ଋତୁଚକ୍ରର ଅଜବ ସ୍ଥିତି: ଦିନରେ ଗ୍ରୀଷ୍ମ,ରାତି ଶରତ

‘ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ୱରେ, ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ।’ ଶରତ ଋତୁର ଏହି ବୈଶିଷ୍ଟ୍ୟ ଯେମିତି ହଜିଯାଇଛି। ଶରତ ଋତୁରେ ଦିନରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି।

www.skymetweather.com

ଭୁବନେଶ୍ବର: ‘ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ୱରେ, ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ।’ ଶରତ ଋତୁର ଏହି ବୈଶିଷ୍ଟ୍ୟ ଯେମିତି ହଜିଯାଇଛି। ଶରତ ଋତୁରେ ଦିନରେ ଗ୍ରୀଷ୍ମର ତାତି ଅନୁଭୂତ ହେଉଛି। ଆକାଶରେ ଭସା ବାଦଲ ନାହିଁ। ଆକାଶ ନିର୍ମଳ ରହୁଛି। ରାତି କିନ୍ତୁ ଶରତ ଭଳି ଅନୁଭୂତ ହେଉଛି। ରାତି ତାପମାତ୍ରା ସାମାନ୍ୟ ଖସିଛି। ଫଳରେ ଦିନରେ ଗ୍ରୀଷ୍ମ ଓ ରାତିରେ ଶରତ ଋତୁ; ରାଜ୍ୟବାସୀ ଏକାଥରେ ଦୁଇ ଋତୁକୁ ଏବେ ଅନୁଭବ କରୁଛନ୍ତି। ରାଜ୍ୟରେ ଆଜି ସକାଳୁ ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ନିର୍ମଳ ଆକାଶ ସାଙ୍ଗକୁ ସୂର୍ଯ୍ୟଙ୍କ ତୀର୍ଯ୍ୟକ ରଶ୍ମି ଦିନ ୧୧ଟା ସୁଦ୍ଧା ତାପମାତ୍ରାକୁ ୩୦ ଡିଗ୍ରି ପାଖାପାଖି ପହଞ୍ଚାଇ ଦେଇଥିଲା।

୨ ଦିନରେ ଲଘୁଚାପ, ବଦଳିପାରେ ପାଗ

ବର୍ତ୍ତମାନ ସମୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ପାଖାପାଖି ରହିବା କଥା। କିନ୍ତୁ ଆଜି ରାଜ୍ୟର ୩ ସହରର ତାପମାତ୍ରା ୩୬ ଡିଗ୍ରି ଅତିକ୍ରମ କରିଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୬.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ନୟାଗଡ଼ରେ ୩୬.୫ ଡିଗ୍ରି ରହିଥିଲା। ସେହିଭଳି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬ ଡିଗ୍ରି। ଆଜି ରାଜ୍ୟର ୧୦ ହଜାରର ତାପମାତ୍ରା ୩୫ ଡିଗ୍ରି ଅତିକ୍ରମ କରିଛି। ପାର୍ବଣର ପସରା ସହ ଆଶ୍ବିନ ମାସ ଆରମ୍ଭ ହୋଇଯାଇଥିବା ବେଳେ ଏଭଳି ଖରା ପାଣିପାଗ ବିଜ୍ଞନୀଙ୍କୁ ବି ଆଶ୍ଚର୍ଯ୍ୟ କରୁଛି। ଜଳବାୟୁ ପରିବର୍ତ୍ତନର ଫଳସ୍ବରୂପ ଏଭଳି ତାପମାତ୍ରା ଅନୁଭୂତ ହେଉଥିବା ସେମାନେ ମତପ୍ରକାଶ କରିଛନ୍ତି। ତେବେ ସାଧାରଣତଃ ଭାଦ୍ରବ ମାସରେ ମୌସୁମୀ ବିରତି ସମୟରେ ଏଭଳି ପାଣିପାଗ ଅନୁଭୂତ ହୋଇଥାଏ। କିନ୍ତୁ ବିଳମ୍ବିତ ମୌସୁମୀ ଯୋଗୁଁ  ଆଶ୍ବିନରେ ଏଭଳି ପାଗ ରହିଥିବା କୁହାଯାଉଛି। 

ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ୨ ଦିନ ଭିତରେ ରାଜ୍ୟର ଏ ପାଗରେ ପରିବର୍ତ୍ତନ ଆସିବ। କାରଣ ଶନିବାର ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାଫଳରେ ରାଜ୍ୟରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇପାରେ। ଆସନ୍ତାକାଲି କୋରାପୁଟ, ମାଲକାନଗିରିନବରଙ୍ଗପୁର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଏଥିସହ ସମଗ୍ର ଉପକୂଳ ଓ ସଂଲଗ୍ନରେ ବର୍ଷା ହେବ। ଏଣୁ ସମସ୍ତ ଜିଲ୍ଲା ପାଇଁ ୟେ‌ଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe