ଭାସିଗଲା କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ : ୬ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

Advertisment

୨୦ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ, ଯୁଦ୍ଧକାଳୀନ ଭିତ୍ତିରେ ହେବ ମରାମତି

୨୦ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ, ଯୁଦ୍ଧକାଳୀନ ଭିତ୍ତିରେ ହେବ ମରାମତି

ଭାସିଗଲା କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ : ୬ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କଲ୍ୟାଣସିଂହପୁର : ବର୍ଷା ସାମାନ୍ୟ ବଢ଼ିବା ପରେ ପୁଣି ଭାସିଗଲା କଲ୍ୟାଣୀ ନଦୀ ଅସ୍ଥାୟୀ ପୋଲ। ଯାହା ଫଳରେ ପ୍ରାୟ ୬ଟି ପଞ୍ଚାୟତ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛି। ୨୦ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୋଲ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅପରପକ୍ଷରେ ସ୍ଥାୟୀ ପୋଲ ନିର୍ମାଣରେ ବିଳମ୍ବ ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଠିକ୍ ୩ବର୍ଷ ତଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପ୍ରଳୟଙ୍କରୀ ବନ୍ୟାର ସମ୍ମୁଖୀନ ହୋଇଥିଲା। ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ବନ୍ୟାରେ ଭାସି ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଲୋକଙ୍କ ସମସ୍ୟା। ବିଶେଷ କରି ରୋଗୀ ଏବଂ ଗର୍ଭବତୀଙ୍କୁ ଭାର କରି ନଦୀ ପାର କରିବାର ଦୃଶ୍ୟ ସବୁ ଦେଖିବାକୁ ମିଳିଥିଲା। ତେଣୁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ସ୍ଥାୟୀ ପୋଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ୬ଟି ପଞ୍ଚାୟତର ଲୋକଙ୍କ ଚଳପ୍ରଚଳ ପାଇଁ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲା। କିନ୍ତୁ ପ୍ରତିବର୍ଷ ବର୍ଷା ଋତୁରେ ଏହି ଅସ୍ଥାୟୀ ପୋଲ ଭାସି ଯାଉଛି। ଚଳିତ ବର୍ଷ ମଧ୍ୟ ଆଜି ସକାଳ ପ୍ରାୟ ୬ଟାରେ ବର୍ଷା ପାଣି ନଦୀରେ ପଶିବା ପରେ ପ୍ରାୟ ୧୨ଫୁଟ୍‌ ପୋଲ ଧୋଇଯାଇଛି। ପୋଲ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଲୋକେ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଗତବର୍ଷ ଆରମ୍ଭ ହୋଇଥିଲା। କିନ୍ତୁ କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ କରୋନା କାରଣରୁ କାମ ପ୍ରଭାବିତ ହୋଇଛି। ସେହିପରି ସ୍ଥାୟୀ ପୋଲ ଭାସିଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ୍ ପ୍ରଶାସନକୁ ଗୋଟିଏ ଡଙ୍ଗା ପ୍ରଦାନ କରାଯାଇଥିଲା। ଏହି ଡଙ୍ଗାରେ ସ୍ଥାନୀୟ ଧୀବର ଲୋକଙ୍କୁ ନଦୀ ପାର କରାଉଥିଲେ। କିନ୍ତୁ ବନ୍ୟା ପାଣିରେ ନଦୀ ଫୁଲିଲେ ଏହି ଡଙ୍ଗା ମଧ୍ୟ ଚାଲେ ନାହିଁ। ପୁଣି ମରାମତି ଅଭାବରୁ ତଳପଟୁ କଣା ହୋଇଯାଇଛି। ପାଣି ପଶିଯିବା ସତ୍ତ୍ବେ ବିପଦସଙ୍କୁଳ ଅବସ୍ତାରେ ଧୀବରମାନେ ଡଙ୍ଗାକୁ ଚଲାଉଛନ୍ତି। ଚଳିତ ବର୍ଷ ପୋଲ ଭାସିଯିବା ପରେ ଡଙ୍ଗା ଚଲାଇବାକୁ ଧୀବରମାନେ ପ୍ରସ୍ତୁତ ଥିଲେ ମଧ୍ୟ ଦଦରା ଡଙ୍ଗାକୁ ଦେଖି ସାହସ ଜୁଟାଇ ପାରୁନାହାନ୍ତି।

ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ଚନ୍ଦ୍ର ମଣ୍ଡଳଙ୍କୁ ପଚାରିବାରୁ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ସୁଦ୍ଧା ଶେଷ ହୋଇଯିବ। ସେହି ପର୍ଯ୍ୟନ୍ତ ଅସ୍ଥାୟୀ ପୋଲରେ ହିଁ ଲୋକେ ଯାତାୟତ କରିବେ। ଏଥିପାଇଁ ବିଭାଗ ପକ୍ଷରୁ ପ୍ରତି ବର୍ଷ ନଭେମ୍ବର ମାସରେ ଅସ୍ଥାୟୀ ପୋଲ ତିଆରି କରାଯାଉଛି। ଜୁଲାଇ ମାସରେ ନଦୀରେ ଜଳପତ୍ତନ ବଢ଼ିଲେ ପୋଲ ଧୋଇଯାଉଛି। ଏଥର ମଧ୍ୟ କ୍ଷତିଗ୍ରସ୍ତ ଅସ୍ଥାୟୀ ପୋଲରେ ମାଟି ଏବଂ ବାଲି ବସ୍ତା ପକାଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯାଉଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe