ସଂକୁଚିତ ହୋଇଗଲା ପ୍ରଶସ୍ତ ବେଳାଭୂମି: ବେଳାଭୂମି ଛାତି ଉପରେ ବି...

ବିଚରଣ ପାଇଁ ପ୍ରଶସ୍ତ ଓ ସମତୁଲ ସ୍ବର୍ଣ୍ଣାଭ ବେଳାଭୂମି ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି ଶ୍ରୀକ୍ଷେତ୍ର ପୁରୀ। ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ ସହ ସମୁଦ୍ରରେ ସ୍ନାନ

ddagdagda

ପୁରୀ: ବିଚରଣ ପାଇଁ ପ୍ରଶସ୍ତ ଓ ସମତୁଲ ସ୍ବର୍ଣ୍ଣାଭ ବେଳାଭୂମି ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି ଶ୍ରୀକ୍ଷେତ୍ର ପୁରୀ। ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ ସହ ସମୁଦ୍ରରେ ସ୍ନାନ ପାଇଁ ପ୍ରତିଦିନ ଦେଶ ବିଦେଶରୁ ଦୌଡ଼ି ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ। କିନ୍ତୁ ପୁରୀ ବେଳାଭୂମିକୁ ସଂକୁଚିତ କରାଯାଉଛି। ପର୍ଯ୍ୟଟକଙ୍କ ବିଚରଣ ଜାଗାରେ ମତ୍ସ୍ୟଜୀବୀଙ୍କ ପାଇଁ ଜେଟି ନିର୍ମାଣ ଆରମ୍ଭ ହୋଇଛି। ବେଳାଭୂମି ଛାତି ଉପରେ, ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଜେଟି ନିର୍ମାଣ ହେଉଛି। ବଡ଼ବଡ଼ କଂକ୍ରିଟ୍‌ ଘର ନିର୍ମାଣ କରାଯାଉଛି। ମୋଟା ଲୁହା ରଡ୍‌ ସବୁ ଲଗାଇ ପିଲାର୍‌ କରାଯାଉଛି। ଏହି ଜେଟି ପାଇଁ ପ୍ରାୟ ୪ଶହ ମିଟର ବେଳାଭୂମିକୁ ଉତ୍ସର୍ଗ କରି ଦିଆଯାଇଛି। ଯାହା ପର୍ଯ୍ୟଟକଙ୍କ ବୁଲାବୁଲି, ସ୍ବର୍ଣ୍ଣାଭ ବେଳାଭୂମିକୁ ଉପଭୋଗ 
କରିବାରେ ପ୍ରତିବନ୍ଧକ ସାଜିଛି। ସେପଟେ ପରିବେଶ ନିୟମର ଖୋଲା ଉଲ୍ଲଂଘନ କରି ବେଳାଭୂମି ଉପରେ କଂକ୍ରିଟ୍‌ ନିର୍ମାଣ ଚାଲିଛି। ଯାହା ବୁଦ୍ଧିଜୀବୀମାନଙ୍କୁ ମର୍ମାହତ କରିଛି।

ସଂକୁଚିତ ହୋଇଗଲା ପ୍ରଶସ୍ତ ବେଳାଭୂମି
ପରିବେଶ ନିୟମର ଖୋଲା ଉଲ୍ଲଂଘନ
ପର୍ଯ୍ୟଟକଙ୍କ ବିଚରଣ ଜାଗାରେ କଂକ୍ରିଟ୍‌ ନିର୍ମାଣ

ପୁରୀ ପର୍ଯ୍ୟଟନ କ୍ଷେତ୍ର ପାଇଁ ବିଶ୍ବ ଦରବାରରେ ପ୍ରସିଦ୍ଧି ଲାଭ କରିଛି। ପେଣ୍ଠକଟାଠାରୁ ହୋଟେଲ୍‌ ଷ୍ଟର୍ଲିନ୍‌ ପର୍ଯ୍ୟନ୍ତ ହିସାବ କଲେ, ପୁରୀ ସମୁଦ୍ରର ଏହି ପ୍ରଶସ୍ତ ବେଳାଭୂମି ପ୍ରାୟ ୫ କିଲୋମିଟର ବ୍ୟାପ୍ତ। ଓସାର(ବେଳାମାର୍ଗଠାରୁ ସମୁଦ୍ର ତଟ) ପୂର୍ବ ତୁଳନାରେ କମିଥିଲେ ବି ପ୍ରାୟ ୫୦ ମିଟରରୁ ଅଧିକ ଏବେ ବି ରହିଛି। କିନ୍ତୁ ଏହି ପ୍ରଶସ୍ତ ବେଳାଭୂମି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ବଳିଛି। 
ପୂର୍ବରୁ ବେଳାଭୂମି ପର୍ଯ୍ୟଟକଙ୍କ ମୁକ୍ତ ବିଚରଣ ପାଇଁ ଖୋଲା ରହିଥିଲା। କିନ୍ତୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ବିକାଶ ଆଳରେ ଦିଗବାରେଣିଠାରୁ ସିଟି ରୋଡ୍‌ ପାର୍ଶ୍ବକୁ ଅଧା ବେଳାଭୂମି ମାଡ଼ି ବସିଲେ ସରକାର। ଏହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ଲଗାଗଲା। ଯେଉଁମାନେ ବ୍ଲୁ ଫ୍ଲାଗ୍‌ ବିଚ୍‌ ଗଲେ, ସେମାନଙ୍କଠାରୁ ଟଙ୍କା ଆଦାୟ କରାଗଲା। ଏହା ପାଖକୁ ଲାଗି ନୀଳାଦ୍ରି ବିଚ୍‌ ରହିଛି, ଏଠାରେ ବି ପ୍ରବେଶରେ କିଛିଟା କଟକଣା ରହିଛି। ଏହା ପରେ ପରେ ରହିଛି ବାଙ୍କିମୁହାଣ ନାଳ। ଏଣୁ ଏହି ପାର୍ଶ୍ବକୁ ପର୍ଯ୍ୟଟକ ସେତେ ଯାଆନ୍ତିନି। ବାକି ଦିଗବାରେଣିଠାରୁ ଷ୍ଟର୍ଲିନ୍‌ ପର୍ଯ୍ୟନ୍ତ ଯେଉଁ ବେଳାଭୂମି ରହିଛି, ସେଠାରେ ପର୍ଯ୍ୟଟକଙ୍କ ଅଧିକ ଗହଳି ଲାଗେ। କିନ୍ତୁ ଏହି ଜାଗାରେ ମତ୍ସ୍ୟଜୀବୀଙ୍କ ପାଇଁ ଜେଟି ନିର୍ମାଣ ହେଉଛି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା, ବେଳାଭୂମି ମଝିରେ ଏଭଳି ଜେଟି ନିର୍ମାଣ ନ କରି ସରକାର ଅବା ପ୍ରଶାସନ ଏହାକୁ ପେଣ୍ଠକଟା ଅବା ଷ୍ଟର୍ଲିନ୍‌ ହୋଟେଲ ପାର୍ଶ୍ବ ବେଳାଭୂମିରେ ନିର୍ମାଣ କରି ପାରିଥାନ୍ତା। କିନ୍ତୁ ଜାଣିଶୁଣି କିଛି ନ୍ୟସ୍ତସ୍ବାର୍ଥ ଅଧିକାରୀ ଓ ହୋଟେଲିୟରଙ୍କ ପାଇଁ ଏହାକୁ ସର୍ବସାଧାରଣଙ୍କ ପାଇଁ ବ୍ୟବହାର ହେଉଥିବା ବେଳାଭୂମି ମଝିରେ ନିର୍ମାଣ କରାଯାଉଛି। ତୁରନ୍ତ ଏହାକୁ ବନ୍ଦ କରିବାକୁ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି। ନଚେତ୍‌ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe