ଛାତ୍ର ମୁଥମାଡ଼ରେ ଅଧ୍ୟାପକ ଅଚେତ, ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର

ଛାତ୍ର ମୁଥମାଡ଼ରେ ଅଧ୍ୟାପକ ଅଚେତ, ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର

ଝାରସୁଗୁଡ଼ା : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଟାପାଲିଠାରେ ଥିବା ପିକେଏସ୍‌ଏସ୍‌ ଡିଗ୍ରି କଲେଜରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି କଲେଜର ଜଣେ ଛାତ୍ର ରାଜେଶ ସହିସଙ୍କ ମୁଥମାଡ଼ରେ ସେହି କଲେଜର ଜଣେ ଅଧ୍ୟାପକ ଅମିତ ବାରିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।

କଲେଜର ଅଧ୍ୟକ୍ଷା କୃଷ୍ଣା କୁମାରୀ ଭୋଇଙ୍କ ସୂତ୍ରରୁ ପ୍ରକାଶ ଯେ, ଅଧ୍ୟାପକ ଶ୍ରୀ ବାରିକ ଆଜି ଦିନ ୧୧.୧୫ରୁ ଯୁକ୍ତ ତିନି ଶ୍ରେଣୀର ଇଭିଏସ୍‌ ପଢ଼ାଉଥିଲେ। ପ୍ରାୟ ୧୧.୪୫ ସମୟରେ ଛାତ୍ର ରାଜେଶ ଶ୍ରେଣୀଗୃହରେ ପହଞ୍ଚିଥିଲେ। ବିଳମ୍ବରେ ଆସିଥିବାରୁ ଅଧ୍ୟାପକ ଉକ୍ତ ଛାତ୍ରଙ୍କୁ ଶ୍ରେଣୀରେ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ। ଏହାକୁ ନେଇ ଛାତ୍ର ଓ ଅଧ୍ୟାପକଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜେଶ ଅଧ୍ୟାପକ ଶ୍ରୀ ବାରିକଙ୍କ ବାମପଟ କାନମୁଣ୍ଡରେ ଏକ ଶକ୍ତ ମୁଥ ମାରିଥିଲେ। ଫଳରେ, ଅଧ୍ୟାପକ ଶ୍ରୀବାରିକ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଥିଲା। ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ସମଲେଶ୍ବରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ଜମାଟ ବାନ୍ଧି ବାନ୍ଧିଥିବାରୁ ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ। ଅପରାହ୍ନ ପ୍ରାୟ ୨ଟାରେ ତାଙ୍କୁ ସମ୍ବଲପୁରର ଏକ ଘ‌ରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧ୍ୟାପକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅନ୍ୟପକ୍ଷରେ, କଲେଜ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ସୂଚନା ଦେବାପରେ ପୁଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ୩୦୭ ଦଫାରେ କୋର୍ଟଚାଲାଣ କରିଛି। ଛାତ୍ରଟି କରାଟେ ବ୍ଲାକ ବେଲ୍ଟ ଯୁକ୍ତ ବୋଲି କଲେଜ ସୂତ୍ରରୁ ଜଣାପଡ଼ିଛି। ଅଧ୍ୟାପକଙ୍କ ଘର ବୁଢ଼ୀପଦର ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ରଙ୍କ ବ୍ରଜରାଜନଗରରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe