ଭୁବନେଶ୍ବର/ପୁରୀ: ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା, ରତ୍ନଭଣ୍ଡାରର ଗଣତି ମଣତି ସମେତ ୬ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଅନୁଷ୍ଠିତ ହୋଇଛି। କଂଗ୍ରେସ ଭବନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏକ ସୁସଜ୍ଜିତ ରଥରେ ଓ ବିଧି ମୁତାବକ ତୁଳସୀକୁ କଦଳୀ ପାଟୁଆରେ ବାନ୍ଧି ଏକ ଗାଡ଼ିରେ ଭଜନ ଓ ସଂକୀର୍ତନ କରି ଶ୍ରୀଜଗନ୍ନାଥଙ୍କ ଚରଣ ଲାଗି ନିଆଯାଇଥିଲା।
ରାଜ୍ୟର ସମସ୍ତ ବ୍ଲକ୍, ପଞ୍ଚାୟତ ଓ ଜିଲ୍ଲାରୁ ଶତାଧିକ କଂଗ୍ରେସ ନେତୃବୃନ୍ଦ ତୁଳସୀ ଧରି ସକାଳେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲାକୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ଗାଡ଼ି ଏକ ପଟୁଆରରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାରେ ପିପିଲି, ସାକ୍ଷୀଗୋପାଳ, ବାଟମଙ୍ଗଳା ଓ ଅଠରନଳା ଦେଇ ଶରଧାବାଲି ନିକଟରେ ପହଞ୍ଚିଥିଲେ। ସେଠାରୁ ସିଂହଦ୍ବାରା ଅଭିମୁଖେ ତୁଳସୀ ଯାତ୍ରା ଯାଇଥିଲା। ସିଂହଦ୍ବାରରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ବିଶ୍ବାବସୁ ବିନାୟକ ଦାସମହାପାତ୍ର ପ୍ରମୁଖ ତୁଳସୀ ନେଇ ଶ୍ରୀମନ୍ଦିରକୁ ଯାଇଥିଲେ। ଅବଶିଷ୍ଟ ସଂଗୃହୀତ ତୁଳସୀ ନୀଳାଚଳ ଉପବନ ଫୁଲ ଘର ନିକଟରେ ମହାପ୍ରଭୁଙ୍କୁ ଲାଗି ପାଇଁ ଜମା ଦିଆଯାଇଥିଲା।
ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ବିଭିନ୍ନ ଆଳ ଦେଖାଇ ମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ରଖିଛନ୍ତି। ଭକ୍ତମାନେ କେବଳ ସିଂହଦ୍ବାର ଦେଇ ପ୍ରବେଶ କରୁଛନ୍ତି। ମହାପ୍ରସାଦ ଆଣିବାକୁ ପୂର୍ବରୁ ଉତ୍ତରଦ୍ବାର ଦେଇ ଯାଉଥିଲେ, ସେ ବ୍ୟବସ୍ଥା ବି ବନ୍ଦ କରି ଦିଆଯାଇଛି। ଦର୍ଶନ ପାଇଁ ଭକ୍ତମାନେ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି। ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ସହ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି, ମଣତି ଓ ମରାମତି, ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଏହି ତୁଳସୀ ଯାତ୍ରା କରାଯାଇଛି। ଯଦି ଦାବି ପୂରଣ ନ ହୁଏ, ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଏ ସରକାରଙ୍କ ସାହସ ନାହିଁ, ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି କରିବେ। କାଳେ ସରକାର ଭାଙ୍ଗିଯିବ, ସେହି ଡରରେ ରତ୍ନଭଣ୍ଡାର ଖୋଲୁନାହାନ୍ତି। ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛୁ, ମୁଖ୍ୟମନ୍ତ୍ରୀଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଭୁଜବଳ ମାଝୀ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ଦାସ, ଅଂଶୁମାନ ମହାନ୍ତି, ଶିବାନନ୍ଦ ରାୟ, ଜୟରାମ ପଟ୍ଟନାୟକ, ସୁଜିତ ମହାପାତ୍ର, ରାଜେଶ ମିଶ୍ର, ବିଶ୍ୱକେଶନ ହରିଚନ୍ଦନ, ବିଶ୍ୱନାଥ ଦାସ, ନିରଞ୍ଜନ ରଥ, ଛବିନ୍ଦ୍ର ପଢ଼ିଆରୀ, ଅମରେନ୍ଦ୍ର ପାଇକରାୟ, ରାମଚନ୍ଦ୍ର ସାହୁ, କାଳୀପ୍ରସାଦ ନାୟକ, ବିଦୁଲତା ଆଚାର୍ଯ୍ୟ, ସୁକାନ୍ତ ପ୍ରଧାନ, ପ୍ରେମଜିତ ମହାନ୍ତି, ଚେତନ ମିଶ୍ର, ରଜତ ସାହୁ, ବିଶ୍ବରଂଜନ ମହାପାତ୍ର, ଆଶୁତୋଷ ମିଶ୍ର, ଆଦର୍ଶ ମିଶ୍ର, ଉମାକାନ୍ତ ବେହେରା, ନିରଞ୍ଜନ ମିଶ୍ର, ସ୍ୱାଧୀନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
କଂଗ୍ରେସ ଭବନରୁ ବାହାରିଥିବା ଶୋଭାଯାତ୍ରାରେ ବନ୍ଦିତା ପରିଡ଼ା, ପଞ୍ଚାନନ କାନୁନ୍ଗୋ, ସୁରେଶ ମହାପାତ୍ର, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ସୁବ୍ରତ ମହାପାତ୍ର, ମନୋରଞ୍ଜନ ତ୍ରିପାଠୀ, ବାଙ୍କନିଧି ବେହେରା, ସରସ୍ୱତୀ ହେମ୍ବ୍ରମ୍, ରଞ୍ଜିତ ପାତ୍ର, ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ,ଦୀପକ ମହାପାତ୍ର, ୟାସିର ନୱାଜ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ସସ୍ମିତା ବେହେରାଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ।
Follow Us