କିଶୋରବାବୁଙ୍କ ସରଳତା ଥିଲା ତାଙ୍କର ବଡ଼ ପରିଚୟ: ମୁଖ୍ୟମନ୍ତ୍ରୀ

ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

କିଶୋରବାବୁଙ୍କ ସରଳତା ଥିଲା ତାଙ୍କର ବଡ଼ ପରିଚୟ: ମୁଖ୍ୟମନ୍ତ୍ରୀ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଛକରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କିଶୋରବାବୁଙ୍କ ସରଳତା ତାଙ୍କର ବଡ଼ ପରିଚୟ ଥିଲା। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ। ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭକରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନସଭାର ବାଚସ୍ପତି ମଧ୍ୟ ହୋଇଥିଲେ। ବିଜେଡିର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ। ଦଳକୁ ମଜଭୁତ୍‌ କରିବାରେ ତାଙ୍କର ବହୁତ ଅବଦାନ ଥିଲା। ଝାରସୁଗୁଡ଼ା ଜିଲ୍ଲାର ବିକାଶ ପାଇଁ ବହୁତ କାର୍ଯ୍ୟ କରିଥିଲେ‌ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି, ସ୍ବର୍ଗତ କିଶୋରବାବୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ଅନେକ ଉନ୍ନୟନମୂଳକ କାମ କରିଯାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ, ବିଧାୟକ ତଥା ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମଙ୍ଗଳା କିଷାନ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ସାରଦା ନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମାଝୀ, ପୂର୍ବତନ ବିଧାୟକ ଅନୁପ ସାଏ, ପୂର୍ବତନ ସାଂସଦ ଡ. ପ୍ରଭାସ ସିଂ,  ଅରୁନ୍ଧତୀ କୁମାରୀ ଦେବୀ, ସ୍ବର୍ଗତ କିଶୋରବାବୁଙ୍କ ବାପା ଗୋଲକ ବିହାରୀ ମହାନ୍ତି, ନଗରପାଳ ଯାଜ୍ଞସେନୀ ଓରାମ, ଉପନଗରପାଳ ଗୋପାଳ ସୀତାନି,  ଜିଲ୍ଲାପାଳ ସରୋଜ ସାମଲ, ଏସ୍‌ପି ରାହୁଲ ଜୈନ, ବ୍ରଜରାଜନଗର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe