ଦାଦନଗଡ଼ର ଟାଙ୍ଗରା ଓ କଇଁଫୁଲମାନେ: ଅନାହାର, ଶିଶୁ ବିକ୍ରି ଅଭିଯୋଗ ଆଉ ନାହିଁ

Advertisment

ବର୍ଷର ଅଧା ସମୟ ଯାଉଛନ୍ତି ଦାଦନ ଖଟି, ଫେରିବା ଅପେକ୍ଷାରେ ବୁଢ଼଼ବୁଢ଼ୀ, କୁନିଛୁଆ

ବର୍ଷର ଅଧା ସମୟ ଯାଉଛନ୍ତି ଦାଦନ ଖଟି, ଫେରିବା ଅପେକ୍ଷାରେ ବୁଢ଼଼ବୁଢ଼ୀ, କୁନିଛୁଆ

ଦାଦନଗଡ଼ର ଟାଙ୍ଗରା ଓ କଇଁଫୁଲମାନେ: ଅନାହାର, ଶିଶୁ ବିକ୍ରି ଅଭିଯୋଗ ଆଉ ନାହିଁ

ପ୍ରଶାନ୍ତ ମିଶ୍ର

ବଲାଙ୍ଗୀର: ଅଶୀ ଦଶକରେ ଗାଁର କରୁଣ ଚିତ୍ର ସାରା ବିଶ୍ବକୁ ଦୋହଲାଇ ଦେଇଥିଲା। ଅନାହାର, ଶିଶୁ ବିକ୍ରି ଭଳି ଅଘଟଣକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମ୍ମାନ ବାଜିରେ ଲାଗିଥିଲା। ଇଏ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା, ବେଲପଡ଼ା, ଖପ୍ରାଖୋଲ ଭଳି ବ୍ଲକ୍‌ ଅଧିବାସୀଙ୍କ କଥା। ଅଞ୍ଚଳର କୁମାରୀ, ହେମା ତାଣ୍ଡି ବିକ୍ରି ସହିତ ଅନେକ ଅନାହାର ମୃତ୍ୟୁ ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିଲା। ସବୁଠାରୁ ବଡ଼ କଥା ହେଲା, ଜଣେ କି ଦୁଇଜଣ ନୁହେଁ, ଅତୀତରେ ୪ ଜଣ ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳକୁ କେବଳ ଦାରିଦ୍ର୍ୟ ଦେଖିବା ପାଇଁ ଆସିଥିଲେ। ଏହି ଦୃଶ୍ୟ ଆଉ ନାହିଁ। ରାସ୍ତାଘାଟ, ଘରଦ୍ବାର, ବିଜୁଳି, ପିଇବା ପାଣି ଭଳି ଅନେକ ସୁବିଧା ଗାଁରେ ପହଞ୍ଚି ପାରିଛି। ମାତ୍ର ଲୋକଙ୍କ ପାଇଁ କାମର ଘୋର ଅଭାବ ଜଳ ଜଳ। ଖପ୍ରାଖୋଲ ବ୍ଲକ ଲାଠୋର ଠାରେ ଥିବା ହରିଶଙ୍କର ରୋଡ଼୍ ଷ୍ଟେସନ ଏବେ ଚଳଚଞ୍ଚଳ। କଣ୍ଟାବାଞ୍ଜି ଓ ନୂଆପଡ଼ା ମଝି ରେଳଷ୍ଟେସନରୁ ହଜାର ହଜାର ସଂଖ୍ୟାରେ ଦାଦନ ଟ୍ରେନରେ ରାଜ୍ୟ ବାହାରକୁ ଯାଉଛନ୍ତି। ଡିସେମ୍ବର ମାସ ଆରମ୍ଭରୁ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବାହାରକୁ ଯିବା ପ୍ରକ୍ରିୟା ଲାଗି ରହିବ। ଶ୍ରମ ଠିକାଦାର ଶ୍ରମ ବିଭାଗ ଦପ୍ତରରେ ଶ୍ରମିକଙ୍କ ନାମ ଓ ବିସ୍ତୃତ ତଥ୍ୟ ପଞ୍ଜୀକରଣ କରିବାକୁ ଥିଲେ ହେଁ ଏହାର ଧଜିଆ ଉଡ଼ୁଛି। ଏଇଥିପାଇଁ, ଶ୍ରମିକ ଚାଲାଣ ବେଳେ ପ୍ରଶାସନ-ଶ୍ରମଠିକାରଙ୍କ ମଧ୍ୟରେ ଛକାପଞ୍ଜା ଲାଗି ରହିଛି। ପୂର୍ବରୁ ଶ୍ରମିକ ଚାଲାଣ ପରେ ଗାଁ ଗୁଡ଼ିକ ଖାଲି ହୋଇ ଯାଉଥିଲା। ଏବେ ରାଜ୍ୟ ସରକାରଙ୍କ ଚାଉଳ ଓ ଭତ୍ତା ଯୋଗୁଁ ଗାଁରେ ପରିବାରର କିଛି ଲୋକ ଅଟକି ରହୁଛନ୍ତି। ଏ ଚିତ୍ର ବି ଛାତି ଥରାଇ ଦେବା ଭଳି। କାରଣ ଅଧିକାଂଶ ପରିବାରର ଯେଉଁମାନେ ଘରେ ରହୁଛନ୍ତି, ସେମାନେ ହେଲେ ବୁଢ଼ାବୁଢ଼ୀ। ଏମାନଙ୍କୁ ଏକୁଟିଆ ଗାଁରେ ଛାଡ଼ି ଚାଲି ଯାଇଥାନ୍ତି ଅବଶିଷ୍ଟ ପରିବାର।

ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତର ଏକ ଅଗମ୍ୟ ଗାଁ ହେଲା ଛତରଙ୍ଗ-ପହରିଆପଡ଼ା। ଏଠାରେ ପହରିଆ ଜାତିର ପ୍ରାୟ ୪୫ ପରିବାର ରହନ୍ତି। ଜଙ୍ଗଲରୁ ବାଉଁଶ ଆଣି ସେଥିରେ ଡଲା, କୁଲା ଓ ଟୋକେଇ ତିଆରି କରି ବିକ୍ରି କରନ୍ତି। ଅବଶିଷ୍ଟ ୬ ମାସ ରାଜ୍ୟ ବାହାରେ ଦାଦନ ଖଟନ୍ତି। ନୂଆଖାଇ ଓ ଦଶହରା ପରେ ଏମାନଙ୍କ ଦାଦନ ଯାତ୍ରା ଆରମ୍ଭ ହୋଇଥାଏ। ଗାଁରୁ ଅନେକ ପରିବାର ତିରୁପତି ଓ ଚେନ୍ନାଇ ଅଭିମୁଖେ ବାହାରି ଗଲେଣି। ଗାଁର ଶଙ୍କର ପହରିଆ ଓ ତାଙ୍କ ସ୍ତ୍ରୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ଘରେ ପିତା ଟାଙ୍ଗରା ପହରିଆ (୭୩) ଓ ତାଙ୍କ ପତ୍ନୀ ସୁରୁଜ ପହରିଆ (୬୫)ଙ୍କ ସହିତ ଦୁଇଟି ୩/୪ ବର୍ଷର ଛୋଟ ଛୁଆକୁ ସେମାନେ ଛାଡ଼ି ଯାଇଛନ୍ତି। ଦୁଇ ଛୋଟ ଛୁଆଙ୍କ ଲାଳନପାଳନ ପାଇଁ ଏ ବୟସରେ ବି ସଂଘର୍ଷ କରୁଛନ୍ତି। ବେଲପଡ଼ା ବ୍ଲକ ଘାଘରା ପଞ୍ଚାୟତର ମାଓ ଅଧ୍ୟୁଷିତ ଆଦିବାସୀ ଗ୍ରାମ ଡୁମେରବାହାଲର ଲୋଚନ ବରିହା, ଟିକଚନ୍ଦ ବରିହା, ଗଜରାଜ ବରିହା ପ୍ରମୁଖଙ୍କ ଘରେ ଏବେ ତାଲା ପଡ଼ିଛି। କିଛି ଲୋକ ଦ୍ବାରକୁ ଇଟାଯୋଡ଼ି ବନ୍ଦ କରି ଦାଦନ ଯାଇଛନ୍ତି। ଗାଁର ୮୦ ବର୍ଷୀୟା ବୃଦ୍ଧା କଇଁଫୁଲ ବରିହାଙ୍କ ପୁଅ ତୁଳାରାମ ତାଙ୍କ ପରିବାର ନେଇ ଯାଇଥିବା ବେଳେ ଅନ୍ୟ ଦୁଇ ପୁଅ ମଧ୍ୟ ଯିବାକୁ ବାହାରିଛନ୍ତି। ବୃଦ୍ଧା କଇଁଫୁଲ ଏକୁଟିଆ ଗାଁରେ ରହିବାକୁ ଏବେ ପ୍ରସ୍ତୁତ ହେଉଛନ୍ତି। କେବଳ ଟାଙ୍ଗରା କି କଇଁଫୁଲ ନୁହନ୍ତି ଏଭଳି ଅନେକ ବୁଢ଼ାବୁଢ଼ୀ ବିଭିନ୍ନ ଗ୍ରାମରେ ପରିବାର ଫେରିବା ପର୍ଯ୍ୟନ୍ତ ଅସହାୟ ଜୀବନ ଜିଅଁନ୍ତି। ଏମାନଙ୍କ ପାଖେ ସରକାରଙ୍କ ଯୋଜନାର କିଛି ବି ମହତ୍ତ୍ବ ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe