ନୂଆପଡ଼ା / କୋମନା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଜଳମଡ଼େଇ ଗାଁରେ ରବିବାର ରାତିରେ ସନମତୀ ବାରିକ (୬୫)ଙ୍କୁ ବାଘ ଆକ୍ରମଣ କରି ମାରିଦେଇଛି। ଘଟଣାସ୍ଥଳରୁ ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ଓ ଗ୍ରାମବାସୀଙ୍କ ସହଯୋଗରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ସନମତୀ ରବିବାର ସନ୍ଧ୍ୟାରେ ଘର ପାଖ ବାଡ଼ିକୁ ପୂର୍ବରୁ ସଂଗ୍ରହ କରିଥିବା ଜାଳେଣି କାଠ ଆଣିବାକୁ ଯାଇଥିଲେ। ଏହି ସମୟରେ ଲୁଚିରହିଥିବା ବାଘ ତାଙ୍କୁ ଆକ୍ରମଣ କରିଥିଲା।
ବାଘଟି ତାଙ୍କୁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଟାଣିନେଇଥିଲା। ବୃଦ୍ଧାଙ୍କ ଘରକୁ ଆସିଥିବା ତାଙ୍କ ଜ୍ବାଇଁ ଘନଶ୍ୟାମ ଶାଶୂ ଫେରିବାରେ ବିଳମ୍ବ ହେବାରୁ ଖୋଜାଖୋଜି କରିଥିଲେ। କିଛି ଦୂର ଗଲା ପରେ ବୃଦ୍ଧାଙ୍କୁ ବାଘ ଖାଉଥିବା ଦେଖିଥିଲେ। ହେଲେ ବାଘଟି ସେମାନଙ୍କୁ ଦେଖି ବୁଦ୍ଧାଙ୍କ ଶବକୁ ପାଟିରେ ଧରି ପ୍ରାୟ ଏକ କିଲୋମିଟର ଜଙ୍ଗଲ ଭିତରକୁ ନେଇଯାଇଥିଲା। ପରେ ଏକ ଚଟାଣ ଉପରେ ବୃଦ୍ଧାଙ୍କୁ ବାଘ ଖାଉଥିବା ସେମାନେ ଦେଖିବାକୁ ପାଇଥିଲେ।
ଲୋକମାନେ ଚିତ୍କାର କରିବାରୁ ବାଘଟି ବୃଦ୍ଧାଙ୍କ ଶବ ଛାଡ଼ି ଚାଲିଯାଇଥିଲା। ସେଠାରୁ ବୃଦ୍ଧାଙ୍କ କ୍ଷତବିକ୍ଷତ ଶବକୁ ସେମାନେ ଉଦ୍ଧାର କରିଥିଲେ। ସୋମବାର ସକାଳେ ପୁଣି ବାଘଟି ଗାଁ ପାଖକୁ ଆସିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଖବର ପାଇ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସି ବୃଦ୍ଧାଙ୍କ ଶବକୁ ଉଦ୍ଧାର କରି ଏକ ଗାଡ଼ିରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବନ୍ୟପ୍ରାଣୀ ବିଭାଗ ସୁନାବେଡ଼ା ରେଞ୍ଜର ଶିବ ପ୍ରସାଦ ଖମାରୀ ଓ କିଛି ଗ୍ରାମବାସୀ ଆକ୍ରମଣ କରିଥିବା ବାଘଟି ଏକ ମହାବଳ ବାଘ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପିସିସିଏଫ୍ ଏହା ମହାବଳ ବାଘ ନୁହେଁ, କଲରାପତରିଆ ବାଘ ବୋଲି ପ୍ରକାଶ କରିଛନ୍ତି। ରାତିରେ ବୃଦ୍ଧାଙ୍କୁ ବାଘ ନେଇଯିବା ପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
Follow Us