ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅଧୀନ ମୁକୁନ୍ଦପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗତକାଲି ଅପରାହ୍ନରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଯଶସ୍ବିନୀ ପଟ୍ଟନାୟକଙ୍କ ମାଡ଼ରେ ୩ୟ ଶ୍ରେଣୀ ଛାତ୍ର ଆୟୁଷ ଜେନାଙ୍କ ମୁଣ୍ଡ ଫାଟିଯାଇଛି। ଆସିକା ଡାକ୍ତରଖାନାରେ ଆୟୁଷଙ୍କ ଚିକିତ୍ସା କରା ଯାଇଥିବା ବେଳେ ତାଙ୍କ ମୁଣ୍ଡରେ ୮ଟି ଷ୍ଟିଚ୍ ପଡ଼ିଛି। ଆୟୁଷ ବିଦ୍ୟାଳୟର ଘଣ୍ଟି ବଜାଇବା କାରଣରୁ ଏଥିରେ ଯଶସ୍ବିନୀ ଉତ୍କ୍ଷିପ୍ତ ହୋଇଉଠିଥିଲେ। ମାଡ଼ ମାରି ଠେଲି ଦେବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ବାପା ଅନୁଜ କୁମାର ଜେନା ଆୟୁଷକୁ ଡାକ୍ତରଖାନାକୁ ନେଇଥିଲେ। ତେବେ ଏହି ଘଟଣାକୁ ନେଇ ଆଜି ସକାଳେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରଛାତ୍ରୀମାନେ ସ୍କୁଲ୍ ଫାଟକ ଆଗରେ ଧାରଣା ଦେଇଥିଲେ। ଏଥିରେ ଆୟୁଷ ଓ ତାଙ୍କ ବାପା ମଧ୍ୟ ସାମିଲ ହୋଇ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆସିକା ବିଇଓ ମୁନ୍ରାଣୀ ମହାନ୍ତି ପହଞ୍ଚି ତଦନ୍ତ କରିଥିଲେ।
ତେବେ ପ୍ରଧାନଶିକ୍ଷୟିତ୍ରୀ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ଆବେଦନ କରି ବିଦ୍ୟାଳୟକୁ ଆସି ନଥିଲେ। ଅନ୍ୟପଟେ ବିଇଓ ପ୍ରାଥମିକ ତଦନ୍ତ ପରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଅବହେଳା ବିଷୟରେ ସ୍ପଷ୍ଟ କରିଛନ୍ତି। ୨ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଆୟୁଷଙ୍କ ବାପା ଅନୁଜଙ୍କ ଏତଲା କ୍ରମେ ଆସିକା ଥାନାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି।
Follow Us