ଚଣ୍ଡିଖୋଲ : ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ନଥମୁଣୁ ଯାଜପୁରରୋଡ୍ରେ ଇଞ୍ଜିନ ନଥିବା ୱାଗନ ଗଡ଼ିଯାଇ ଗତକାଲି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାର ଦିନକ ପରେ ଗୁରୁବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ବଡ଼ଚଣା ନିକଟରେ ଏକ ମାଲବାହୀ ଟ୍ରେନ୍ର ୩ ଟି ବଗି ଅଲଗା ହୋଇଯିବା ଏବଂ ଇଞ୍ଜିନ ସହ ବାକି ୱାଗନଗୁଡ଼ିକ କିଛି ବାଟ ଚାଲିଯିବା ଭଳି ଘଟଣା ଘଟିଛି।
ସୂଚନା ଅନୁସାରେ, ହରିଦାସପୁର-ପାରାଦୀପ ରେଳପଥରେ ଏହି କୋଇଲା ବୋଝେଇ ଟ୍ରେନ୍ଟି ଆଜି ପାରାଦୀପ ଅଭିମୁଖେ ଯାଉଥିଲା। ହରିପୁର ରାହାଳ ନିକଟରେ ଏହି ଟ୍ରେନ୍ର ଇଞ୍ଜିନ୍ରୁ ହଠାତ୍ ତିନୋଟି ବଗି ଅଲଗା ହୋଇଯାଇଥିଲା ବୋଲି ଦେଖଣାହାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ଟ୍ରେନ୍ଟି ୨୦୦ ରୁ ୩୦୦ ମିଟର ଗଲାପରେ ଏହା ଜଣାପଡ଼ିଥିଲା। ବଗି ସଂଯୋଗ କରିବାପରେ ପୁଣି ଏହା ସ୍ବାଭାବିକ ଭାବେ ପାରାଦୀପ ଅଭିମୁଖେ ଗତି କରିଥିଲା ବୋଲି ଜଣାଯାଇଛି। ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିନାହିଁ। ବିଭାଗୀୟ କର୍ମଚାରୀଙ୍କ ତ୍ରୁଟି ପାଇଁ ଏଭଳି ସବୁ ସମସ୍ୟା ସୃଷ୍ଟି ହେଉଛି ବୋଲି କୁହାଯାଉଛି। ଏ ବିଷୟରେ ଟ୍ରେନ୍ ଚାଳକ ସୂଚନା ପାଇବା ପରେ ଅଟକି ପୁଣି ଥରେ ବାକି ୱାଗନଗୁଡ଼ିକୁ ଯୋଡ଼ି ନେଇଥିବା ଜଣାପଡ଼ିଛି।
Follow Us