ଅଲୋଡ଼ା ଅଭାଗିନୀର ଅତୁଟ ପ୍ରେମ; କାରାଗାରରେ ସ୍ୱାମୀ, କାଠଗଡ଼ାରେ ସ୍ତ୍ରୀ

Advertisment
ଅଲୋଡ଼ା ଅଭାଗିନୀର ଅତୁଟ ପ୍ରେମ; କାରାଗାରରେ ସ୍ୱାମୀ, କାଠଗଡ଼ାରେ ସ୍ତ୍ରୀ

ବଲାଙ୍ଗୀର: ପ୍ରେମରେ କେତେବେଳେ ସଂଘର୍ଷ ତ ଆଉ କେତେବେଳେ ସଫଳତା। ହେଲେ ପ୍ରେମ ଭାଙ୍ଗେ ନାହିଁ। ଏବେ ପ୍ରେମ ପାଇଁ କାରାଗାରରେ ଜଣେ ସ୍ୱାମୀ ସଜା କାଟୁଛନ୍ତି। ଆଉ ନିଜର କେଇଟା ଭୁଲ ପାଇଁ ଏବେ ସ୍ୱାମୀକୁ ଜେଲରୁ ବାହାର କରିବାକୁ ଅଜଣା ସହରରେ ସଂଘର୍ଷ କରୁଛନ୍ତି ସ୍ତ୍ରୀ ଅଭାଗିନୀ। ସୋମବାର ବଲାଙ୍ଗୀର ଜିଲ୍ଲା କାରଗାରର ସାକ୍ଷାତଗୃହ ଆଗରେ ଅପେକ୍ଷା କରିଥିବା ସ୍ତ୍ରୀ ଅଭାଗିନୀର ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ କମ ନୁହଁ।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ବିଳାସପୁର ଗାଁର ଜୟପାଲ ମହାକୁଡ଼ ଓ ଅଭାଗିନୀ ଡାଙ୍ଗ। ଗାଁରେ ଦେଖାଶୁଣାରୁ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ସେତେବେଳେ ୧୬ ବର୍ଷ ବୟସ ହେଉଥିବା ଅଭାଗିନୀଙ୍କୁ ଜୟପାଲ ନିଜ ଘରକୁ ନେଇ ଯାଇଥିଲେ। ହେଲେ ଏଭଳି ସଂର୍ପକକୁ ଜୟପାଲଙ୍କ ପରିବାର ଲୋକେ ବିରୋଧ କରିଥିଲେ। ତେଣୁ ମାତ୍ର ତିନିଦିନ ପରେ ନିଜ ଘରକୁ ଚାଲିଯାଇଥିଲେ ଅଭାଗିନୀ। ଆଉ ଅଭାଗିନୀଙ୍କ ପରିବାର ଲୋକେ ଜୟପାଲ ନାଁରେ ନାବାଳିକା ଅପହରଣର ଅଭିଯୋଗ କରିଥିଲେ। ୨୦୧୬ ମସିହାରେ ଜୟପାଲ ଗିରଫ ହୋଇ ଜେଲ ଯାଇଥିଲେ। ତିନିବର୍ଷ ପରେ ୨୦୧୯ରେ ଜାମିନରେ ଆସିଥିଲେ। କିନ୍ତୁ ଅତୁଟ ଥିଲା ଏମାନଙ୍କ ପ୍ରେମ। ପୁଣିଥରେ ଉଭୟ ଘର ଛାଡ଼ି ଚାଲିଯାଇଥିଲେ। ସେତେବେଳକୁ ଅଭାଗିନୀ ପ୍ରାପ୍ତବୟସ୍କ ହୋଇଯାଇଥିଲେ।

ଉଭୟେ ମନ୍ଦିରରେ ବାହା ହୋଇ ଜିଲ୍ଲା ବାହାରେ କାମଧନ୍ଦା କରି ଖୁସିରେ ରହୁଥିଲେ। କିନ୍ତୁ ସେତେବେଳେ ରୁଜୁ ହୋଇଥିବା ମାମଲାର ବଲାଙ୍ଗୀର ପୋକ୍ସୋ କୋର୍ଟରେ ବିଚାର ବିଭାଗୀୟ ପ୍ରକ୍ରିୟା ଚାଲିଥିଲା। ପ୍ରଥମ ଥର ଜୟପାଲ ଜେଲରେ ଥିବାବେଳେ ପରିବାର ଚାପରେ ଜୟପାଲଙ୍କ ବିରୋଧରେ ଅଭାଗିନୀ ବୟାନ ଦେଇଥିଲେ। ଅଭାଗିନୀଙ୍କ ବୟାନକୁ ଭିତ୍ତି କରି ଗତ ନଭେମ୍ବେର ୨୦୨୧ରେ ଜୟପାଲଙ୍କୁ ୨୦ ବର୍ଷର କାରାଦଣ୍ଡାଦେଶ ହୋଇଛି। କିନ୍ତୁ ଅଭାଗିନୀ ଜାଣିନଥିଲେ ସେ ଦେଇଥିବା ବୟାନ ଯୋଗୁ ସ୍ୱାମୀଙ୍କୁ ଲମ୍ବା ସମୟର ଜେଲ ହେବ।

publive-image

ଏବେ ଶାଶୂଘର ଓ ମା’ ଘର ପାଇଁ ଆଲୋଡ଼ା ଅଭାଗିନୀ। ତାଙ୍କୁ ଘରକୁ ଯିବାକୁ ବି ମନା। ଏଣୁ ସେ ବଲାଙ୍ଗୀର ସହରର ଏକ ହଷ୍ଟେଲରେ ରହୁଛନ୍ତି। ଦୀର୍ଘ ରାସ୍ତା ଚାଲି ଚାଲି ଆସି ଗୋଟିଏ ଦୋକାନରେ କାମ କରୁଛନ୍ତି। ମାତ୍ର ଚାରି ହଜାର ଟଙ୍କା ଦରମାରେ ନିଜେ ଚଳୁଛନ୍ତି ଓ ସ୍ୱାମୀଙ୍କ ପାଇଁ ହାଇକୋର୍ଟରେ ଆଇନଗତ ଲଢ଼େଇ କରୁଛନ୍ତି। ଦିନେ ସ୍ୱାମୀ ଜେଲରୁ ବାହାରିବେ ଆଉ ସେମାନଙ୍କ ସୁଖର ସଂସାର ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe