ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ କାର୍ଯ୍ୟକାରୀ କରିବାକୁ ତତ୍ପରତା, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କ ସମ୍ମିଳନୀ ଆଜି

Advertisment
ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ କାର୍ଯ୍ୟକାରୀ କରିବାକୁ ତତ୍ପରତା, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କ ସମ୍ମିଳନୀ ଆଜି

ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନକୁ କ୍ୟାବିନେଟ୍‌ ମୋହର ବାଜିବା କ୍ଷଣି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ତାହାକୁ କାର୍ଯ୍ୟକାରୀ କରିବା ଲାଗି ତତ୍ପରତା ପ୍ରକାଶ କରିଛନ୍ତି। ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ଉଚ୍ଚଶିକ୍ଷା ବିଭାଗ ସମ୍ବଳିତ ଅନେକ ସମସ୍ୟା ଦୀର୍ଘ ବର୍ଷ ଧରି ନାଲିଫିତା ତଳେ ପଡ଼ି ରହିଥିବା ବେଳେ ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଯେଉଁଭଳି ଆଗ୍ରହ ଦେଖାଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ସବୁଠାରୁ ବଡ଼ କଥା ହେଉଛି; ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନକୁ ନେଇ ଗୋଟିଏ ପଟେ ସାରା ରାଜ୍ୟରେ ବିରୋଧ ଜାରି ରହିଥିବା ବେଳେ ଅନ୍ୟପଟେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ସେପଟେ ସଚିବ ଶ୍ରୀ ମିଶ୍ର ଆସନ୍ତାକାଲି (ବୁଧବାର) ବିଶ୍ବବିଦ୍ୟାଳୟ କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କ ସମ୍ମିଳନୀ ଡାକିଛନ୍ତି। ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିସନ(ଓପିଏସ୍‌ସି) ଦ୍ବ‌ାରା ପ୍ରଫେସର ଚୟନ, ଏସ୍‌ଏସ୍‌ବି ଦ୍ବାରା ଅଣ-ଶିକ୍ଷକ ଚୟନ, ବିଶ୍ବବିଦ୍ୟାଳୟ ‌ୱେବସାଇଟ୍‌ରେ ବାର୍ଷିକ ଅଡିଟ୍‌ ରିପୋର୍ଟ ଅପ୍‌ଲୋଡିଂ, ସିଣ୍ଡିକେଟ୍‌ର ପୁନଃଗଠନ, ବିଶ୍ବବିଦ୍ୟାଳୟ ଷ୍ଟାଚୁସ୍‌ ଓ ବିଶ୍ବବିଦ୍ୟାଳୟ ଆକାଉଣ୍ଟସ୍‌ ମାନୁଆଲ୍‌ରେ ଯଦି କିଛି ସଂଶୋଧନ ଆବଶ୍ୟକ ଥାଏ ସେନେଇ ଆଲୋଚନା କରାଯିବ। ସମସ୍ତ ବିଶ୍ବବିଦ୍ୟାଳୟ କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ଜିଲ୍ଲା କଲେକ୍ଟରରେଟ୍‌ ଥିବା ଓସ୍ବାନ୍‌ ଭବନରେ ଥିବା ଭିଡିଓ କନ୍‌ଫରେନ୍ସ ସେଣ୍ଟରରେ ଉପସ୍ଥିତ ରହିବାକୁ କୁହାଯାଇଛି। ତେବେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ଲୋକସେବା ଭବନରେ ଥିବା ରୁରାଲ୍‌ ଡେଭ୍‌ଲପ୍‌‌ମେଣ୍ଟ କନ୍‌ଫରେନ୍ସ ହଲ୍‌ରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe