ଜଳେଶ୍ୱର : ଟ୍ରେନ୍ରେ ଡ୍ୟୁଟି କରୁଥିଲେ ଗାର୍ଡ। ଫୋନ୍ ଆସିଲା, ବାପାଙ୍କ ଦେହାନ୍ତ ହୋଇଯାଇଛି। ଗାର୍ଡଙ୍କ କାନ୍ଦ ରେଳବିଭାଗ ଅଧିକାରୀଙ୍କ ହୃଦୟ ତରଳାଇ ଦେଲା। ଟ୍ରେନ୍ଟି ପଛକୁ ଫେରି ତାଙ୍କୁ ନିକଟସ୍ଥ ଷ୍ଟେସନ୍ରେ ଛାଡ଼ିଲା। ଫଳରେ ଗାର୍ଡଜଣକ ସହଜରେ ଘରକୁ ଯାଇ ପାରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ। ନାମ ଗୋପନ ରଖି ଜଣେ ରେଳ ଅଧିକାରୀ ‘ସମ୍ବାଦ’କୁ ସଂପୂର୍ଣ୍ଣ ଘଟଣା କହିଛନ୍ତି।
ଶନିବାର ଅପରାହ୍ଣରେ କୋଇଲା ବୋଝେଇ ଟ୍ରେନ୍ ଭଦ୍ରକରୁ ନିମପୁରା ଯାଉଥିଲା। ପ୍ରାୟ ୪ଟା ୫ରେ ଜଳେଶ୍ୱର ଷ୍ଟେସନ୍ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ରେ କାର୍ଯ୍ୟରତ ଜଣେ ଗାର୍ଡ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ପାଇଥିଲେ। କାନ୍ଦିକାନ୍ଦି ସେ ଭିଏଚ୍ଏଫ୍ ମାଧ୍ୟମରେ ଖଡ଼ଗପୁର କଣ୍ଟ୍ରୋଲ୍ ଅଫିସ୍ର ଅଧିକାରୀଙ୍କୁ ଜଣାଇଥିଲେ। କହିଥିଲେ, ଘରକୁ ଯିବା ପାଇଁ ଜଳେଶ୍ୱର ଷ୍ଟେସନ୍ରେ ଓହ୍ଲାଇବାକୁ ଚାହୁଛନ୍ତି। ଗାର୍ଡଙ୍କ କାନ୍ଦ କଣ୍ଟ୍ରୋଲ୍ ଅଫିସ୍ର ଅଧିକାରୀଙ୍କ ହୃଦୟକୁ ତରଳାଇ ଦେଇଥିଲା। ସଂଗେସଂଗେ ଗାର୍ଡ ଓହ୍ଲାଇବା ସମ୍ପର୍କରେ ଜଳେଶ୍ୱର ଷ୍ଟେସନ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। କିଛି ସମୟ ପରେ ଟ୍ରେନ୍ଟି ପଛକୁ ଫେରି ଜଳେଶ୍ବର ଷ୍ଟେସନ୍ରେ ଗାର୍ଡଙ୍କୁ ଓହ୍ଲାଇଥିଲା। ପରେ ସେ ଧଉଳି ଏକ୍ସପ୍ରେସ୍ରେ ଖଡ଼ଗପୁର ଅଭିମୁଖେ ଯାଇଥିଲେ।
Follow Us