ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣା ରହସ୍ୟରେ 

୧୪ ମାସ ପରେ ବି ପୁଲିସ ହାତ ଖାଲି

ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣା ରହସ୍ୟରେ 

ଚଣ୍ଡିଖୋଲ: ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ର ଗ୍ରାମଦେବତୀ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଚୋରି ଘଟଣାକୁ ୧୪ ମାସ ବିତିଯାଇଛି। ହେଲେ ପୁଲିସ ଚୋରଙ୍କ ପାଖରେ ପହଞ୍ଚି ପାରିଲାନି କି ମୂର୍ତ୍ତି ଉଦ୍ଧାର ହୋଇପାରିନି। ଫଳରେ ପୁଲିସ ଉପରୁ ଭରସା ତୁଟାଇ ଗ୍ରାମବାସୀ ଏକ ନୂଆମୂର୍ତ୍ତି ସ୍ଥାପନା କରି ପୂଜା କରୁଛନ୍ତି। ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାରେ ଏକ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି।
ବଡ଼ଚଣା ଥାନା ତଥା ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ଭାବେ ଅଷ୍ଟଧାତୁ ନିର୍ମିତ ମା' କୋଟ୍ରାକ୍ଷୀ ପୂଜା ପାଇ ଆସୁଥିଲେ । ଅଷ୍ଟଧାତୁରେ ନିର୍ମିତ ମା' ଙ୍କର ଏହି ମୂଲ୍ୟବାନ ମୂର୍ତ୍ତିର ଓଜନ ୫୦ କିଲୋଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଗ୍ରାମବାସୀ ସେତେବେଳେ ସୂଚନା ଦେଇଥିଲେ । ୨୦୨୧ ଜାନୁଆରି ୧୧ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୂର୍ତ୍ତିଟିକୁ ଚୋରି କରି ନେଇଥିଲେ ।

ଏହି ଘଟଣାଟି ସେତେବେଳେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଗ୍ରାମବାସୀଙ୍କ ଭାବାବେଗକୁ ଆଘାତ ଦେଇଥିଲା। ପୁଲିସ ଏହି ଘଟଣାରେ କିଛି ଦିନ ଧରି ତତ୍ପରତା ଦେଖାଇଥିଲେ ମଧ୍ୟ ଚୋରଙ୍କ ନିକଟରେ ପହଞ୍ଚି ପାରିନଥିଲା। ଯାଜପୁର ଏସ୍‌ପି ମଧ୍ୟ ସେତେବେଳେ ଏହି ଗ୍ରାମକୁ ଦୁଇଥର ଆସି ଘଟଣାସ୍ଥଳ ଅନୁଧ୍ୟାନ କରି ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୧୪ମାସ ବିତିଯାଇଥିବାରୁ ଏହି ପ୍ରସଙ୍ଗ ଥଣ୍ଡା ପଡ଼ିଯାଇଛି। ଗ୍ରାମବାସୀ ଏକ ନୂତନ ମୂର୍ତ୍ତି ମନ୍ଦିରରେ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଛନ୍ତି। ତେବେ ଏହି ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣାର ପୁନଃ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe