ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଶିକ୍ଷକଙ୍କ ଜୀବନ ଗଲା

ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଶିକ୍ଷକଙ୍କ ଜୀବନ ଗଲା

ଖଣ୍ଡପଡ଼ା/କଣ୍ଟିଲୋ/ମହାକାଳପଡ଼ା : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍‌ରୁ ଏଠାକୁ ପିକ୍‌ନିକ୍‌ ପାଇଁ ଆସିଥିବା ବେଳେ ଜଣେ ଛାତ୍ର ବୁଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଶିକ୍ଷକ ପ୍ରାଣ ହରାଇଛନ୍ତି।

ମୃତ ଶିକ୍ଷକ ହେ‌ଲେ, ସରୋଜ ଦାସ (୨୮)। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଶଙ୍ଖପଦା ଗ୍ରାମରେ ଏବଂ ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିଲେ। ବୁଧବାର ସକାଳେ ମହାକାଳପଡ଼ା ବ୍ଲକ୍‌ ବଳିପାଳ ପଞ୍ଚାୟତ ବିଦ୍ୟାଧରପୁରପାଟଣା କଳିଙ୍ଗ ବିକାଶ କୋଚିଂ ସେଣ୍ଟର୍‌ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନର ପିକ୍‌ନିକ୍‌ ଦଳ ସହିତ ସରୋଜ ନୟାଗଡ଼ ଜିଲ୍ଲା କଣ୍ଟିଲୋକୁ ଆସିଥିଲେ। ସକାଳେ ଠାକୁରଙ୍କ ଦର୍ଶନ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ତେବେ ମହାନଦୀ ଘାଟରେ ଗାଧୋଇବା ବେଳେ ସଂଗ୍ରାମ ନାମକ ଜଣେ ଛାତ୍ର ଗଭୀର ଜଳ ଭିତରକୁ ଚାଲିଯାଇଥିଲେ। ପାଣିରେ କିଛିସମୟ ପାଇଁ ନିଖୋଜ ହୋଇଯାଇଥିଲେ। ଏହିସମୟରେ ସରୋଜ ତାଙ୍କୁ ବଞ୍ଚାଇବାକୁ ଗଭୀର ଜଳକୁ ପଶିବାପରେ ସେ ମଧ୍ୟ ନିଖୋଜ ହୋଇଯାଇଥିଲେ। ତେବେ ତୁଠର ଅନତିଦୂରରେ ଗାଧୋଉଥିବା ସ୍ଥାନୀୟ ଲୋକମାନେ ପାଟିଶୁଣି ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ବହୁ ଖୋଜାଖୋଜି କଲାପରେ ଶିକ୍ଷକଙ୍କୁ ପାଇଥିଲେ। ଗୁରୁତର ଅବସ୍ଥାରେ ସହଯୋଗୀମାନେ ଆମ୍ବୁଲାନ୍ସ ଯୋଗେ ସରୋଜଙ୍କୁ ନେଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ପାଇ ସ୍ଥାନୀୟ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ମହାକାଳପଡ଼ାସ୍ଥିତ ଶଙ୍ଖପଦାରୁ ଆସିଥିବା ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ଏହିଭଳି ଏକ ଦୁଃଖଦ ଘଟଣା ପରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହେବାସହ ସମସ୍ତେ କେନ୍ଦ୍ରାପଡ଼ା ଫେରିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe