ଭୁବନେଶ୍ବର: ଭୁବନେଶ୍ବର ପରେ ରାଜ୍ୟର ଦ୍ବିତୀୟ ଖାଦ୍ୟ ପରୀକ୍ଷାଗାର ପୁରୀରେ ପ୍ରତିଷ୍ଠା ହେବ। କେନ୍ଦ୍ର ସରକାର ଏଥିପାଇଁ ଆବଶ୍ୟକ ଅର୍ଥ ଓ ଯନ୍ତ୍ରପାତି ଯୋଗାଇଦେବେ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ସହ ରାଜ୍ୟମାନଙ୍କ ହୋଇଥିବା ବୈଠକରେ ଏହି ସୂଚନା ମିଳିଛି। ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଦେଶବ୍ୟାପୀ ଆଉ ୧୧ଟି ଖାଦ୍ୟ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ଘୋଷଣା ହୋଇଛି। ଏହିକ୍ରମରେ ଓଡ଼ିଶାକୁ ମିଳିଥିବା ପରୀକ୍ଷାଗାରକୁ ପୁରୀରେ ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ରାଜ୍ୟବ୍ୟାପୀ ସଂଗୃହୀତ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରକୁ ଆସୁଛି। ପୁରୀରେ ଥିବା ସଂକ୍ରାମକ ରୋଗ ହସ୍ପିଟାଲ(ଆଇଡିଏଚ୍) ପରିସରରେ ଏହି ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। ଏଠାରେ ସମସ୍ତ ଖାଦ୍ୟ(ମାଦକ ଦ୍ରବ୍ୟ ବାଦ୍) ସହ ମାଇକ୍ରୋବାୟୋଲୋଜି ପରୀକ୍ଷାର ସୁବିଧା ରହିବ। ଏଥିପାଇଁ ୨୬କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।
ସେହିପରି ଜରୁରି ପରିସ୍ଥିତିରେ ଖାଦ୍ୟର ମାନ ଯାଞ୍ଚ ପାଇଁ ଓଡ଼ିଶାରେ ଏକ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ଗାଡ଼ି ରହିଛି। ୨୦୧୮ ମସିହାରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏହି ଗାଡ଼ି ଯୋଗାଇ ଦିଆଯାଇଥିଲା। ତେବେ ଏହି ଗାଡ଼ିରେ କେତେକ ସମସ୍ୟା ରହିଥିବାରୁ ଅତ୍ୟାଧୁନିକ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ଗାଡ଼ି ଯୋଗାଇ ଦେବା ଲାଗି ଏଫ୍ଏସ୍ଏସ୍ଏଆଇକୁ ଅନୁରୋଧ କରାଯାଇଛି। ସବୁ ରାଜ୍ୟକୁ ଏହି ଗାଡ଼ି ଦିଆଯାଉଥିବାରୁ ଏସ୍ଏସ୍ଏସ୍ଏଆଇ ଏଥିପାଇଁ ଗ୍ଲୋବାଲ୍ ଟେଣ୍ଡର କରିପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟର ୧୩ଟି ଅବିଭକ୍ତ ଜିଲ୍ଲାରେ ୧୩ଟି ଭ୍ରାମ୍ୟମାଣ ଗାଡ଼ିକୁ ରଖିବା ଲାଗି ସରକାର ବିଚାର କରୁଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ପର୍ଯ୍ୟଟନ ଦୃଷ୍ଟିରୁ ସେଠାରେ ଏକ ଖାଦ୍ୟ ପରୀକ୍ଷାଗାରର ଆବଶ୍ୟକତା ଥିଲା। ଏଫ୍ଏସ୍ଏସ୍ଏଆଇର ମଞ୍ଜୁରି ମିଳିଥିବାରୁ ଆସନ୍ତା ଡିସେମ୍ବର ସୁଦ୍ଧା ଆଇଡିଏଚ୍ ପରିସର ଏହି ପରୀକ୍ଷାଗାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରାଯାଉଛି। ଏହାସହ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର କ୍ଷେତ୍ରରେ ମଧ୍ୟ ରାଜ୍ୟର ଶକ୍ତି ବୃଦ୍ଧି ହେବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us