ବାତ୍ୟା ଚିତ୍ର ସ୍ପଷ୍ଟ ‌ହେଉନି

ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ସଦ୍ୟତମ ଆକଳନ ଅନୁଯାୟୀ ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

୨୮ରେ ଘୂର୍ଣ୍ଣିବଳୟ, ୩୦ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ସଦ୍ୟତମ ଆକଳନ ଅନୁଯାୟୀ ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ୨୨ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ତାହା ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବା ସହ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହି ଅବପାତର ପ୍ରଭାବ ବିଷୟରେ ଆଇଏମ୍‌ଡି ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରି ନାହିଁ। ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ? କେଉଁ ଅବସ୍ଥାରେ କେଉଁଠି ସ୍ଥଳ ଭାଗ ସ୍ପର୍ଶ କରିବ? ଏହାର ପ୍ରଭାବ କ’ଣ ରହିବ ସେନେଇ ମଧ୍ୟ ଆଇଏମ୍‌ଡି ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇ ନାହିଁ। ତେବେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପାଣିପାଗ ମଡେଲ୍‌ ନିଜ ନିଜ ସ୍ତରରେ ପୂର୍ବାନୁମାନ କରିଛନ୍ତି। ଜିଏଫ୍‌ଏସ୍‌ ମଡେଲ୍‌ ଭୀଷଣ ବାତ୍ୟାର ଚିତ୍ର ସାମ୍ନାକୁ ଆସିଛି। ଘଣ୍ଟାପ୍ରତି ପବନର ବେଗ ୧୦୦ କିମି ଛଇଁବା ନେଇ ଆକଳନ କରିଛି। ତେବେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନିକଟରେ ଘସି ହୋଇ ପଶ୍ଚିମବଙ୍ଗର ସାଗର ଦୀପ ନିକଟରେ ମାଡ଼ ହୋଇପାରେ।

ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୬୦ କିମି ବେଗରେ ପବନ ହୋଇପାରେ। ୟୁରୋପିଆନ୍‌ ମଡେଲ୍‌ କିନ୍ତୁ ଭିନ୍ନ ଚିତ୍ର ଆଙ୍କୁଛି। ଅବପାତ ବାତ୍ୟା ରୂପ ନେଇ ନପା‌‌ରେ ଏବଂ ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁବ। କେଉଁ ସ୍ଥାନରେ ସ୍ଥଳ ଭାଗ ସ୍ପର୍ଶ କରିବ ତାହା କୁହାଯାଇ ନ ଥିଲେ ମଧ୍ୟ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ। ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ‌ମଡେଲ୍‌ ଦର୍ଶାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ ପୂର୍ବାନୁମାନ କରିଛନ୍ତି ଯେ ୨୦ ତାରିଖରେ ଘୂର୍ଣ୍ଣିବଳୟ ହେବା ପରେ ୨୧ରେ ତାହା‌ ଲଘୁଚାପରେ ପରିଣତ ହେବ। ୨୨ରେ ଅବପାତ ଏବଂ ୨୩ରେ ଗଭୀର ଅବପାତ ରୂପ ନେଇପାରେ। ୨୪ ତାରିଖ ମଧ୍ୟାହ୍ନରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହାର ଗତିପଥ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ଏହା ଉପରେ ଅଧିକ କିଛି କୁହାଯାଇ ପାରିବ। ଏବେଠାରୁ ଲୋକେ ଆତଙ୍କିତ ହୁଅନ୍ତୁ ନା‌ହିଁ। ବରଂ ସତର୍କତା ଅବଲମ୍ବନ କରିଥାନ୍ତୁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ସହ ସଂଲଗ୍ନ ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ପ୍ରଭାବ ରହିବ। ପବନ ସମ୍ପର୍କରେ ପାଣିପାଗ କେନ୍ଦ୍ର କିଛି କହିନାହିଁ। ଓଡ଼ିଶାର ଇତିହାସ ଦେଖିଲେ ଅକ୍ଟୋବର ମାସରେ ହିଁ ଅଧିକାଂଶ ବାତ୍ୟା ମାଡ଼ ହୋଇଛି। ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା। ୨୦୧୩ ଅକ୍ଟୋବରରେ ଅତିଭୀଷଣ ସାମୁଦ୍ରିକ ଝଡ଼ ‘ଫାଇଲିନ୍’, ୨୦୧୪ ଅକ୍ଟୋବରରେ ‘ହୁ଼ଡହୁଡ’ ଓ ୨୦୧୮ ଅକ୍ଟୋବରରେ ‘ତିତଲି’ର ତାଣ୍ଡବକୁ ସାମ୍ନା କରିଥିଲେ ଓଡ଼ିଶାବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe