ଓଭରବ୍ରିଜ ଉପରୁ ଖସିଲା ଟ୍ରକ, ଜଣେ ଗୁରୁତର

ଓଭରବ୍ରିଜ ଉପରୁ ଖସିଲା ଟ୍ରକ, ଜଣେ ଗୁରୁତର

ଚଣ୍ଡିଖୋଲ/ବଡ଼ଚଣା: ଆଜି ଚଣ୍ଡିଖୋଲ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଥିଲା। ବ୍ରିଜ୍‌ ତଳେ ଯାଉଥିବା ଏକ ପିକଅପ୍‌ ଭ୍ୟାନ ଉପରେ ଟ୍ରକ୍‌ଟି ଖସି ପଡ଼ିବାରୁ ଟ୍ରକ୍‌ ଚାଳକ ଗୁରୁତର ଆହତ ହୋଇଥିଲେ। ଆହତ ଟ୍ରକ୍‌ ଚାଳକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମାଳପୁର ଗାଁର ଦୀପୁ ସେଠୀ(୩୫)। ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କ ଗୋଡ଼ ଭାଙ୍ଗିଯାଇଛି। ହେଲେ ପିକଅପ୍‌ ଚାଳକ ଓ ଟ୍ରକ୍‌ର ଖଲାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ପାରାଦୀପରୁ ବଡ଼ବିଲ୍‌ ଯାଉଥିବା ଓଡି-୦୪ଏଚ-୬୮୫୬ ନମ୍ବର ଟ୍ରକ୍‌ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଓଭରବ୍ରିଜ୍‌ରୁ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା।

ଏହି ସମୟରେ ବ୍ରିଜ୍‌ ତଳ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଏକ ପିକଅପ୍‌ ଭ୍ୟାନ୍‌ ଉପରେ ଟ୍ରକ୍‌ଟି ପଡ଼ି ଯାଇଥିଲା। ଦୁର୍ଘଟଣା ପରେ ଚଣ୍ଡିଖୋଲ ଛକ ଦେଇ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ଗାଡ଼ିମୋଟର ବନ୍ଦ ହୋଇଯାଇଥିଲା। ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ଚଣ୍ଡିଖୋଲ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଦିପୁଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୁଇଟି ଯାକ ଗାଡ଼ିକୁ ପୁଲିସ ରାସ୍ତାରୁ ହଟାଇବା ପରେ ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା। ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ ଓ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଜେନା ଆହତଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe