ଲୋକଙ୍କ ଲାଗି ପ୍ରୋଟୋକଲ୍‌ ଭାଙ୍ଗିଲେ କେନ୍ଦ୍ରମନ୍ତ୍ରୀ, ଅଭିଯୋଗପତ୍ର ନେଇ ଜିଲ୍ଲାପାଳଙ୍କୁ ଭେଟିଲେ

Advertisment
ଲୋକଙ୍କ ଲାଗି ପ୍ରୋଟୋକଲ୍‌ ଭାଙ୍ଗିଲେ କେନ୍ଦ୍ରମନ୍ତ୍ରୀ, ଅଭିଯୋଗପତ୍ର ନେଇ ଜିଲ୍ଲାପାଳଙ୍କୁ ଭେଟିଲେ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଗସ୍ତରେ ଯାଇଥିଲେ। ଏହି ସମୟରେ ଏକ ବିରଳ ଚିତ୍ର ଦେଖିବାକୁ ମିଳିଥିଲା। ପ୍ରୋଟୋକଲ୍‌କୁ ଖାତିର ନକରି ଲୋକଙ୍କ ସମସ୍ୟା କାଗଜ ଧରି ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କୁ ନିଜ ପାଖକୁ ନ ଡକାଇ ନିଜେ ଜିଲ୍ଲାପାଳଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଚର୍ଚ୍ଚାର ବିଷୟ ହୋଇଛି।

ରବିବାର ହରେକୃଷ୍ଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବୃକ୍ଷରୋପଣ ସହ ଏକ ସହିଦ ସ୍ମୃତିଫଳକ ଉନ୍ମୋଚନ କରିଥିଲେ। ଏହି ସମୟରେ ସ୍କୁଲ୍‌ର ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମ କମିଟିର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍କୁଲର ଶ୍ରେଣୀଗୃହ, ପାଚେରି, ଶିକ୍ଷକ ଅଭାବ ଓ ପରିବେଶ ଠିକ୍ ନଥିବା କହିଥିଲେ। ଲୋକେ ଏ ସମ୍ପର୍କିତ ଏକ ଅଭିଯୋଗପତ୍ର ବି କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିଲେ। ଏହାସହ ସ୍ଥାନୀୟ ଅଞ୍ଚଳରେ ମନରେଗାରେ ଅନିୟମିତତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ହରେକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟର ଦୁରବସ୍ଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବ୍ୟଥିତ କରିଥିଲା। ସେ ଏହାକୁ ଗୁରୁତର ସହ ନେଇଥିଲେ। ପରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଚାହିଁଥିଲେ। ତେଣୁ ନିଜ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ସମୟକୁ କମ୍ କରି ତୁରନ୍ତ ଜିଲ୍ଲାପାଳଙ୍କୁ ଭେଟିବାକୁ ବାହାରି ଯାଇଥିଲେ। କେନ୍ଦ୍ରମନ୍ତ୍ରୀ ନିଜେ ଜିଲ୍ଲାପାଳଙ୍କ ବାସଭବନସ୍ଥିତ ଅଫିସରେ ଯାଇ ପହଞ୍ଚି ଲୋକେ ଦେଇଥିବା ଦାବିପତ୍ରକୁ ଜିଲ୍ଲାପାଳଙ୍କୁ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ଏପରି କାର୍ଯ୍ୟ ପାଇଁ ‌ହରେକୃଷ୍ଣପୁରବାସୀ ବେଶ୍‌ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe