ପୁରୀ: ଶ୍ରୀମନ୍ଦିର ନାଳ ମରାମତି ପାଇଁ ମେଘନାଦ ପାଚେରି ମଗରମୁଖକୁ ଭାଙ୍ଗି ଦିଆଯିବା ପରେ ଏହାକୁ ଫିଙ୍ଗି ଦିଆଯାଇଛି। ନା ଏଏସ୍ଆଇକୁ ଏ ସଂପର୍କରେ ଅବଗତ କରାଯାଇଛି, ନା ଶ୍ରୀମନ୍ଦିର ପ୍ରଶାସନକୁ। ଏହାକୁ ନେଇ ଭକ୍ତ ଓ ସେବାୟତ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରର ଏହି ପ୍ରାଚୀନ କୀର୍ତ୍ତିରାଜିକୁ ଅଦରକାରୀ ବସ୍ତୁ ଭଳି ଭାଙ୍ଗିଦେବା ଓ ପରେ ଏହାକୁ ମେଘନାଦ ପାଚେରି କଡ଼ରେ ଫିଙ୍ଗି ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରଦ୍ଧାଳୁ। ଏଏସ୍ଆଇ ଅଧୀକ୍ଷକ ଡ. ଡି ବି ଗଡ଼ନାୟକ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଶ୍ରୀମନ୍ଦିର ସିଂହଦ୍ବାର ପାର୍ଶ୍ବ ମେଘନାଦ ପାଚେରିରୁ ଏକାଧିକ ସ୍ଥାନରୁ ପାଣି ଗଳିବା ସମ୍ପର୍କିତ ଖବର ‘ସମ୍ବାଦ’ରେ ବାରମ୍ବାର ପ୍ରକାଶ ପରେ ଶ୍ରୀମନ୍ଦିର ପରିସରରେ ଥିବା ନାଳର ମରାମତି କାମ ଆରମ୍ଭ କରିଛି ଶ୍ରୀମନ୍ଦିର ନିର୍ମାଣ ବିଭାଗ। ଆନନ୍ଦବଜାର ଭିତରପାର୍ଶ୍ବ ନାଳ ସହ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ନାଳ ପୁନରୁଦ୍ଧାର ସହ ଆବର୍ଜନା ପାଣି ନିଷ୍କାସନ ପାଇଁ ପାଇପ୍ ବିଛାଯାଉଛି। ପୂର୍ବରୁ ନାଳପାଣି ଓ ବର୍ଷା ପାଣି ନିଷ୍କାସନ ପାଇଁ ମେଘନାଦ ପାଚେରିରେ ମଗରମୁଖ କରାଯାଇଥିଲା। ଏହି ବାଟ ଦେଇ ବର୍ଷା ଅବା ଆବର୍ଜନା ପାଣି ନିଷ୍କାସିତ ହେଉଥିଲା। ଏହା ଶ୍ରୀମନ୍ଦିର ସମସାମୟିକ କୀର୍ତ୍ତିରାଜି। ମେଘନାଦ ପାଚେରିର ବିଭିନ୍ନ ପାର୍ଶ୍ବରେ ଏଭଳି ମଗରମୁଖ କରାଯାଇଛି। କିନ୍ତୁ ଶ୍ରୀମନ୍ଦିର ନିର୍ମାଣ ବିଭାଗ ନାଳ ମରାମତି ଆଳରେ ସିଂହଦ୍ବାର ରାମଦୟା ପରିଷଦ କଡ଼ରେ ଆନନ୍ଦବଜାରକୁ ଲାଗିଥିବା ମେଘନାଦ ପାଚେରିର ମଗରମୁଖକୁ ଭାଙ୍ଗି ଦେଇ ଜଳ ନିଷ୍କାସନ ପାଇଁ ପାଇପ୍ ବିଛାଇଛି।
ମଗରମୁଖକୁ ସେହିଭଳି ତଳେ ଅଦରକାରୀବସ୍ତୁ ଭାବେ ଫିଙ୍ଗି ଦିଆଯାଇଛି। ଶ୍ରୀମନ୍ଦିର ନିର୍ମାଣ ବିଭାଗ ଏ ସଂପର୍କରେ ଏଏସ୍ଆଇକୁ ଅବଗତ କରିନାହିଁ। ଏ ସଂପର୍କରେ ଏଏସ୍ଆଇ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଡ. ଗଡ଼ନାୟକ ଗଣମାଧ୍ୟମକୁ କହିଛନ୍ତି, ଘଟଣା ସଂପର୍କରେ ଆଜି ଜାଣିବାକୁ ପାଇଲି। ଯିଏ ବି ଏଭଳି କରିଛନ୍ତି, ବହୁତ ବଡ଼ ଭୁଲ୍ କରିଛନ୍ତି। ଦୋଷୀଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଯଦି ଶ୍ରୀମନ୍ଦିରର ମୌଳିକ କୀର୍ତ୍ତିରାଜିକୁ ଅକ୍ଷୁଣ୍ଣ ରଖିପାରିବାର ଜ୍ଞାନ ନାହିଁ, ତେବେ ଏହାକୁ କ୍ଷତ ପହଞ୍ଚାଇବାର ବି କାହାରି ଅଧିକାର ନାହିଁ। ଏହା ନିଶ୍ଚିତ ଭାବେ ମେଘନାଦ ପାଚେରି ପ୍ରତି ବିପଦ ସୃଷ୍ଟି କରୁଛି। ଏହାକୁ ଗୁରୁତ୍ବର ସହ ନିଆଯିବ ବୋଲି ସେ କହିଛନ୍ତି।
Follow Us