ସମୁଦ୍ର ଭିତରେ ଜଳୁଛି ଟ୍ରଲର, ମଝି ସମୁଦ୍ରରେ ଚାରିପଟୁ କର୍ଡନ କଲା କୋଷ୍ଟଗାର୍ଡ

Advertisment
ସମୁଦ୍ର ଭିତରେ ଜଳୁଛି ଟ୍ରଲର, ମଝି ସମୁଦ୍ରରେ ଚାରିପଟୁ କର୍ଡନ କଲା କୋଷ୍ଟଗାର୍ଡ

ବ୍ରହ୍ମଗିରି : ମଝି ସମୁଦ୍ରରେ ଜଳୁଛି ଟ୍ରଲର୍‌। ଅପରାହ୍ନ ଚାରିଟାରୁ ରାତି ସାଢେ ସାତଟା ପର୍ଯ୍ୟନ୍ତ ଟ୍ରଲର୍‌ଟି ଜଳୁଥିବା ବେଳେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହ‌ଞ୍ଚି ପାରି ନ ଥିବା ସୂଚନା ମିଳିଛି।

ରବିବାର ଅପରାହ୍ନ ଚାରିଟା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଚିଲିକାର ରାଜହଂସ ନିକଟ ରାମଭରତିଆ ମୁହାଣଠାରୁ ସମୁଦ୍ରର ୫ କିଲୋମିଟର ଦୂରରେ ଧୂଆଁ ଉଠୁଥିବା ଲୋକେ ଦେଖିବାକୁ ପାଇଥିଲେ। ଧୀରେଧୀରେ ନିଆଁ ଜୋର୍‌ରେ ଜଳିବାରେ ଲାଗିଥିଲା। ନିଆଁ ଏତେ ଜୋର୍‌ରେ ଜଳୁଥିଲା ଯେ ଉପକୂଳରେ ଥିବା ଲୋକେ ଏହାକୁ ସ୍ପଷ୍ଟ ଭାବେ ଦେଖିପାରୁଥିଲେ। ଜଳୁଥିବା ଟ୍ରଲର୍‌ ପାଖରେ ଅନ୍ୟ କିଛି ଟ୍ରଲର୍‌ ଚକ୍କର ମାରୁଥିବା ସ୍ଥାନୀୟ ଲୋକେ ସମୁଦ୍ର ଉପକୂଳରେ ଦେଖିବାକୁ ପାଇଥିବା କହିଛନ୍ତି। ଖବରଟି ବିଜୁଳି ବେଗରେ ପ୍ରଚାରିତ ହେବାପରେ ଉପକୂଳ ଅଞ୍ଚଳକୁ ଲୋକେ ଯାଇଥିଲେ। କିନ୍ତୁ, ସମୁଦ୍ର ମଝିରେ ଟ୍ରଲର୍‌ଟି ଜଳୁଥିବାରୁ କାହାରି କିଛି କରିବାର ଉପାୟ ହିଁ ନ ଥିଲା। ତୁରନ୍ତ ଏନେଇ ସ୍ଥାନୀୟ ପୁଲିସକୁ ଖବର ଦିଆଯାଇଥିଲା। ତେବେ ମଝି ସମୁଦ୍ରରେ ଟ୍ରଲର୍‌ ଜଳୁଛି ନା ଜାହାଜ ଜଳୁଛି, ତାହା ସ୍ପଷ୍ଟ ଭାବରେ ଜଣାପଡୁନାହିଁ। ନିଆଁ ସହିତ ପ୍ରବଳ ମାତ୍ରାରେ ଧୂଆଁ ଉପକୂଳରୁ ଦେଖିବାକୁ ମିଳୁଛି। ରାତି ସାଢେ ସାତଟା ସୁଦ୍ଧା ସମୁଦ୍ର ମଝିରେ ହୁତୁହୁତୁ ହୋଇ ଟ୍ରଲର୍‌ ଜଳୁଛି। ଜଳୁଥିବା ଟ୍ରଲର୍‌ ବିସ୍ଫୋରଣ ହେଉଥିବା ସୂଚନା ମିଳିଛି। ସମୁଦ୍ର ମଝିରେ ପ୍ରଚଣ୍ତ ଶବ୍ଦ କୂଳକୁ ଶୁଭୁଛି। ଟ୍ରଲର୍‌ଟି କେଉଁଠୁ ଆସିଥିଲା, ଟ୍ରଲର୍‌ରେ କେତେଜଣ ରହିଥିଲେ, ଏଥିରେ କ’ଣ ରହିଥିଲା, ସେ ସମ୍ପର୍କରେ କିଛି ବି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ଏନେଇ କୃଷ୍ଣପ୍ରସାଦ ଥାନା ଆଇଆଇସି ଦିଲୀପ କୁମାର ସ୍ବାଇଁ କହିଛନ୍ତି, ଟ୍ରଲର୍‌ ଜଳିବା ସମ୍ପର୍କରେ ଖବର ପାଇବା ପରେ ବ୍ରହ୍ମଗିରି ଥାନା, ଅରଖକୁଦା ମେରାଇନ ଥାନା ଓ କୃଷ୍ଟପ୍ରସାଦ ଥାନା ପୁଲିସ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ହୋଇରହିଛନ୍ତି। ଅନ୍ୟପଟେ ରିପୋର୍ଟ ଲେଖାହେବା ବେଳକୁ ଜଳୁଥିବା ଟ୍ରଲର୍‌ ପାଖରେ କୋଷ୍ଟ ଗାର୍ଡର ଦୁଇଟି ସ୍ବତନ୍ତ୍ର ଡଙ୍ଗା ଏବଂ ସମୁଦ୍ରରେ ମାଛ ଧରୁଥିବା ୬ଟି ଡଙ୍ଗା ସହିତ ଗୋଟିଏ ଟ୍ରଲର୍‌ ପହଞ୍ଚିଥିବା ସୂଚନା ମିଳିଛି। ଜଳୁଥିବା ଟ୍ରଲର୍‌କୁ ସମୁଦ୍ର ମଝିରେ ଚାରିପଟୁ କୋଷ୍ଟ ଗାର୍ଡ କର୍ଡନ କରି ରଖିଥିବା ସ୍ଥାନୀୟ ପୁଲିସଠାରୁ ସୂଚନା ମିଳିଛି। କୋଷ୍ଟ ଗାର୍ଡର ଏକ ସ୍ବତନ୍ତ୍ର ହେଲିକପ୍ଟର ଚାରିପଟେ ଚକ୍କର ମାରୁଥିବା ମଧ୍ୟ ପ୍ରଶାସନ ପାଖରୁ ସୂଚନା ମିଳିଛି। ରାତି ହୋଇଯାଇଥିବାରୁ ଅନ୍ଧାରରେ ଉଦ୍ଧାର କାମ ହୋଇପାରିନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe