ଜଉକଣ୍ଢେଇ ବାହାଘରର ତୃତୀୟ ସନ୍ଧ୍ୟା: ବୋହୂ ପଦ୍ମାବତୀଙ୍କୁ ଶାଶୂଘରେ ଭବ୍ୟ ସ୍ୱାଗତ

Advertisment
ଜଉକଣ୍ଢେଇ ବାହାଘରର ତୃତୀୟ ସନ୍ଧ୍ୟା: ବୋହୂ ପଦ୍ମାବତୀଙ୍କୁ ଶାଶୂଘରେ ଭବ୍ୟ ସ୍ୱାଗତ

ବାଲେଶ୍ୱର: ବାଲେଶ୍ବର ସହରର ଆଇଟିଆଇ ପଡ଼ିଆରେ ଚାଲିଥିବା ଦ୍ବାଦଶ ଜଉକଣ୍ଢେଇ ବିବାହ ଉତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଗତକାଲି ଧୂମ୍‌ଧାମ୍‌ରେ ଜୟଦେବ ଙ୍କ ସହ ପଦ୍ମାବତୀଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଉଭୟଙ୍କୁ ଆଇଟିଆଇ ପଡ଼ିଆରେ ହୋଇଥିବା ଶାଶୂଘରକୁ ଅଣାଯାଇଥିଲା। ଆଜି ନବବଧୂଙ୍କ ଦର୍ଶନ ପାଇଁ ବେଶ ଭିଡ଼ ଦେଖିବାକୁ ମିଳିଥିଲା। ଶାଶୂଘର ତରଫରୁ ନବବଧୂଙ୍କୁ ମୁହଁଦେଖା ଉପହାର ବାବଦରେ ସୁଖ, ଶାନ୍ତି, ସ୍ନେହ, ଶ୍ରଦ୍ଧା, ସେବା, ସୌହାର୍ଦ୍ଦ୍ୟ ଓ ଅସୁମାରୀ ଆଶୀର୍ବାଦ ପ୍ରଦାନ କରାଯାଇଥିଲା। ସେହିପରି ତୃତୀୟ ସଂଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବ‌ନେଶ୍ବରରୁ ଆସିଥିବା ଶିଳ୍ପୀକା ଗ୍ରୁପ୍‌ର ନୃତ୍ୟ ପରିବେଷଣକୁ ଦର୍ଶକେ ବେଶ୍‌ ଉପଭୋଗ କରିଥିଲେ।

ଏହାସହ ନୀଳଗିରି ବିର୍ସାମୁଣ୍ଡା ଗ୍ରୁପ୍‌, ସୋର ବନ୍ଦେ ମାତରଂ ଗ୍ରପ୍‌, ଏନ୍‌ଡିଏ ଡ୍ୟାନ୍ସ ଗ୍ରୁପ୍‌ ଓ ବୁଟିକ୍‌ ବୃନ୍ଦାବନ ଗ୍ରୁପ୍‌ର ନୃତ୍ୟ ପରିବେଷଣ ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବାଲେଶ୍ବରର ଏହି ଲୋକପର୍ବ ଏବେ ସମଗ୍ର ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଓଡ଼ିଶା ସଂସ୍କୃତି ବିଭାଗ ସମେତ ବିଭିନ୍ନ ବିଭାଗ ତରଫରୁ ଏହି ସମାରୋହରେ ଶତାଧିକ ଷ୍ଟଲ ଏବଂ ମୀନାବଜାର ଲାଗିଛି। ଜଉକଣ୍ଢେଇ ବିବାହ, ସାସ୍କୃ୍ତିକ କାର୍ଯ୍ୟକ୍ରମ ସହିତ ମେଳା ବୁଲି ବିଭିନ୍ନ ଜିନିଷ କିଣିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

publive-image

ଗତକାଲି ଜଣକଣ୍ଢେଇ ବାହାଘରର ଦ୍ବିତୀୟ ଦିବସରେ ଉତ୍ସବମୁଖର ହୋଇଥିଲା ବା‌ଲେଶ୍ବର ସହର। ସଂଧ୍ୟାରେ ଆଇଟିଆଇ ପଡ଼ିଆରୁ ବିରାଟ ପଟୁଆରରେ ଜୟଦେବଙ୍କ ବରଯାତ୍ରୀ ଦଳ ମୋତିଗଞ୍ଜ ବଜାର ସ୍ଥିତ କନ୍ୟା ପଦ୍ମାବତୀଙ୍କ ବାପଘର ରାଜସ୍ଥାନ ଭବନ ଅଭିମୁଖେ ବାହାରିଥିଲେ। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପଟୁଆରରେ ସାମିଲ ହୋଇ କନ୍ୟାଘର ଯାଏ ଚାଲିଚାଲି ଯାଇଥିଲେ। ପୁରୀର ସାହିଯାତ, ଗଞ୍ଜାମର ପଶୁମୁଖା, ଯୋଡ଼ିଶଙ୍ଖ, ବୌଦ୍ଧର ଦୁଲଦୁଲି, ବାଲେଶ୍ବରର ପିତୁଳାନାଚ ଭଳି ଲୋକନୃତ୍ୟକୁ ନେଇ ଶୋଭାଯାତ୍ରା କରାଯାଇଥିଲା। ସହରର ବିଭିନ୍ନ ଛକମାନଙ୍କରେ ବରଯାତ୍ରୀ ଦଳକୁ ସ୍ବାଗତ କରାଯାଇଥିଲା। ପଦ୍ମାବତୀଙ୍କ ଘରେ ପହଞ୍ଚିବା ପରେ ସେଠାରେ ମାରୱାଡ଼ି ମହିଳା ମଂଚ ଓ ମାରୱାଡ଼ି ସମାଜ ପକ୍ଷରୁ ବରଯାତ୍ରୀ ଦଳକୁ ସ୍ବାଗତ କରାଯାଇଥିଲା। ଏହାପ‌ରେ ବୈଦିକ ରୀତିନୀତିରେ ଜୟଦେବ ଓ ପଦ୍ମାବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe