ବାଘଛାଲ ଖୋଲିଦେଲା ଗୁମର: ଗିରଫ ତାନ୍ତ୍ରିକର ମୋବାଇଲ୍‌ରେ ଶତାଧିକ ମହିଳାଙ୍କ ନଗ୍ନ ଭିଡିଓ

ମୟୂରଭଞ୍ଜରୁ ଧରାପଡ଼ିଥିବା ଅନ୍ତଃରାଜ୍ୟ ବାଘଛାଲ ଚାଲାଣ ରୢାକେଟ୍‌ର ତଦନ୍ତ ବେଳେ ପଦାକୁ ଆସିଛି ସାଂଘାତିକ ତଥ୍ୟ। ଗିରଫ ହୋଇଥିବା ଶିକ୍ଷକ ଓ ତାନ୍ତ୍ରିକ ଏହି ରୢାକେଟ୍‌ର ମୁଖ୍ୟ କାର୍ପଟଦାର ଥିଲେ।

mms

Photograph: (RajyaSameeksha)

ବାରିପଦା: ମୟୂରଭଞ୍ଜରୁ ଧରାପଡ଼ିଥିବା ଅନ୍ତଃରାଜ୍ୟ ବାଘଛାଲ ଚାଲାଣ ରୢାକେଟ୍‌ର ତଦନ୍ତ ବେଳେ ପଦାକୁ ଆସିଛି ସାଂଘାତିକ ତଥ୍ୟ। ଗିରଫ ହୋଇଥିବା ଶିକ୍ଷକ ଓ ତାନ୍ତ୍ରିକ ଏହି ରୢାକେଟ୍‌ର ମୁଖ୍ୟ କାର୍ପଟଦାର ଥିଲେ। ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗିରଫ ତାନ୍ତ୍ରିକର ମୋବାଇଲ୍‌ରୁ ଶତାଧିକ ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିଛି। ଏହାକୁ ପରୀକ୍ଷା ପାଇଁ ରାଜ୍ୟ ଫରେନ୍‌ସିକ୍‌ ଲାବୋରେଟୋରିକୁ ପଠାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ; ମଙ୍ଗଳବାର ଦିନ ୩ଟି କଲରାପତରିଆ ବାଘଛାଲ ଜବତ କରିଥିଲା ବନ ବିଭାଗ। ଏହି ମାମଲାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର ଓ କାଣିମହୁଲି ଗ୍ରାମର ଶିକ୍ଷକ ମନୋରଞ୍ଜନ ଟିପିରିଆ (୪୮)ଙ୍କ ସମେତ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ୭ଟି ମୋବାଇଲ୍‌ ଜବତ ହୋଇଥିଲା। ତେବେ ତାନ୍ତ୍ରିକ ଗୁରୁପ୍ରସାଦର  ମୋବାଇଲ୍‌ ଫୋନ୍‌ ଖୋଲିବା ପରେ ତଦନ୍ତକାରୀ ଟିମ୍‌ ତାଜୁବ୍‌ ହୋଇଯାଇଛି। ଏହି ମୋବାଇଲ୍‌ରେ ୪୮୦ରୁ ଅଧିକ ଭିଡିଓ ରହିଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ ମହିଳାଙ୍କ ନଗ୍ନ ଭିଡିଓ ସହ ଫଟୋ ମଧ୍ୟ ରହିଛି। ତନ୍ତ୍ରସାଧନା ଆଳରେ କୌଶଳକ୍ରମେ ଏସବୁ ଭିଡିଓ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି।  ଯାଞ୍ଚ ପାଇଁ ଶିକ୍ଷକ ଓ ତାନ୍ତ୍ରିକର ମୋବାଇଲ୍‌ ସହ ଅନ୍ୟ ଅଭିଯୁକ୍ତମାନଙ୍କର ମୋବାଇଲ୍‌ଗୁଡ଼ିକୁ ରାଜ୍ୟ ଫରେନ୍‌ସିକ୍‌ ଲାବୋରେଟୋରିକୁ ପଠାଯାଇଛି। 

ବଶୀକରଣ ଆଳ‌ରେ ଯୌନ ଶୋଷଣ
ସ୍ଥାନୀୟ ମହିଳାଙ୍କ ସନ୍ଧାନ କରୁଥିଲେ ଶିକ୍ଷକ
ଫରେନ୍‌ସିକ୍‌ ଲ୍ୟାବ୍‌କୁ ଗଲା ଜବତ ମୋବାଇଲ୍‌
ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବୁ: ଡିଏଫ୍‌ଓ

ପ୍ରାଥମିକ ତଦନ୍ତ ଅନୁଯାୟୀ; ବହୁବର୍ଷ ହେଲା ସମ୍ପୃକ୍ତ ଶିକ୍ଷକ ମନୋରଞ୍ଜନ ଓ ତାନ୍ତ୍ରିକ ଗୁରୁପ୍ରସାଦ ବଶୀକରଣ କାମ କରୁଥିଲେ। ଶିକ୍ଷକ ଜଣକ ଗାଁ ଗାଁ ବୁଲି ବଶୀକରଣ ପାଇଁ ମହିଳାଙ୍କ ସନ୍ଧାନ କରୁଥିଲେ। ଖାସ୍‌କରି ଧନପ୍ରାପ୍ତି, ସନ୍ତାନପ୍ରାପ୍ତି ତଥା ବିଭିନ୍ନ ସମସ୍ୟାର ସମାଧାନ ଆଳ ଦେଖାଇ ସେ ମହିଳାମାନଙ୍କୁ ତାନ୍ତ୍ରିକ ଗୁରୁପ୍ରସାଦ ପାଖକୁ ପଠାଉଥିଲେ। ଏହା ବଦଳରେ ଶିକ୍ଷକଙ୍କୁ  ମୋଟା ଅଙ୍କର ପାଉଣା ଦେଉଥିଲେ ଗୁରୁପ୍ରସାଦ। ବାରିପଦା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏ ଉମା ମହେଶ କହିଛନ୍ତି ଯେ ଅଭିଯୁକ୍ତଙ୍କ ମୋବାଇଲ୍‌ ଫୋନ୍‌ଗୁଡ଼ିକୁ ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲେ ତଦନ୍ତ ତ୍ବରାନ୍ବିତ ହେବ। ଅଭିଯୁକ୍ତମାନଙ୍କୁ ଗତକାଲି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅଧିକ ଜେରା ପାଇଁ ‌ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ଆମେ ସତର୍କତାର ସହ କାମ କରୁଛୁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଯାଞ୍ଚରୁ ଜଣାପଡ଼ିଛି ଯେ; ଜବତ ବାଘଛାଲଗୁଡ଼ିକ ମଧ୍ୟରୁ ୨ଟି ପ୍ରାପ୍ତବୟସ୍କ ଓ ଗୋଟିଏ ଅଳ୍ପ ବୟସର କଲରାପତରିଆ। ୩ରୁ ୪ ମାସ ପୂର୍ବେ ବାଘଗୁଡ଼ିକୁ ଶିକାର କରାଯାଇଛି। ଛତିଶଗଡ଼ରୁ ସୁନ୍ଦରଗଡ଼ ଦେଇ ମୟୂରଭଞ୍ଜକୁ ବାଘଛାଲଗୁଡ଼ିକ ଅଣାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟ, ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର, ଗୁରୁ ଘାସିଦାସ ଜାତୀୟ ଉଦ୍ୟାନ କିମ୍ବା ଇନ୍ଦ୍ରାବତୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରୁ ବାଘ ଶିକାର କରାଯାଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇପାରିନି। ସେହିପରି ବାଘଗୁଡ଼ିକର ଦାନ୍ତ, ନଖ, ନିଶ ଓ ଅନ୍ୟ ଦେହାବଶେଷ କେଉଁଠି ରହିଛି; ସେନେଇ ଏକ ସ୍ବତନ୍ତ୍ର ଟିମ୍‌ ତନାଘନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe