ୨୯ ହଜାର ୨୯୮ ଟଙ୍କା ଓ ୨୪ ଲକ୍ଷ ୨୮ ହଜାର ୪୨୧ ଟଙ୍କା ଗାଏବ ହୋଇଯାଇଥିଲା। ସେଦିନ ସନ୍ଧ୍ୟା ପ୍ରାୟ ୬ଟା ୪୫ ବେଳେ ସନାତନଙ୍କ ମୋବାଇଲକୁ ଏଟିଏମ୍‌ କାର୍ଡ ବ୍ଲକ ହୋଇଯାଇଥିବା ଏକ ମେସେଜ୍‌ ଆସିଥିଲା। ଏଭଳି ମେସେଜ ପାଇବା ପରେ ସେ ସମ୍ପୃକ୍ତ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁସନ୍ଧାନ ନକରି ବିନା ଯାଞ୍ଚରେ ଆଉ ଏକ ନୂଆ ଏଟିଏମ୍‌ କାର୍ଡ ନେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ଏବେ ଏଟିଏମ୍‌ କାର୍ଡ ବ୍ଲକ ହୋଇଯାଇଥିବାରୁ ଆଉ କୌଣସି ଅସୁବିଧା ନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ କହିଥିଲେ। କିନ୍ତୁ ୯ ତାରିଖରେ ସାଇବର‌୍‌ ଅପରାଧୀ ଯେଉଁ ବ୍ୟାଙ୍କ ତଥ୍ୟ ତାଙ୍କ ନିକଟରୁ ନେଇଥିଲେ ଉକ୍ତ ତଥ୍ୟ ବ୍ୟବହାର କରି ସେମାନେ ଟଙ୍କା ଲୁଟି ନେଇଥିଲେ। ଆଜି କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। କିନ୍ତୁ ଟଙ୍କା ଗାଏବ୍ ହେବାକୁ ୨ରୁ ୭ ଦିନ ବିତି ଯାଇଥିବାବେଳେ ଟଙ୍କା ଫେରି ପାଇବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଘଟଣା ଏବେ ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି।

ଆୟୁର୍ବେଦିକ ଡାକ୍ତରଙ୍କଠୁ ଠକିନେଲେ ୫୨ ଲକ୍ଷ

କଟକ: କଟକର ଜଣେ ଆୟୁର୍ବେଦିକ୍‌ ଡାକ୍ତରଙ୍କ ଠାରୁ ବି ୫୨ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର‌୍‌ ଅପରାଧୀ। ଡାକ୍ତରଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ସାଇବର‌୍‌ ଅପରାଧୀ ବୀମା ଆଳରେ ବିଭିନ୍ନ ପର୍ଯ୍ୟାୟରେ ୫୨ ଲକ୍ଷ ଟଙ୍କା ଲୁଟି ନେଇଥିବା ସଂପର୍କରେ ସଂପୃକ୍ତ ଡାକ୍ତର ଆଜି କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। ୨୦୧୫ରେ ରାୟପୁରରେ ଥିବା ବେଳେ ସେ ସାଇବର‌୍‌ ଅପରାଧୀଙ୍କ ଜାଲରେ ପଡ଼ିଥିଲେ। ବୀମା କଂପାନିର ଆଳରେ ଏଭଳି ଠକେଇ ହୋଇଥିବା କୁହାଯାଉଛି।

ସାଇବର ଠକ ଏକ ବୀମା କମ୍ପାନି ନାମରେ ୩୦ ଲକ୍ଷ ଟଙ୍କା ଜମା କଲେ ୬୦ ଲକ୍ଷ ଟଙ୍କା ମିଳିବାର ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସଂପୃକ୍ତ ଡାକ୍ତର ସେହି ସଂସ୍ଥା ନାମରେ ବିଭିନ୍ନ ପର୍ଯ୍ୟାୟରେ ୫୨ ଲକ୍ଷ ଟଙ୍କା ଜମା କରି ଦେଇଥିଲେ। କିନ୍ତୁ ଏବେ ଟଙ୍କା ଫେରି ପାଇବାର ସମୟ ବେଳକୁ ତାହା ସବୁ ଜାଲ ଆଉ ନକଲି ଥିବା ଜଣା ପଡିଛି। ଜାମତାରା କିମ୍ବା ନାଇଜେରିଆନ୍‌ ଗ୍ୟାଙ୍ଗ୍‌ ଏଭଳି ନକଲି ବୀମା ସ˚ସ୍ଥା ଖୋଲି ଟଙ୍କା ଡବଲ୍‌ କରିଦେବାର ପ୍ରତିଶ୍ରୁତି ଦେଉଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚର ସାଇବର‌୍‌ ଥାନା ମାମଲାକୁ ଗ୍ରହଣ କରି ଏ ସଂପର୍କରେ ଅଧିକ ଖୋଳତାଡ଼ ଜାରି ରଖିଛି। ଆସନ୍ତାକାଲି ଏ ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ସାଇବର୍ ଥାନାର ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe