ଚୋରଙ୍କ ଟାର୍ଗେଟ୍‌ରେ ବନ୍ଦ ଆର୍‌ଏସ୍‌ପି କ୍ବାର୍ଟର୍ସ:ପୂର୍ବ ଅଧ୍ୟକ୍ଷଙ୍କ ଘରୁ ୧୫ ଲକ୍ଷର ଗହଣା ଚୋରି

Advertisment

ସେକ୍ଟର-୨ରେ ଚୋରି ବଢ଼ୁଛି, ପାଟ୍ରୋଲିଂ ଶୂନ

ସେକ୍ଟର-୨ରେ ଚୋରି ବଢ଼ୁଛି, ପାଟ୍ରୋଲିଂ ଶୂନ

ଚୋରଙ୍କ ଟାର୍ଗେଟ୍‌ରେ ବନ୍ଦ ଆର୍‌ଏସ୍‌ପି କ୍ବାର୍ଟର୍ସ:ପୂର୍ବ ଅଧ୍ୟକ୍ଷଙ୍କ ଘରୁ ୧୫ ଲକ୍ଷର ଗହଣା ଚୋରି

ରାଉରକେଲା: ସେକ୍ଟର-୩ ଥାନା ଅଞ୍ଚଳରେ ପୁଣି ମାତିଲେଣି ଚୋର। ବିଶେଷକରି ସେକ୍ଟର-୨ ଏଚ୍‌-ବ୍ଲକ ରେ ଏକାଧିକ ଆର୍‌ଏସ୍‌ପି କ୍ବାର୍ଟର୍ସ ଖାଲି ପଡ଼ିଥିବାବେଳେ ଏଠାରେ ଚୋରଦଳଙ୍କୁ ପ୍ରାଦୁର୍ଭାବ ଆଶାତୀତ ହେଲାଣି। କେତେବେଳେ ଖାଲି ପଡ଼ିଥିବା ଆର୍‌ଏସ୍‌ପି କ୍ବାର୍ଟର୍ରସ ବିଭିନ୍ନ ସାମଗ୍ରୀ ଚୋରି କରୁଛନ୍ତି ତ କେତେବେଳେ ଭଡ଼ାଟିଆଙ୍କ ଅନୁପସ୍ଥିତିରେ ସୁନା ଅଳଙ୍କାର, ଟଙ୍କା ଆଦି ଚୋରି ହେଉଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ପୁଣି ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ ଗ୍ରୀଲ୍‌ ତାଡ଼ି ପ୍ରାୟ ୧୫ ଲକ୍ଷର ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିନେଇଛନ୍ତି।

ସେକ୍ଟର-୨, କ୍ବାର୍ଟର୍ସ ନମ୍ବର ଏଚ୍‌-୨। ଏଠାରେ ଉତ୍କଳମଣୀ ହୋମିଓପାଥିକ୍‌ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଆର.କେ. ପଣ୍ଡା ଓ ପତ୍ନୀ ବାସ କରନ୍ତି। ପଣ୍ଡା ଦମ୍ପତି ବ୍ୟକ୍ତିଗତ କାମରେ ଗତ ୧୯ ତାରିଖରୁ ନିଜ ଜନ୍ମ ସ୍ଥାନକୁ ଯାଇଥିବାବେଳେ ଏଠାରେ ଜଣେ ଜଗୁଆଳୀ ରହୁଥିଲେ। ଜଗୁଆଳୀ ଜଣକ ସେଠାରେ କେବଳ ରାତ୍ରୀଯାପନ କରୁଥିବାବେଳେ ବାକି ସମୟରେ ଘରେ ତାଲା ପଡ଼ୁଥିଲା। ଗତକାଲି ରାତି ପ୍ରାୟ ୧୦ଟାରେ ଜଗୁଆଳି ଉକ୍ତ କ୍ବାର୍ଟର୍ସରେ ପହଞ୍ଚିଲାବେଳକୁ ପଛପଟ ଗେଟ୍‌ ସହ ଆଲମିରା ତଡ଼ା ଯାଇଥିବା ଦେଖିବାକୁ ପାଇଥିଲେ।

ଏନେଇ ତୁରନ୍ତ ସେକ୍ଟର-୩ ଥାନାକୁ ସୂଚନା ଦିଆଯାଇଥିଲା। ପୁଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲା। ଆଲମିରା ଭିତରେ ଥିବା ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ୩୦ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନରେ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚି ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଥିଲା। ଉଲ୍ଲେଖଯୋଗ୍ୟ, ସନ୍ଧାନୀ କୁକୁର ସେକ୍ଟର-୨ ବସ୍ତିର ଏକ ଘରକୁ ଚିହ୍ନଟ କରିଥିଲା। ସମ୍ଭବତଃ ଉକ୍ତ କ୍ବାର୍ଟର୍ସରେ ହିଁ ଚୋର ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଚୋରଦଳ ଯେ ବେଶ୍‌ ପେଶାଦାର୍‌ ତାହା ସ୍ପଷ୍ଟଭାବେ ଅନୁମାନ କରାଯାଇପାରେ। ଉକ୍ତ ଘରର ଉଭୟ ପଛ ଓ ସମ୍ମୁଖ ଭାଗରେ ଲୁହା ଗ୍ରୀଲ୍‌ ଲାଗିଛି। ଚୋର ଦଳ ପ୍ରଥମେ ପଛପଟ ଝରକା ଦେଇ ମୋବାଇଲ୍‌ରେ ଭିତର ପଟ ସ୍ଥିତି ତଦାରଖ କରିଛନ୍ତି। ଏହାପରେ ପଛପଟ କାଠ କବାଟକୁ ସଂପୂର୍ଣ୍ଣଭାବେ ତାଡ଼ିବା ବଦଳରେ କେବଳ ଗୋଟିଏ ଖଣ୍ଡ କାଠକୁ ଭାଙ୍ଗିଛନ୍ତି। ପରେ ଉକ୍ତ ଛୋଟିଆ କଣା ସାହାଯ୍ୟରେ କବାଟ ଖୋଲିବାପରେ ଗ୍ରୀଲ୍‌ର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଉକ୍ତ କ୍ବାର୍ଟର୍ସର ପଛପଟେ ଲାଗିଥିବା ପ୍ରାୟ ୫୦ ଫୁଟ୍‌ ଲମ୍ବା ଲୁହା ପାଇପ୍‌କୁ ଦୁର୍ବୃତ୍ତମାନେ ଖୋଲି ଚୋରି କରିବାକୁ ପ୍ରୟାସ କରିଥିଲେ। ଦିନ ପ୍ରାୟ ୧୧ଟାରେ ଆଖ ପଡ଼ୋଶୀଙ୍କ ଉପସ୍ଥିତିରେ ନିଜକୁ ଆର୍‌ଏସ୍‌ପି ସହରସେବା ବିଭାଗର କର୍ମଚାରୀ ପରିଚୟ ଦେଇ ଉକ୍ତ ଲୁହା ପାଇପ୍‌କୁ କାଟିଦେଇଥିଲେ। ପରେ ପଡ଼ୋଶୀଙ୍କ ସନ୍ଦେହ ହେବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। କେବଳ ଏତିକି ନୁହେଁ, କିଛି ଦିନ ପୂର୍ବେ ଏଚ୍‌-ବ୍ଲକ ସ୍ଥିତ ଅନ୍ୟ ଏକ କ୍ବାଟରରେ ଦୁର୍ବୃତ୍ତମାନେ ତାଲା ତାଡ଼ି ଚୋରି ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଏହି ଅଞ୍ଚଳ‌ରେ ଏକାଧିକ କ୍ବାର୍ଟର୍ସ ଖାଲପଡ଼ିଥିବାବେଳେ ଷ୍ଟ୍ରିଟ୍‌ ଲାଇଟ୍‌ ବି ଜଳୁନି। ଏମିତିକି ନିୟମିତ ପାଟ୍ରୋଲିଂ ବି ହେଉନି। ଫଳରେ ଚୋରଦଳଙ୍କ ଦୁଃସାହସ ବୃଦ୍ଧି ପାଇବାସହ ନିୟମିତ ବ୍ୟବଧାନରେ ଚୋରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe