ବନ୍ଦ ହେଉନି ଟ୍ରେନ୍‌ ଅଘଟଣ: ସୋରରେ ଗାର୍ଡବଗି ଛାଡ଼ି ପଳାଇଲା ମାଲ୍‌ଗାଡ଼ି

Advertisment
ବନ୍ଦ ହେଉନି ଟ୍ରେନ୍‌ ଅଘଟଣ: ସୋରରେ ଗାର୍ଡବଗି ଛାଡ଼ି ପଳାଇଲା ମାଲ୍‌ଗାଡ଼ି

ସୋର : ଓଡ଼ିଶାରେ ଟ୍ରେନ୍‌ ଅଘଟଣ ବନ୍ଦ ହେବାର ନାମ ନେଉନି। ଚଳିତ ବର୍ଷ ବାହାନଗା ଦୁର୍ଘଟଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୯ଟିରୁ ଅଧିକ ଏପରି ଘଟଣା ଘଟିଲାଣି। ସେଗୁଡ଼ିକ ମଧ୍ୟରେ ଉତ୍ତର ଓଡ଼ିଶାର ୪ଟି ଅଘଟଣ ଖବର ଥିବା ବେଳେ ବାଲେଶ୍ବରରେ ଶନିବାର ଦିନ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସୋର ଷ୍ଟେସନ୍‌ ନିକଟରେ ଗାର୍ଡ ବଗିକୁ ଛାଡ଼ି ଏକ ମାଲ୍‌ବାହୀ ଟ୍ରେନ୍‌ ପଳାଇଥିବା ଜଣାପଡ଼ିଛି।

ଶନିବାର ପୂର୍ବାହ୍ନ ୯ଟା ୩୦ ମିନିଟ୍‌ ପାଖାପାଖି ଏକ ମାଲ୍‌ବାହୀ ଟ୍ରେନ୍‌ ୨ ନମ୍ବର ଡାଉନ୍‌ ଲାଇନ୍‌ରେ ଭଦ୍ରକରୁ କଲିକତା ଯାଉଥିଲା। ତେବେ ସୋର ରେଳ ଷ୍ଟେସନ୍‌ଠାରେ ଗାର୍ଡ ବଗିଟି ଟ୍ରେନ୍‌ରୁ ଅଲଗା ହୋଇ ରେଳଲାଇନ୍‌ ଉପରେ ରହିଯାଇଥିଲା। ସୋର ଷ୍ଟେସନ୍‌ ମାଷ୍ଟରଙ୍କଠାରୁ ସୂଚନା ପାଇ ଉକ୍ତ ଲାଇନ୍‌ରେ ଆସୁଥିବା ସମସ୍ତ ଟ୍ରେନ୍‌କୁ ବିଭିନ୍ନ ସ୍ଥାନରେ ଅଟକାଯାଇଥିଲା। ପ୍ରାୟ ୨୫ ମିନିଟ୍‌ ପରେ ମାଲ୍‌ବାହୀ ଟ୍ରେନ୍‌ଟି ସମାନ ରେଳଧାରଣାରେ ଫେରିଥିଲା। ରହିଯାଇଥିବା ବଗିକୁ ସଂଯୋଗ କରାଯିବା ପରେ ଏହା ଗନ୍ତବ୍ୟସ୍ଥଳକୁ ଯାଇଥିଲା।

ଉଲ୍ଲେଖଥାଉକି; ଚଳିତ ବର୍ଷ ଜୁନ୍‌ ୨ ତାରିଖ ସନ୍ଧ୍ୟାରେ ଭୁଲ୍‌ ସିଗ୍‌ନାଲ୍‌ କାରଣରୁ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ବାହାନଗା ବଜାର ଷ୍ଟେସନ୍‌ଠାରେ ଲୁପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ଏହି ସମୟରେ ଭଦ୍ରକ ପଟୁ ଡାଉନ୍‌ ଲାଇନ୍‌ରେ ଆସୁଥିବା ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି କରମଣ୍ଡଳର ଦୁର୍ଘଟଣାଗ୍ରସ୍ତ ବଗି ସହ ଧକ୍କା ହୋଇଥିଲା। ଏଥିରେ ୨୯୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧ ଶହରୁ ଅଧିକ ଆହତ ହୋଇଥିଲେ। ସେହିପରି ଚଳିତ ମାସ ୧୪ ତାରିଖ ଦିନ ଖଡ଼ଗପୁର-ଭଦ୍ରକ ପାସେଞ୍ଜର ଟ୍ରେନ୍‌ଟି ପଶ୍ଚିମବଙ୍ଗର ଆଙ୍ଗୁଆ ଷ୍ଟେସନ୍‌ ଅତିକ୍ରମ କଲା ପରେ ଇଞ୍ଜିନ୍‌ ନିକଟରୁ ପ୍ରବଳ ଧୂଆଁ ବାହାରିଥିଲା। ଫଳରେ ଟ୍ରେନ୍‌କୁ ଲକ୍ଷ୍ମଣନାଥ ରୋଡ୍‌ ଷ୍ଟେସନ୍‌ରେ ଅଟକାଇ ମରାମତି କରାଯାଇଥିଲା। ଚଳିତ ମାସ ୧୮ ତାରିଖ ଦିନ ଇଣ୍ଟର୍‌ଲକିଂ ଓ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ତ୍ରୁଟି ଯୋଗୁଁ ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ଟି ନୀଳଗିରି ରୋଡ୍‌ ଷ୍ଟେସନ୍‌ଠାରେ ମେନ୍‌ ଲାଇନ୍‌ରେ ଯିବା ପରିବର୍ତ୍ତେ ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା। ସଂଦେହ ହେବାରୁ ଦୁଇ ଲୋକୋ ପାଇଲଟ୍‌ ଟ୍ରେନ୍‌ର ଏମର୍‌ଜେନ୍‌ସି ବ୍ରେକ୍‌ ଲଗାଇଥିଲେ ଏବଂ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ସେହିପରି ଗତକାଲି ସଂଧ୍ୟାରେ ଭଦ୍ରକରୁ ଟାଟା ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ର ପଛ ୧୦ଟି ବଗି ସୋର ଷ୍ଟେସନ୍‌ର ୧ ନମ୍ବର ଲୁପ୍‌ ଲାଇନ୍‌ରେ ଅନ୍ୟ ବଗିରୁ ଅଲଗା ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe