ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ: ‘ଗଙ୍ଗାଧରଙ୍କ କାବ୍ୟକୃତିକୁ ବିଶ୍ବଦରବାରରେ ପହଞ୍ଚାଇ ପାରିଥିଲେ ନୋବେଲ ମିଳିଥାନ୍ତା’

Advertisment

ବରଗଡ଼ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ

ବରଗଡ଼ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ

ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ: ‘ଗଙ୍ଗାଧରଙ୍କ କାବ୍ୟକୃତିକୁ ବିଶ୍ବଦରବାରରେ ପହଞ୍ଚାଇ ପାରିଥିଲେ ନୋବେଲ ମିଳିଥାନ୍ତା’

ବରଗଡ: ‘ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ବରଗଡ଼ଠାରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ‘ଓଡ଼ିଆ ଅସ୍ମିତାର ଅନନ୍ୟ ଶ୍ରାବଣ ଅନୁଷ୍ଠିତ ହୋଇଛି। ଗଙ୍ଗାଧରଙ୍କ କାବ୍ୟକୃତିକୁ ବିଶ୍ବଦରବାରରେ ପହଞ୍ଚାଇ ପାରିଥିଲେ ନୋବେଲ ମିଳିଥାନ୍ତା ବୋଲି ସମାରୋହରେ ମମତପ୍ରକାଶ ପାଇଛି। ‘ସମ୍ବାଦ’ର ସଂପାଦକ ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହର ଉଦ୍‌ଘାଟକ ଭାବରେ ଯୋଗଦେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଗଙ୍ଗାଧରଙ୍କ କାବ୍ୟକୃତିକୁ ବିଶ୍ବଦରବାରରେ ପହଞ୍ଚାଇପାରିଥିଲେ ସେ ନୋବେଲ ପୁରସ୍କାର ପାଇଥାନ୍ତେ। ଏହି ପରି‌ପ୍ରେକ୍ଷୀରେ ଗଙ୍ଗାଧର ସାହିତ୍ୟର ଅଧିକ ପ୍ରଚାର ପ୍ରସାର ପାଇଁ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ।

ସମାରୋହର ମୁଖ୍ୟଅତିଥି ପୂର୍ବ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଆ ଭାଷା ସାହିତ୍ୟ ସଂକଟ ଦେଇ ଗତି କରୁଥିବା ସମୟରେ ଭାଷାକୁ ବଂଚାଇବାକୁ ତଥା ଓଡ଼ିଆର ପ୍ରାଣକୁ ପ୍ରତିଧ୍ୱନିତ କରିବା ପାଇଁ ଗଙ୍ଗାଧରଙ୍କ ଲେଖନୀ ଚାଳନା କରିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ସ୍ତମ୍ଭକାର ପ୍ରାଧ୍ୟାପକ ଅଭିରାମ ବିଶ୍ୱାଳ ଗଙ୍ଗାଧରଙ୍କ ଜୀବନ ଓ ସାରସ୍ବତ ସାଧନା ସଂପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ସମ୍ବାଦ-ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗଙ୍ଗାଧର ଲୁଗାବୁଣାରେ ଯେପରି ସିଦ୍ଧହସ୍ତ ଥିଲେ, ଶବ୍ଦ ଚୟନରେ ମଧ୍ୟ ନିଜର ବିଶେଷତା ପ୍ରଦର୍ଶନ କରିଥିଲେ।

ସଭାପତୀୟ ଅଭିଭାଷଣରେ ସମ୍ବାଦର ସଂପାଦକ ଶ୍ରୀ ପଟ୍ଟନାୟକ କହିଥିଲେ, ଗଙ୍ଗାଧର ଥିଲେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଆନୁଷ୍ଠାନିକ ସୁବିଧା ସୁଯୋଗ ନପାଇ ମଧ୍ୟ ସେ ଯେଉଁ ପ୍ରତିଭା ପ୍ରଦର୍ଶନ କରିଛନ୍ତି ତାହାର ତୁଳନା ନାହିଁ। ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଆହୁରି କହିଲେ ଯେ, ମାତୃଭାଷାର ସୁରକ୍ଷା ପାଇଁ ପରିବାରରୁ ଆନ୍ଦୋଳନ ହେଉ ଏବଂ ମା ମାନେ ଏହାର ନେତୃତ୍ୱ ନିଅନ୍ତୁ। ‘ସମ୍ବାଦ’ ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ ସ୍ୱାଗତ ବକ୍ତବ୍ୟରେ କବି ଗଙ୍ଗାଧରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ବ୍ୟାପକ ଆକାରରେ ପାଳନ କରାଯିବାକୁ ପ୍ରସ୍ତାବ ଦେଇଥିଲେ। ‘ସମ୍ବାଦ’ ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଖ୍ୟ ସହସଂପାଦକ ଲକ୍ଷ୍ମୀନାରାୟଣ ହୋତା ଅତିଥିଙ୍କୁ ସଭାମଞ୍ଚକୁ ଆବାହନ କରିଥିଲେ। ସଭା ପ୍ରାରମ୍ଭରେ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା। ରୋଟାରୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଆବାହନୀ ସଂଗୀତ ପରିବେଷଣ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ରୀନା ଦାଶ ଗଂଗାଧର ସଂଗୀତ ‘ନବ ବିକଶିତ ଫୁଲ ଗନ୍ଧ, ନବ ସରସ କବିତା ଛନ୍ଦ..’ପରିବେଷଣ କରିଥିଲେ। ଭାରତୀ କଳା ପରିଷଦର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶେଷରେ ବରଗଡ଼ ଜିଲ୍ଲା ପ୍ରତିନିଧି ଅଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe