‘ସ୍ବପ୍ନ ଦେଖିବାର ସମୟ ଅତିକ୍ରାନ୍ତ, ବାସ୍ତବତାକୁ ବୁଝିବାକୁ ପଡ଼ିବ’

ସବୁ କ୍ଷେତ୍ରରେ ବିକାଶ ହେଲେ ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ହେବ। ବିକାଶ ହୋଇନି କହିଲେ ତାହା ମଧ୍ୟ ଭୁଲ୍‌ ହେବ। ରାଜ୍ୟରେ ଅନେକ ବିକାଶ ଘଟିଛି। ବିକାଶର ବିଭିନ୍ନ ମାପ କାଠି....

Untitled-7

ବ୍ୟାସନଗର: ସବୁ କ୍ଷେତ୍ରରେ ବିକାଶ ହେଲେ ବିକଶିତ ଓଡ଼ିଶାର ସ୍ବପ୍ନ ସାକାର ହେବ। ବିକାଶ ହୋଇନି କହିଲେ ତାହା ମଧ୍ୟ ଭୁଲ୍‌ ହେବ। ରାଜ୍ୟରେ ଅନେକ ବିକାଶ ଘଟିଛି। ବିକାଶର ବିଭିନ୍ନ ମାପ କାଠି ରହିଛି। କୃଷି, ଶିଳ୍ପ ସବୁକ୍ଷେତ୍ରରେ ବିକାଶ ଅପରିହାର୍ଯ୍ୟ। ଆସନ୍ତା ୨୦୩୬ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ପାଳିବ। ତେଣୁ ଆଉ ମାତ୍ର ୧୧ ବର୍ଷ ପରେ ଏହା ଅନୁଷ୍ଠିତ ହେବ। ଏବେ ସ୍ବପ୍ନ ଦେଖିବାକୁ ସମୟ ନାହିଁ, ଏବେଠୁ ସେ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଆଜି ବ୍ୟାସନଗରସ୍ଥିତ ବ୍ୟାସଦେବ ଟାଉନହଲ୍‌ଠାରେ ‘ବିକଶିତ ଓଡ଼ିଶା-୨୦୩୬ ସ୍ବପ୍ନ ଓ ବାସ୍ତବତା ଏବଂ ଗଣସଂଗଠନମାନଙ୍କ ଭୂମିକା’ ସମ୍ପର୍କରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ବିଶିଷ୍ଟ ବକ୍ତମାନେ ଏଭଳି ମତ ପୋଷଣ କରିଛନ୍ତି। ଆଇନଜୀବୀ ସ୍ବର୍ଗତ ମଦନମୋହନ ସ୍ବାଇଁଙ୍କ ୮୪ତମ ଜୟନ୍ତୀ ଅବସରରେ ଜିଲ୍ଲା ଟିକସ ଓକିଲ ସଂଘ ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଥିଲେ କି, ଓଡ଼ିଶାରେ ବିକାଶ ହୋଇଛି ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଓଡ଼ିଶାରେ ୧୩ହଜାର କୋଟି ଟଙ୍କାର ବଜେଟ୍‌ ହେଉଥିଲା। ସରକାରୀ କର୍ମଚାରୀ ଠିକ୍‌ ସମୟରେ ଦରମା ପାଇପାରୁନଥିଲେ। ଏବେ ଏହି ବଜେଟ୍‌ ୨ଲକ୍ଷ ୯୦ହଜାର କୋଟି ଟଙ୍କାରେ ପହଞ୍ଚିଛି। ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି। ବର୍ତ୍ତମାନ ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି। ଏହାକୁ ଆହୁରି ବୃଦ୍ଧି କରିବାକୁ ପଡ଼ିବ ବୋଲି ଶ୍ରୀ ଘଡ଼ାଇ କହିଥିଲେ। 
       

ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ କି, ବିକାଶର ବିଭିନ୍ନ ମାପକାଠି ରହିଛି। ତେଣୁ ସାମଗ୍ରିକ ବିକାଶ ଘଟିଲେ ହିଁ ଏ ସ୍ବପ୍ନ ସାକାର ହୋଇପାରିବ। ଆଗରୁ ବିକାଶ କହିଲେ ବେଗ ହିଁ ଏକମାତ୍ର ମାପକାଠି ବୋଲି ବିଚାର କରାଯାଉଥିଲା। ଏବେ ଏହା କିନ୍ତୁ ସାମଗ୍ରିକ ବିକାଶକୁ ବୁଝାଉଛି। ଓଡ଼ିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟରେ ୪୫ବର୍ଷର ରାଜନୈତିକ ସ୍ଥିରତା ରହିଥିଲା। ବିକାଶ ପାଇଁ ଆହୁରି ଅନେକ କିଛି କାର୍ଯ୍ୟ କରାଯାଇପାରିଥା’ନ୍ତା। ବିକାଶ ପାଇଁ ଭାଷା-ଭୂଗୋଳକୁ ଯୋଡ଼ିବାକୁ ପଡ଼ିବ। ମହାଭାରତୀୟ ଚିନ୍ତାଧାରା ଭିତରେ ଓଡ଼ିଶାର ସ୍ବାର୍ଥ ବା ଆଞ୍ଚଳିକ ପ୍ରସଙ୍ଗକୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ସେ କହିଥିଲେ। 
ଜିଲ୍ଲା ଟିକସ ଓକିଲ ସଂଘ ସଭାପତି ବିବେକାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କୋରେଇ ବିଧାୟକ ଆକାଶ ଦାସନାୟକ ଉଦ୍‌ଘାଟନ କରିଥିଲେ। ଶ୍ରୀ ଦାସନାୟକ କହିଲେ ଯେ ଓଡ଼ିଶାକୁ ବିକଶିତ କରିବାକୁ ହେଲେ ସମସ୍ତଙ୍କୁ ଏକତ୍ରିତ ହେବାକୁ ପଡ଼ିବ। ସମ୍ମାନିତ ଅତିଥି  ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ କହିଥିଲେ ଯେ ସ୍ବପ୍ନକୁ ସାକାର କରିବାକୁ ହେଲେ ସମସ୍ତଙ୍କୁ ଗୋଟିଏ ସରଳରେଖାରେ କାମ କରିବାକୁ ପଡ଼ିବ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ କମିସନର(ଜିଏସ୍‌ଟି) ସତ୍ୟନାରାୟଣ ପଣ୍ଡା ଯୋଗଦେଇ ସାମୂହିକ ବିକାଶ ହେଲେ ବିକଶିତ ‌ଓଡ଼ିଶା ଗଠନ ହୋଇପାରିବ ବୋଲି କହିଥିଲେ। ଓକିଲ ସଂଘ ଉପସଭାପତି ସସ୍ମିତା ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଧନେଶ୍ବର ବାରିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଆଦର୍ଶ ମା’ ଭାବେ ସାରଥୀରାଣୀ ସ୍ବାଇଁ, ଆଦର୍ଶ ପିତା ସତ୍ୟନାରାୟଣ ମହାନ୍ତି, ଆଦର୍ଶ ଦମ୍ପତି ପ୍ରସନ୍ନ କୁମାର ସାମଲ ଓ କ୍ଷମାମୟୀ ସାମଲ, ଆଦର୍ଶ ଓକିଲ ନଟବର ପଣ୍ଡା, ଆଦର୍ଶ ଉଦ୍ୟୋଗପତି ଭାବେ ପ୍ରଲୁବ୍ଧ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସହସମ୍ପାଦକ ଅଶୋକ ସାହୁ ଧନ୍ୟବାଦ ଦେଇଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ଦୁର୍ବାଦଳ ବସୁ, ହେମନ୍ତ କୁମାର ପଥାଳ, ମାନସ ରଞ୍ଜନ ସାମଲ, ରମାକାନ୍ତ ନନ୍ଦ, ରତିକାନ୍ତ ବେହେରା, ପ୍ରବୀର କୁମାର ରାଉତ, ଚନ୍ଦନ କୁମାର ମଲ୍ଲିକଙ୍କ ସମେତ ବହୁ ଆଇନଜୀବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe